୨୫ହଜାର ଏକରର ମାଲିକ କିଏ ? ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ସୁରକ୍ଷା ଦେଇପାରୁନାହାନ୍ତି କି ରାଜ୍ୟ ସରକାର?

ଖୋର୍ଦ୍ଧାରେ ମହାପ୍ରଭୁଙ୍କର ୨୬ ହଜାର ଏକର ଜମି

ଖୋର୍ଦ୍ଧା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ସୁରକ୍ଷା ଦେଇପାରୁନାହାନ୍ତି କି ରାଜ୍ୟ ସରକାର? ଏମିତି ଏକ ପ୍ରଶ୍ନକୁ ନେଇ ବିତର୍କ ଲାଗି ରହିଥିବା ବେଳେ ଖୋର୍ଧା ଜିଲ୍ଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆଶିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଖୋର୍ଦ୍ଧା ଜିଲ୍ଲାରେ ଯେତିକି ଜମି ରହିଛି, ସେଥିରୁ କେବଳ ୨ ପ୍ରତିଶତ ଜମିରୁ ଆୟ ହେଉଛି। ବାକି ୯୮ ପ୍ରତିଶତ ଜମି କାହା ଭୋଗ ଦଖଲରେ ଅଛି?

କେବଳ ଜଟଣୀ ସର୍କଲକୁ ଦେଖିଲେ ସରକାରଙ୍କ ନିଷ୍ଠା ଓ ଉଦ୍ୟମ କେତେ, ତାହା ଯେ କେହି ଅନୁମାନ କରିପାରିବେ। ରାଜ୍ୟ ସରକାରଙ୍କ ରାଜସ୍ବ ,ଆଇନ ବିଭାଗ ସମେତ ଶ୍ରୀମନ୍ଦିର ପ୍ରଶାସନ ଆଦି ସମସ୍ତେ ସବୁ ଜାଣୁଛନ୍ତି। କିନ୍ତୁ କେହି କିଛି କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ପରିଣାମ ହେଲା, ରାଜଭାଗ ଆୟରେ ବ୍ୟାପକ ଚଞ୍ଚକତା ହେଉଥିବା ନେଇ ସାଂଘାତିକ ଅଭିଯୋଗମାନ ଆସିବାରେ ଲାଗିଲାଣି। ଏ ଅଭିଯୋଗ ଯେ ସରକାରଙ୍କ ପାଖରେ ହୋଇନାହିଁ, ସେକଥା ନୁହେଁ। କିନ୍ତୁ ସମସ୍ତେ ନିରବ ରହିଛି। ୨୦୧୫–୧୬ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଶେଷ ଅଡିଟ୍ ୨୦୧୭ ମସିହା ମେ’ ମାସ ୧ ତାରିଖରୁ ୨୦୧୮ ମସିହା ଏପ୍ରିଲ ୪ ତାରିଖ ଯାଏଁ ଚାଲିଥିଲା। ଏହି ରିପୋର୍ଟ ୨୦୧୮ ମସିହା ଅଗଷ୍ଟ ୨୩ ତାରିଖରେ ଦାଖଲ ହୋଇଥିଲା। ପରବର୍ତ୍ତୀ ୨୦୧୬–୧୭ ଆର୍ଥିକ ବର୍ଷର ଅଡିଟ୍ ପାଇଁ ଚଳିତ ମାର୍ଚ୍ଚ ସମୟ ଧାର୍ଯ୍ୟ ହୋଇଥିବା ବେଳେ କୋଭିଡ୍‌୧୯ ପାଇଁ ଏହା ହୋଇପାରିନାହିଁ। ତେବେ ୨୦୧୮ ଅଡିଟ୍‌ରେ ଜଟଣୀ ସର୍କଲରେ ଅନାଦେୟ ହୋଇଥିବା ରାଜଭାଗ କର ନେଇ ଅଡିଟ୍‌ରେ ଦର୍ଶାଇଥିଲେ।

ମାତ୍ର ୫୦୦ ଏକର ଜମିରୁ ରାଜଭୋଗ ଆଦାୟ ହେଲା
ଶ୍ରୀମନ୍ଦିର ପ୍ରଶାସନ ଚୁପ୍, ରାଜସ୍ବ ବିଭାଗ, ସରକାର ବି

