ପୁରୀ: ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରିଛନ୍ତି। ଗତକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ଆଜି ବିଳମ୍ବିତ ରାତିରେ ଗୋଟିପହଣ୍ଡିରେ ଜନ୍ମବେଦିକୁ ଯାଇଥିଲେ ଠାକୁରେ। ଏହିସମୟରେ ଘଣ୍ଟଘଣ୍ଟା ସାଙ୍ଗକୁ ହରିବୋଲ, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ବୁଧବାରଠାରୁ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇବେ ଭକ୍ତ। ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଏଥିପାଇଁ ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଡ଼ପମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଆଜି ଆଡ଼ପମଣ୍ଡପରୁ ଚାରମାଳ ଫିଟାଯାଇଛି। ବୁଧବାରଠାରୁ ଆଡ଼ପଦର୍ଶନ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ରଥ ଉପରେ ଦୈନିନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଚନ୍ଦନଲାଗି ଶେଷ ପରେ ବଡ଼ସିଂହାର ବେଶ ଆରମ୍ଭ ହୋଇଥିଲା। ରାତି ୧ଟା ୧୦ରେ ବଡ଼ସିଂହାର ବେଶ ଶେଷପରେ ୧ଟା ୩୫ରେ ବଡ଼ସିଂହାର ଭୋଗ ହୋଇଥିଲା। ଭୋଗ ନୀତି ସଂପନ୍ନ ପରେ ରାତି ୨ଟା ୧୦ରେ ରଥ ଉପରେ ରାତ୍ର ପହୁଡ଼ ହୋଇଥିଲା। ଆଜି ସକାଳ ୬ଟା ୩୫ରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ରଥ ଉପରେ ଗୋପାଳବଲ୍ଲଭ ଓ ଅନ୍ୟାନ୍ୟ ଭୋଗ ନୀତି ସଂପନ୍ନ ହୋଇଥିଲା। ତିନି ରଥରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ ପରେ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ଆଜି ରାତି ପ୍ରାୟ ସାଢ଼େ ୭ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ ମଧ୍ୟ ବିଜେ କରିଥିଲେ। ମାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ସମୟରେ ଘଟିଥିଲା ଅଘଟଣ। ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଖସିପଡ଼ିବା ପରେ ପହଣ୍ଡିରେ ବାଧା ସୃଷ୍ଟି ହୋଇଥିଲା। ତେବେ ବଡ଼ଠାକୁର ଆଡ଼ପମଣ୍ଡପରେ ବିଜେ କରିବା ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିପହଣ୍ଡିରେ ଜନ୍ମବେଦିକୁ ବିଜେ କରିଥିଲେ। ସୂଚନାଯୋଗ୍ୟ, ଜୁଲାଇ ୧୧ ତାରିଖରେ ହେରାପଞ୍ଚମୀ ନୀତି, ୧୨ ତାରିଖରେ ରଥ ଦକ୍ଷିଣ‌ମୋଡ଼, ୧୪ ତାରିଖରେ ସନ୍ଧ୍ୟା ଦର୍ଶନ, ୧୫ ତାରିଖରେ ବାହୁଡ଼ାଯାତ୍ରା, ୧୭ ତାରିଖରେ ସୁନାବେଶ, ୧୮ ତାରିଖରେ ଅଧରପଣା ନୀତି ଓ ୧୯ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉ ରତ୍ନ ସିଂହାସନକୁ ବିଜେ କରିବେ।