ପୁରୀ: ଠାକୁର କଥା କହି ପାରନ୍ତିନି ବୋଲି ସମସ୍ତଙ୍କର ମନମାନି ଚାଲିଛି। ଯେତେବେଳେ ଯାହା ପାରୁଛନ୍ତି, କରୁଛନ୍ତି। ନୀତିକାନ୍ତିକୁ ସମ୍ମାନ ଦେଉନାହାନ୍ତି। କେବେ ଦିନ ଦ୍ବିପହରରେ ମଙ୍ଗଳଆଳତି ହେଉଛି ତ ଆଉ କେବେ ରାତି ଅଧରେ ମଧ୍ୟାହ୍ନ ଧୂପ ହେଉଛି। ପହୁଡ଼ ତ ଅନେକ ସମୟରେ ହୁଏନି, ସାରା ରାତି ଉଜାଗର ରୁହନ୍ତି ଠାକୁର। ଗହ୍ମାପୂର୍ଣ୍ଣିମା ଜନ୍ମତିଥିରେ ମଧ୍ୟ ବଡ଼ଠାକୁରଙ୍କୁ ଛାଡ଼ିନାହାନ୍ତି। ନୀତି କିଭଳି ଶୃଙ୍ଖଳିତ ହେବ କେହି ଚାହିନାହାନ୍ତି। ବଳଭଦ୍ରଙ୍କ ଜନ୍ମ ନୀତିରେ ପାଣି ମାରା ହୋଇଯିବାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁର ରାସ୍ତା ମଝିରେ ଛିଡ଼ା ହୋଇଥିଲେ। ଯେଉଁଥିପାଇଁ ୫ରୁ ଅଧିକ ନୀତି ବାତିଲ ହେବା ସହ ଶ୍ରଦ୍ଧାଳୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଯେତେବେଳେ ଶ୍ରୀମନ୍ଦିରକୁ ଭିଭିଆଇପି ଆସୁଛନ୍ତି ତା’ ପୂର୍ବରୁ ତାଙ୍କ ଲୋକମାନେ ଆସି ଯାଞ୍ଚ କରୁଛନ୍ତି। ତାଙ୍କ ସହ ସୁରକ୍ଷାକର୍ମୀଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବାଟ କଢ଼େଇ ନେଉଛନ୍ତି। ଆସିବାଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସମସ୍ତେ ସଜାଗ ରହୁଛନ୍ତି। କିନ୍ତୁ ଠାକୁରଙ୍କୁ ଏତେ ଅବହେଳା କାହିଁକି? ଠାକୁରଙ୍କ ନୀତି ସମସ୍ତେ ଜାଣନ୍ତି। ନୀତିଶୃଙ୍ଖଳା ପାଇଁ ଏତେ ବ୍ୟବସ୍ଥା ହୋଇଛି। ଜେଟିପିଏସ୍, ସୁରକ୍ଷାକର୍ମୀ ଓ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ବଳଭଦ୍ରଙ୍କ ଜନ୍ମ ନୀତି ପାଇଁ ଠାକୁର ବାହାରିବା ପୂର୍ବରୁ କେହି ଜଣେ ଆଗୁଆ ଯାଇ କାହିଁକି ଦେଖିଲେନି, ସବୁ ପ୍ରସ୍ତୁତ ଅଛି କି ନାହିଁ ବୋଲି? ଯେଉଁଥିପାଇଁ ଏତେ ବିଭ୍ରାଟ ହେଲା। କିଛି ବର୍ଷ ହେଲା ଏଭଳି ନୀତି ବିଶୃଙ୍ଖଳା ଚାଲିଛି। ହେଲେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଏହାର ପୁନରାବୃତ୍ତି ଘଟୁଛି ବୋଲି ସେ କହିଛନ୍ତି।
ଜନ୍ମଦିନରେ ବି ଛାଡ଼ିଲେନି, ୫ ନୀତି ବାତିଲ
ପାଣି ମାରା ହେଲା ବୋଲି ଘଣ୍ଟାଏ ଛିଡ଼ା ହେଲେ
ପହୁଡ଼ ହେଲାନି, ରାତିସାରା ଉଜାଗର
ପାଣି ମାରା ହେଲା ବୋଲି ଘଣ୍ଟାଏ ଛିଡ଼ା ହେଲେ
ପହୁଡ଼ ହେଲାନି, ରାତିସାରା ଉଜାଗର