ଅନୁସନ୍ଧାନରୁ ଜଣାଯାଇଛି ଯେ ଜିଲ୍ଲାର ପ୍ରାୟ ୨୬ହଜାର ଏକର ଜମିରୁ କେବଳ ୧୫ହଜାର ଏକର ଜମିର ପଟ୍ଟା ହୋଇପାରିଛି। ଏହି ୧୫ହଜାର ଏକର ଜମିରୁ ଚଳିତ ବର୍ଷ ପ୍ରାୟ ୫୦୦ ଏକର ଜମିରୁ ରାଜଭାଗ ଆଦାୟ ହୋଇଛି। ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ରାଜସ୍ବ ଆଦାୟର ଏକ ପ୍ରମୁଖ ଭାଗ ସ୍ଥାବର ଭୂ ସମ୍ପତ୍ତିରୁ ମିଳିଥାଏ। ସ୍ଥାବର ଭୂସମ୍ପତ୍ତି ମଧ୍ୟରେ ପଥର ମୁଣ୍ତିଆର ନିଲାମ ଅର୍ଥ, ରାଜଭାଗ ଜମି ଭୋଗଦଖଲକାରୀଙ୍କ ଠାରୁ ଆଦାୟ ଅର୍ଥ ଏବଂ କାଜୁ, ନଡ଼ିଆ ଆଦି ବଗିଚା ସାମିଲ ଅଛି। ପୁରୀ ଜିଲ୍ଲା ପରେ ମହାପ୍ରଭୁ ଜଗନ୍ନାଥଙ୍କ ସର୍ବାଧିକ ଜମି ଖୋର୍ଦ୍ଧା ଜିଲ୍ଲାରେ ରହିଛି। ଜିଲ୍ଲାର ୪୫୬ଟି ଗାଁରେ ମୋଟ ୨୬,୮୧୬.୪୭୩ ଏକର ଜମି ରହିଛି। ଏହା ମଧ୍ୟରୁ ଭୁବନେଶ୍ବର, ଖୋର୍ଦ୍ଧା ଓ ଜଟଣୀରେ ୧୯୦୦ ଏକର ରାଜଭାଗ ଜମି, ତାପଙ୍ଗ, ରାମେଶ୍ବର, ଟାଙ୍ଗୀ ଆଦି ସ୍ଥାନରେ ଆଉ ବଳକା ୪୦୦୦ ଏକର ଜମି ରହିଛି।

ନିୟମ ମୁତାବକ ରାଜଭାଗ ଜମି ଭୋଗଦଖଲକାରୀଙ୍କ ଅଧୀନରେ ରହିଥାଏ। ସେମାନେ ବାଷିର୍କ ଏହି ଭୋଗଦଖଲ ବାବଦକୁ ନିର୍ଦ୍ଧାରିତ ପରିମାଣରେ ଧାନ କିମ୍ବା ତତୁଲ୍ୟ ଟଙ୍କା ଶ୍ରୀ ମନ୍ଦିର ପ୍ରଶାସନକୁ ପଇଠ କରିଥାନ୍ତି। ମିଳିଥିବା ସୂଚନାରେ, ୨୦୧୩–୧୪, ୨୦୧୪–୧୫ ଆର୍ଥିକ ବର୍ଷରେ ରାଜଭାଗ ଜମି ବାବଦକୁ ଯେତିକି ଆୟ ନିର୍ଦ୍ଧାରିତ ହୋଇଥିଲା ତାହାଠାରୁ ୨କୋଟି ୫୩ଲକ୍ଷ ୪୧ ହଜାର ୩୭୦ଟଙ୍କା କମ୍ ଆଦାୟ ହୋଇଥିଲା। ଅନାଦେୟ ରାଜଭାଗ ଦଖଲ କର ଆଦାୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ୩ଜଣ ଅଧିକାରୀଙ୍କୁ ନିଯୁକ୍ତ କରିଥିଲେ। ଏହା ସତ୍ତ୍ବେ, ୨୦୧୭–୧୮ ଆର୍ଥିକ ବର୍ଷର ଅଡିଟ୍ ବେଳକୁ ପୂର୍ବ ବକେୟା ବ୍ୟତୀତ ରାଜାଭୋଗ ଜମିରୁ ୩୯ଲକ୍ଷ ୮୦ହଜାର ୯୯୩ ଟଙ୍କା ଅନାଦେୟ ହୋଇ ରହିଥିଲା।

ପ୍ରଶ୍ନ ଉଠୁଛି, ଯେଉଁମାନେ ଦେଲେ ନାହିଁ, ସେମାନେ କାହିଁକି ଦେଲେ ନାହିଁ, ଆଦାୟ କରିବା ଲାଗି ଦାୟିତ୍ବ ନେଇଥିବା ଅଧିକାରୀମାନେ କେଉଁ ପରିସ୍ଥିତିରେ ନିରବ ରହିଲେ, ସର୍ବୋପରି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଏହା ଉପରେ କି ପଦକ୍ଷେପ ନେଇଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି କି ନାହିଁ? ଯଦି ମହାପ୍ରଭୁଙ୍କ ଅର୍ଥକୁ ହରିଲୁଟ କରାଯାଇପାରୁଛି, ଆଉ ଦଣବିଧାନ ହେଉନାହିଁ, ତେବେ ଆଉ କାହା କାହିଁକି କହିବା।

ସମ୍ବନ୍ଧିତ ଖବର