ପୁରୀ : ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ଏ ଉପଲକ୍ଷେ ବୁଧବାର ଦଇତାପତି ସେବକଙ୍କ ଦ୍ବାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟି ଲାଗି ସହ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ୧୪ ପ୍ରକାର ଚାନ୍ଦୁଆ ସହ ଆଲୋକମାଳାରେ ସଜେଇ ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନା କୂଅର ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଆଜି ଦୟଣା ମାଳି ସେବକଙ୍କ ଦ୍ବାରା ଏହାର ଶୋଧ କାର୍ଯ୍ୟ ଶେଷ ହୋଇଛି। କରୋନା କଟକଣା ଭିତରେ ସ୍ନାନଯାତ୍ରା ସେବା କାର୍ଯ୍ୟ ସଂପନ୍ନ ପାଇଁ ସେବକଙ୍କୁ ନିର୍ଦେଶ ଦିଆଯାଇଛି।
ସେପଟେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ରାତି ୧ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଧାଡ଼ି ପହଣ୍ଡିରେ ବଡ଼ଠାକୁର ବଳଭଦ୍ର, ମା' ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ନାନ ବେଦିକୁ ନେଇଛନ୍ତି। ଭୋର ୪ଟା ଭିତରେ ପହଣ୍ଡି ଶେଷ ପରେ ଅନ୍ୟାନ୍ୟ ନୀତି ଆରମ୍ଭ କରିବାକୁ ନୀତି ନିର୍ଘଣ୍ଟ ହୋଇଛି। ସ୍ନାନ ନୀତି ପରେ ଦିନ ୧୧ଟାରୁ ହାତୀବେଶ ଆରମ୍ଭ ହେବ ଓ ୧୨ଟା ଭିତରେ ବେଶ ଶେଷ ହୋଇ ମହାପ୍ରଭୁ ହାତୀବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। କିନ୍ତୁ କରୋନା କଟକଣା ପାଇଁ ଚଳିତବର୍ଷ ଭକ୍ତ ଦର୍ଶନ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବିନା ଭକ୍ତରେ ନୀତିକାନ୍ତି ସହ ସିଧାପ୍ରସାରଣ ଜରିଆରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଗଜବେଶର ଅପରୂପ ଦୃଶ୍ୟ ଭକ୍ତଙ୍କଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।
ସେପଟେ ଆଇନଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳକନ୍ଦିକୁ ସିଲ୍ କରି ଦିଆଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ପୁରୀ ସହରକୁ ୬ଟି ଜୋନ୍ରେ ବିଭକ୍ତ କରାଯାଇଛି। ୩୫ ପ୍ଲାଟୁନ ଫୋର୍ସ ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସପି, ଇନ୍ସ୍ପେକ୍ଟର ଆଦି ରାଙ୍କ୍ର ୨୩୦ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସହରର ପ୍ରବେଶ ପଥର ଯଥା ମଙ୍ଗଳାଘାଟ, ବାଟଗାଁ, ମାଳତୀପାଟପୁର, ଗ୍ରିଡ୍ ଷ୍ଟେସନ୍, ତୋଷାଲି ସ୍ୟାଣ୍ଡ୍ ଛକକୁ ସିଲ୍ କରାଯାଇଛି। ୧୬ଟି ଆଉର୍ଟ କର୍ଡନ୍, ୪୩ଟି ମିଡିଲ୍ କର୍ଡନ୍ ଓ ୧୬ଟି ଇର୍ନ କର୍ଡନ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରବେଶ ପଥରେ ବାରିକେଡ୍ ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ଅନୁଯାୟୀ, ବୁଧବାର ରାତି ୧ଟାରେ ମଙ୍ଗଳାର୍ପଣ, ରାତି ୧ଟାରୁ ୪ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ହୋଇ ପହଣ୍ଡି ସଂପନ୍ନ ହୋଇଛି। ପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ସାଢ଼େ ୫ଟାରେ ଅଧରପୋଛା, ୬ଟାରେ ଅବକାଶ, ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟପୂଜା, ୭ଟାରେ ବେଶଶେଷ ଓ ଦ୍ବାରପାଳ ପୂଜା, ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ, ପୂଜା, ସ୍ନାନ, ପୂର୍ବାହ୍ଣ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରା ପହଁରା ନୀତି ପରେ ପୂର୍ବାହ୍ଣ ୧୧ଟାରୁ ୧୨ଟା ଭିତରେ ହାତୀବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୧ଟାରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରେ ହାତୀବେଶ ମଇଲମ(ଓଲାଗି) ପରେ ସାଢ଼େ ୪ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ(ଓଲାଗି), ରାତି ୯ଟାରୁ ୧୨ଟା ଭିତରେ ତାଟିବନ୍ଧା, ରାତି ସାଢ଼େ ୧୨ଟାରେ ଦଶାବତାର ବିଜେ ନୀତି ଅନୁଷ୍ଠିତ ହେବ। ରାତି ୧ଟାରେ ମହାସ୍ନାନ ହେବ। ରାତି ସାଢ଼େ ୧ଟାରେ ମଇଲମ, ବେଶ, ୨ଟାରୁ ୩ଟା ମଧ୍ୟାହ୍ନଧୂପ, ସାଢ଼େ ୩ଟାରେ ଦକ୍ଷିଣିଘର ଭୋଗ, ଜୟ-ବିଜୟ ଦ୍ବାର ବନ୍ଦ, ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଭୋର ୪ଟାରେ ଅଣସର ନୀତି, ୪ଟା ୫୦ରେ ପଣା ଭୋଗ, ୫ଟାରେ ବେହେରଣ ଦ୍ବାର ବନ୍ଦ ଓ ଜୟ-ବିଜୟ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଅଣସର ନୀତି ବେଳେ ୧୫ ଦିନ ଶ୍ରୀମନ୍ଦିର ଘଣ୍ଟଘଣ୍ଟା ନିଷେଧ ରହିବ।