ଜଗନ୍ନାଥଙ୍କ ନବକଳେବର ଗୀତାର ବାଣୀକୁ ମନେପକାଇଦିଏ

ନୂଆଦିଲ୍ଲୀ: ଜଗନ୍ନାଥଙ୍କ ନବକଳେବର ଗୀତାର ବାଣୀକୁ ମନେପକାଇଦେଇଥାଏ | ଯେଭଳି ବସ୍ତ୍ର ପୁରୁଣା ହେବା ମାତ୍ରେ ଆମେ ଏହାକୁ ବଦଳାଇ ନୂତନ ବସ୍ତ୍ର ଧାରଣା କରିଥାଉ ଠିକ ସେହିଭଳି ଆତ୍ମା ମଧ୍ୟ ନୂଆ ଶରୀର ଧାରଣ କରିଥାଏ | ଈଶ୍ୱର ଅମର କିନ୍ତୁ ତାଙ୍କ ଶରୀରର ନବକଳେବର ହୋଇଥାଏ, ସାଧାରଣ ଲୋକଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ପରମ୍ପରା  ଗୀତାର ବାଣୀକୁ ମନେପକାଇ ଦେଇଥାଏ | କିଛି ଏଭଳି କଥା କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ସୁବାସ ପାଣି | ଜାତୀୟ ଗଣମାଧ୍ୟମ ଆଜତକ ପକ୍ଷରୁ ଆୟୋଜିତ  ସାହିତ୍ୟ ଆଜତକ କାର୍ଯ୍ୟକ୍ରମରେ ଆଜି ‘ଜୟ ଜଗନ୍ନାଥ’ ଶୀର୍ଷକ ଆଲୋଚନାଚକ୍ରରେ ନିଜର ବକ୍ତବ୍ୟ ରଖିଛନ୍ତି ସୁବାସ ପାଣି |

ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷକ ତଥା ଲେଖକ ଡ.ଅସିତ ମହାନ୍ତିଙ୍କ ସହ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ପାରମିତା ଶତପଥୀ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କିତ ବିଭିନ୍ନ ପରମ୍ପରା ବାବଦରେ କହିଥିଲେ | ରସଗୋଲା ଓଡ଼ିଶାର ବୋଲି ପ୍ରମାଣ ଦେଇ ଓଡ଼ିଆଙ୍କ ମନକୁ  ମିଠା କରିଦେଇଥିବା ଗବେଷକ ଅସିତ ମହାନ୍ତି କହିଥିଲେ ଯେ ଜଗନ୍ନାଥ ଏମିତି ଜଣେ ଭଗବାନ, ଯାହାଙ୍କୁ ସମସ୍ତେ ମାନିଥାନ୍ତି | ଜଗନ୍ନାଥଙ୍କୁ ଶିବଭକ୍ତମାନେ ଶିବ ବୋଲି ମାନିବା ସହ ବୌଦ୍ଧ ଧର୍ମର ଲୋକ ବୁଦ୍ଧ ବୋଲି ଗ୍ରହଣ କରିଥାଆନ୍ତି। ଯିଏ ସମସ୍ତଙ୍କ ବାଂଞ୍ଛିତ ଫଳ ପ୍ରଦାନ କରିଥାନ୍ତି ସେ ଜଗନ୍ନାଥ ବୋଲି ଅସିତ ମହାନ୍ତି କହିଥିଲେ |

ସେହିପରି ପାରମିତା ଶତପଥୀ କହିଥିଲେ ଯେ ଜଗନ୍ନାଥ ପ୍ରତିଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହୋଇଥିବା ବେଳେ ତାଙ୍କ ରହସ୍ୟ କେହି ସାଧାରଣ ଲୋକ କେବେ ମାପିପାରିବେ ନାହିଁ | ଜଗନ୍ନାଥ ସମୁଦ୍ର ଭଳି ପରିବ୍ୟାପ୍ତ ହୋଇଥିବାବେଳେ ଈଶ୍ୱର ଏକ ବିଶ୍ୱାସ ଉପରେ ଆଧାରିତ, ଯାହାଙ୍କ ଉପରେ କ’ଣ ବା କହିହେବ |

ସମ୍ବନ୍ଧିତ ଖବର