ରଥ ଉପରେ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି, ଗୋଟି ପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରିବେ ମହାବାହୁ

ପୁରୀ: ଆଉ କିଛି ସମୟ ପରେ ପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପକୁ ବିଜେ କରିବେ । ସାଥୀରେ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ଆଡ଼ପମଣ୍ଡପକୁ ବିଜେ ହେବେ । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାଳିଆ ସାଆନ୍ତ ରଥରୁ ଓହ୍ଲାଇ ଜନ୍ମବେଦୀକୁ ଯିବେ ବୋଲି ସେବାୟତମାନେ ପ୍ରକ୍ରିୟାକୁ ତୀବ୍ର କରିଦେଇଛନ୍ତି । ଶ୍ରୀଜିଉମାନଙ୍କୁ ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ନିଆଯିବ । ଏହା ପୂର୍ବରୁ ରଥ ଉପରେ ନୀତିକାନ୍ତି ଜାରି ରହିଛି ।

ରିପୋର୍ଟ ଲେଖାଯିବା ବେଳକୁ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ ଚାରମାଳବନ୍ଧା କାର୍ଯ୍ୟ ଚାଲିଛି । ଏହି କାମ ଶେଷ ହେବା ପରେ ମହାପ୍ରଭୁଙ୍କୁ ଗୋଟି ପହଣ୍ଡି ମାଧ୍ୟମରେ ଜନ୍ମବେଦୀକୁ ନିଆଯିବ ।

ସୂଚନାଯୋଗ୍ୟ ସେବାୟତମାନଙ୍କର ଦ୍ୱାରା ଆଜି ଦିନ ସାରା ରଥ ଉପରେ ନୀତିକାନ୍ତି କରାଯାଇଥିଲା । ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଅର୍ପଣ କରାଯାଇଥିଲା । କୋଭିଡ-୧୯ କଟକଣା ଯୋଗୁଁ ପୁରୀରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ସାଧାରଣ ଭକ୍ତଙ୍କୁ ଶରଧାବାଲିକୁ ବାରଣ ହୋଇଥିଲା ।

ଆଶାଢ଼ ଶୁକ୍ଲପକ୍ଷ ଦ୍ୱିତୀୟ ତିଥି (୨୦୨୧ ମସିହା ଜୁଲାଇ ୧୨)ରେ ମହାପ୍ରଭୁ ୯ ଦିବସୀୟ ଯାତ୍ରାରେ ବାହାରିଥିଲେ । ଏହି ଅବସରରେ ଗତକାଲି ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ୭ଟାରୁ ଧାଡ଼ି ପହଣ୍ଡି ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଏହା ଶେଷ ହୋଇଥିଲା । ଦିନ ୧୨ଟାରେ ରଥଟଣା କାର୍ଯ୍ୟ ହୋଇଥିଲା । ସନ୍ଧ୍ୟା ପୂର୍ବରୁ ତିନି ରଥ ଶରଧାବାଲିରେ ପହଂଚି ସାରିଥିଲା ।

ସମ୍ବନ୍ଧିତ ଖବର