ସଂକଟରେ ପ୍ରଭୁ ଜଗନ୍ନାଥଙ୍କ ରଥର ସୋଲଫୁଲ ସେବା

ଆର୍ଥିକ ସହାୟତା ପାଇଁ ଅନୁରୋଧ

ଖୋର୍ଦ୍ଧା: ଶ୍ରୀକ୍ଷେତ୍ର ସହ ଖୋର୍ଦ୍ଧା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଶ୍ରୀମନ୍ଦିରର ପରମ୍ପରା ଓ ସେବା ସହ ଖୋର୍ଦ୍ଧାରୁ ବସ୍ତ୍ର, ଫୁଲ ଆଦି ସେବା କାହିଁ କେତେ ବର୍ଷରୁ ନିୟମିତ ଭାବେ ଚାଲିଆସୁଛି । ଏପରିସ୍ଥଳେ ଗୁଣ୍ଡିଚା ରଥଯାତ୍ରା ସମୟରେ ରଥରେ ଲାଗୁଥିବା ସୋଲଫୁଲ ସେବା ଆଜି କାରିଗରଙ୍କ ଆର୍ଥିକ ସଂକଟରୁ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ସୋଲଫୁଲ କାରିଗର ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।

ଗୁରୁଜଙ୍ଗ ଭୋଇ ସାହିର ବୀର କିଶୋର ନାୟକଙ୍କ ପରିବାର ଅନେକ ଦଶନ୍ଧୀ ଧରି ନିଜର ପ୍ରଚେଷ୍ଟାରେ ରଥଯାତ୍ରା ବେଳେ ରଥରେ ଲାଗୁଥିବା ସୋଲଫୁଲ ପ୍ରସ୍ତୁତ କରି ଦେଇଥାନ୍ତି । ଏଥିପାଇଁ ସେମାନଙ୍କ ପରିବାର ନିସ୍ୱାର୍ଥପର ଭାବେ ନିଜର ସଂଚିତ ଅର୍ଥରୁ ନିମାପଡ଼ା, କାକଟପୁର, ଅସ୍ତରଙ୍ଗ, କୋଣାର୍କ, ବାଙ୍କୀ, କଣାସ ଆଦି ସ୍ଥାନରୁ ପ୍ରାକୃତିକ ସୋଲ ସଂଗ୍ରହ କରି ଭଳିକି ଭଳି ଫୁଲ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ବର୍ତମାନ କରୋନା ସଂକ୍ରମଣ ଜନିତ ଆର୍ଥିକ ସମସ୍ୟା ଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଏନେଇ ଆବଶ୍ୟକ ଅର୍ଥ ଯୋଗାଣ କରିପାରୁନାହାନ୍ତି ।

ଅନ୍ୟମାନଙ୍କୁ ଏଥିପାଇଁ ନିୟୋଜିତ କରି ସୋଲଫୁଲ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେମାନଙ୍କୁ ପାରିଶ୍ରମିକ ଦେଇପାରୁନାହାନ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ କୌଣସି ଆର୍ଥିକ ସହାୟତା ପ୍ରଦାନ କରୁନାହିଁ । ଏନେଇ ବୀର କିଶୋର ନାୟକ କହିଛନ୍ତି ଯେ ସୋଲଫୁଲ ପ୍ରସ୍ତୁତ କରିବାକୁ ପ୍ରାୟ ୩୦ହଜାର ଟଙ୍କା ଖର୍ଚ୍ଚ ହୁଏ । ତାଙ୍କର ଓପନ ହାର୍ଟ ଅସ୍ତ୍ରୋପଚାର ହୋଇଛି । ଫଳରେ ସୋଲ ଫୁଲ ପ୍ରସ୍ତୁତ କରିବାକୁ ସେ ଆବଶ୍ୟକ ସମୟ ଓ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଏହି ମହତ କାର୍ଯ୍ୟରେ ସହାୟତା ମିଳିଲେ ଏହି ପରଂପରା ଆଗକୁ ବଢ଼ିବ, ନଚେତ ବନ୍ଦ ହେବାର ସମ୍ଭାବନା ରହିଛି ବୋଲି କୋହଭରା ହୃଦୟରେ କହିଛନ୍ତି ।

ସ୍ଥାନୀୟ ବିଧାୟକଙ୍କୁ ଏନେଇ ଜଣାଇବା ପରେ ସେ ଜିଲ୍ଲାପାଳଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ । ଏଣୁ ଆଜି ସେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏନେଇ ସେ ଅବଗତ କରାଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର