ଟାହିଆ ଛୁଇଁଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବ୍ୟାରିକେଡ୍ ବାହାରୁ ରଥ ଛୁଇଁପାରିବେ ଭକ୍ତ, ଶ୍ରୀଜିଉଙ୍କ ଭୁଜ, ଦେହରେ ଭରା ଦେବା ମନା, ତିନି ରଥରେ ରହିବେ ୨୧୦ ସେବାୟତ ଓ ୮୪ ଘଣ୍ଟୁଆ

ପୁରୀ : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ବ୍ୟବସ୍ଥାବଳୀକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦେଶନାମା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳି ଅନୁସାରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସଭାପତି, ସଂପାଦକ, ୪ ବାଡ଼ଗ୍ରାହୀ ଓ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆସନ୍ତାକାଲି ସକାଳୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ, ଆରକ୍ଷୀ ଅଧିକ୍ଷକ, ଅନ୍ୟ ବିଭାଗୀୟ ଅଧିକାରୀ, ସମସ୍ତ ନିଯୋଗ ସଭାପତି ଓ ସଂପାଦକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିବେ। କୌଣସି ଦର୍ଶନାର୍ଥୀ ଅବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ୱା ନାଟମଣ୍ଡପକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଭୋର ୪ଟା ପୂର୍ବରୁ ଚାରମାଳ ବନ୍ଧା ଓ ଫୁଲ ସଜ୍ଜା ଶେଷ ହେବ। ଅନଧିକୃତ ବ୍ୟକ୍ତିମାନେ ରଥରେ ଚଢ଼ି ପାରିବେନି କି ଶ୍ରୀବିଗ୍ରହଙ୍କୁ ଛୁଇଁ ପାରିବେ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଦଇତାପତି ଓ ବାଡ଼ଗ୍ରାହୀ ସେବକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମହାପ୍ରଭୁଙ୍କ ସେବାପୂଜା ନଥିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଭୂଜ ଭିତରେ ରହିପାରିବେ ନାହିଁ କି ଠାକୁରଙ୍କ ଦେହରେ ଭରା ଦେଇ ଛିଡ଼ା ହୋଇ ପାରିବେ ନାହିଁ। ଯଦି ଏପରି କେହି ଭୁଲ୍ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମଙ୍ଗଳ ଆଳତି ସମୟରେ କେବଳ ସଂପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତରକାଠ ପାଖରେ ଉପସ୍ଥିତ ରହିବେ। ପହଣ୍ଡି ସମୟରେ ଜଗମୋହନ କିମ୍ୱା ନାଟମଣ୍ଡପରେ କୌଣସି ଭିଆଇପି, ଭିଭିଆଇପି ରହିବା ଉପରେ କଟକଣା ଜାରି କରାଯାଇଛି। ସାତପାହାଚ ନିକଟରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧାଯିବ। ଦର୍ଶନାର୍ଥୀ କିମ୍ୱା ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗିଥିବା ଟାହିଆ ଟାଣି ପାରିବେ ନାହିଁ। ଏହା କିପରି ସୁରକ୍ଷିତ ରହିବ ସେ ଦାୟିତ୍ୱ ଦଇତାପତିମାନଙ୍କୁ ନ୍ୟସ୍ତ କରାଯାଇଛି। ଶ୍ରୀଜିଉ ପହଣ୍ଡି ବେଳେ ଧାଡ଼ି ପହଣ୍ଡିରେ ତିନି ରଥରେ ବିଜେ କରିବେ। ପହଣ୍ଡି ବେଳେ ବେଦପାଠୀମାନେ କର୍ଡ଼ନ୍ ବାହାରେ ରହି ବେଦପାଠ କରିବେ ଓ ଏହି ସମୟରେ କୌଣସି ଭକ୍ତ ତିନି ଠାକୁରଙ୍କ ସ୍ପର୍ଶ କରି ପାରିବେନି। କିନ୍ତୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଓ ରଥାରୁଢ଼ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିପାରିବେ। ଦର୍ଶନ ସମୟରେ ଶ୍ରୀଜିଉଙ୍କ ସମ୍ମୁଖରେ ସେବାୟତଙ୍କ ଛିଡ଼ା ହେବା ଉପରେ କଟକଣା ଜାରି କରାଯାଇଛି। ଶ୍ରୀଜିଉମାନେ ରଥାରୁଢ଼ ହେବା ପରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ତାଙ୍କ ୬ ଶିଷ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ଶ୍ରୀଗୁଣ୍ଡିଚା ଦିନ ସକାଳ ୭ଟା ପୂର୍ବରୁ ଅଳଙ୍କାର ସିନ୍ଧୁକ ବାଇଶିପାହାଚରେ ରଖାଯିବ। ଗଜପତି ମହାରାଜଙ୍କ ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ। ତାଳଧ୍ବଜ ରଥରେ ୨୮ ଜଣ, ଦେବଦଳନ ରଥରେ ୨୪ ଜଣ ଓ ନନ୍ଦିଘୋଷ ରଥରେ ୩୨ ଜଣ ଘଣ୍ଟୁଆ ରହିବେ। ଛେରା ପହଁରା ପରେ ସଙ୍ଗେ ସଙ୍ଗେ ଚାର ଖୋଲାଯିବ। ଘୋଡ଼ା ଓ ଦଉଡ଼ି ବନ୍ଧା ନୀତି ସୀମିତ ସମୟ ଭିତରେ ଶେଷ ହେବ। ଛେରା ପହଁରା ପରେ ବଳଭଦ୍ରଙ୍କ ରଥରେ ୭୦ ଜଣ, ସୁଭଦ୍ରାଙ୍କ ରଥରେ ୬୦ ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୮୦ ଜଣ ସେବାୟତ ରହିବେ। ରଥ ଉପରକୁ ନଡ଼ିଆ, କଦଳୀ ଆଦି ପକାଇବା ଉପରେ କଟକଣା ଜାରି କରାଯାଇଛି। ରଥଟଣା ସମୟରେ କେବଳ ପ୍ରଶାସନର ଡାକବାଜି ଯନ୍ତ୍ର ବ୍ୟବହାର ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପୂର୍ବରୁ ଯଦି ତିନି ରଥ ଅଧା ବାଟରେ ଅଟକନ୍ତି ତେବେ ସେଠାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ରଥ ଉପରକୁ ଅନଧିକୃତ ବ୍ୟକ୍ତିଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି। ତିନି ରଥରେ କୌଣସି ସିଡି ପକାଯିବ ନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ରହିବା ପରେ ରଥ ଚାରିପାଖରେ ଲୁହା ବ୍ୟାରିକେଡ୍ ଲଗାଯିବ ଓ ଭକ୍ତମାନେ ବାହାରୁ ତିନି ରଥକୁ ସ୍ପର୍ଶ କରିପାରିବେ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ରହିବା ପରେ ଅନଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିପାରିବେ ନାହିଁ। ରଥ ଚାରିପଟେ କିମ୍ବା ଶ୍ରୀଗୁଣ୍ଡିଚା ମନ୍ଦିରରେ ଦଇତାପତି ନିଯୋଗ ତରଫରୁ କୌଣସି ଦାନବାକ୍ସ ରଖାଯିବ ନାହିଁ। କିମ୍ବା ନିଯୋଗ ତରଫରୁ ଦର୍ଶନ ପାଇଁ କୌଣସି ଟିକେଟ୍ ବିକ୍ରି କରାଯିବ ନାହିଁ। ଆବଶ୍ୟକ ହେଲେ ପ୍ରଶାସନ ନିଜ ତରଫରୁ ଦାନବାକ୍ସ ଲଗାଇବ।

ସମ୍ବନ୍ଧିତ ଖବର