ଏଠାରେ ସୂଚାଇ ଦିଆଯାଇପାରେ, ନୀତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନରେ ୪ ଜଣ ଅଧିକାରୀ ଅଛନ୍ତି। ଠାକୁରଙ୍କର ନୀତି ଯେଭଳି ବିଶୃଙ୍ଖଳିତ ନହୁଏ ତାହା ନିଶ୍ଚିତ କରିବା ପାଇଁ ଏଭଳି ବ୍ୟବସ୍ଥା ହୋଇଛି। ଅବସର ପରେ ୩ ଜଣଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ଜଣେ ନିୟମିତ ନୀତି ପ୍ରଶାସକ ରହିଛନ୍ତି। କିନ୍ତୁ କେବଳ ନୀତିରେ ହିଁ ବିଭ୍ରାଟ ହେଉଛି। ଚଳିତ ବର୍ଷ ନୀତି ବାତିଲ୍ ହେବା ଓ ରାତି ପହୁଡ଼ ନ ହେବାରେ ରେକର୍ଡ ହୋଇଛି। ଗତବର୍ଷ ଭୋଗ ଲାଗି କରାଯାଇ ନଥିବାରୁ ଠାକୁର ଓପାସ ରହିଥିବା ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଏବର୍ଷ ମଙ୍ଗଳଆଳତି ସୂର୍ଯ୍ୟୋଦୟ ପରେ ହେଉଛି। ଏହି ନୀତି ସୂର୍ଯ୍ୟୋଦୟ ପୂର୍ବରୁ ନ ହେଲେ ଅଘଟଣ ଘଟିବା ଶାସ୍ତ୍ର କହୁଥିବା ବେଳେ କେବଳ ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ମଙ୍ଗଳଆଳତି ହାରାହାରି ୭ଟା ୧୦ ମିନିଟ୍ରେ ହେଉଛି। ତେବେ ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଏହି ନୀତିକୁ ସାଢ଼େ ୬ଟାରେ କରିବା ପାଇଁ ସୁଆର ମହାସୁଆର ନିଯୋଗ ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି।
ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀସୁଦର୍ଶନ ବିମାନରେ ଆସି ଚାରି ଆଶ୍ରମ ଯଥା ମାର୍କଣ୍ଡେୟ, ଭୃଗୁ, ଅଙ୍ଗିରା ଓ ପଣ୍ଡୁ ବୁଲିଥିଲେ। ଦୋଳମଣ୍ଡପ ସାହିରେ ଥିବା ଅଙ୍ଗିରା ଆଶ୍ରମରେ ପହଞ୍ଚିବା ବେଳକୁ ସେଠାରେ ରଖାଯାଇଥିବା ପାଣି ମାରା ହୋଇ ଯାଇଥିଲା। ପାଣି ପଡ଼ିଲେ ନୀତି ବଢ଼ିବାକୁ ଥିବାରୁ ପାଣି ଖୋଜା ଯାଇଥିଲା। କିନ୍ତୁ ପାଖଆଖରେ ପାଣି ମିଳିନଥିଲା। ପାଖରେ ଥିବା କୂଅ ବି ବ୍ୟବହାର ଉପଯୋଗୀ ନଥିଲା। ଏଣୁ ଠାକୁରଙ୍କ ବିମାନ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲା। ଏଭଳି ଅଭାବନୀୟ ଦୃଶ୍ୟ କେବେ ଦେଖାଯାଇ ନଥିଲା। ଶ୍ରୀମନ୍ଦିର ଭିତରୁ ପାଣି ଅଣାଯାଇଥିଲା। ସେଠାରୁ ପାଣି ଆସିବା ପରେ ନୀତି ବଢ଼ିଥିଲା। ଏଥିପାଇଁ ସମସ୍ତ ନୀତି ବିଳମ୍ବ ହୋଇଯାଇଥିଲା। ଠାକୁରଙ୍କ ବାହୁଡ଼ା ବିଜେ ରାତି ୩ଟା ୫୫ରେ ହୋଇଥିଲା। ମହାସ୍ନାନ ପୂଜା ୬ଟା୧୫ରେ ହୋଇଥିଲା। ରାତି ପହୁଡ଼ ମଧ୍ୟ ହୋଇ ନଥିବାରୁ ଦ୍ବାରଫିଟା ନୀତି ହୋଇ ନଥିଲା। ସକାଳ ୮ଟା ୧୫ରେ ହୋଇଥିଲା ମଙ୍ଗଳଆଳତି।