ମହାପ୍ରଭୁଙ୍କ ଭୂସମ୍ପତ୍ତି: ୬୦ହଜାର ଏକରରୁ ୨୬ହଜାରର ରେକର୍ଡ ନାହିଁ

୨୪ ଜିଲ୍ଲାର ୩୪ହଜାର ଏକର ଜମିର ଅଛି ସ୍ବତ୍ତ୍ବଲିପି
୬ ରାଜ୍ୟରେ ରହିଛି ୩୯୫ ଏକର ଜମି
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସ୍ପଷ୍ଟ ହୋଇପାରିଲାନି ଚିତ୍ର

ପୁରୀ : ମହାପ୍ରଭୁଙ୍କ ଜମି କିଣାବିକା ପାଇଁ ରାଜ୍ୟ ସରକାର କ୍ୟାବିନେଟ୍‌ ବୈଠକ ଡାକି ୟୁନିଫର୍ମ ପଲିସିରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସଂଗଠନ, ସେବାୟତ ମହଲ, ଆଇନଜୀବୀ ଯେଉଁ ପ୍ରସ୍ତାବ ରଖିଥିଲେ, ତାକୁ ଅଣଦେଖା କରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ ଧାରା ୧୬(୨) ଓ ଶ୍ରୀମନ୍ଦିର ନିୟମ ୧୯୬୦ର ନିୟମ ୧୧ରେ ପରିବର୍ତ୍ତନ ଆଣିବାକୁ ଅଡ଼ି ବସିଛନ୍ତି। କିନ୍ତୁ ନିୟମ ସଂଶୋଧନ ହେଲେ ଲୋକେ କି ସୁବିଧା ପାଇବେ, ତା’ର କିଛି ସ୍ପଷ୍ଟ ଚିତ୍ର ରଖିନାହାନ୍ତି। ଏହାକୁ ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଭଳି ସ୍ଥିତିରେ ଯେଉଁ ଜମି ପାଇଁ ରାଜ୍ୟ ସରକାର ଏତେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ସେହି ଜମିର ପୂର୍ଣ୍ଣ ହିସାବ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ କି ଆଇନ ବିଭାଗ ପାଖରେ ନାହିଁ। ଯାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

୨୦୧୮ରେ ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ଜମିଜମା ସଂପର୍କିତ ରିପୋର୍ଟ ମାଗିଥିଲେ, ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନାମରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଦର୍ଶାଇଥିଲା। କିନ୍ତୁ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିରୁ ମାତ୍ର ୩୪,୨୦୦.୯୭୬ ଏକର ଜମିର ସ୍ବତ୍ତ୍ବଲିପି(ରେକର୍ଡ ଅଫ୍‌ ରାଇଟ୍‌ସ) ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କୁ ଦର୍ଶାଇଥିଲା। ଏହି ସୂଚନା ପରେ ସୁପ୍ରିମ‌କୋର୍ଟ ବାକି ଜମିର ସ୍ବତ୍ତ୍ବଲିପିର ପ୍ରମାଣପତ୍ର ୬ ମାସ ଭିତରେ ଜମା ଦେବାକୁ କହିଥିଲେ। କିନ୍ତୁ ଅଦ୍ୟାବଧି ଏ ସଂପର୍କରେ ସୁପ୍ରିମକୋର୍ଟଙ୍କୁ ବାକି ଜମିର ସୂଚନା କିଛି ପ୍ରଦାନ କରାଯାଇନି। ପରେ ୨୦୧୮ ମସିହା ଓ ୨୦୧୯ ମସିହା ବିଧାନସଭା ଅଧିବେଶନରେ ଏ ସଂପର୍କରେ ବାରମ୍ବାର ଆଲୋଚନା ହୋଇଛି ଓ ବିଭିନ୍ନ ଦଳର ବିଧାୟକମାନେ ଏ ସଂପର୍କରେ ବାରମ୍ବାର ପ୍ରଶ୍ନ କରିଛନ୍ତି। ୨୦୧୮ ମସିହାରେ ବିଧାନସଭା ଅଧିବେଶନରେ ୨୩ଟି ଜିଲ୍ଲାରେ ମହାପ୍ରଭୁଙ୍କ ୬୦,୪୧୮.୩୫୩ ଏକର ଜମି ରହିଥିବା ଓ ଏଥିରୁ ୩୩,୮୪୩.୬୪୩ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ଼ କରାଯାଇଥିବା ଦର୍ଶାଯାଇଥିଲା।

୨୦୧୯ ମସିହା ‌ଅଧିବେଶନରେ ଶେଷଥର ମହାପ୍ରଭୁଙ୍କ ଜମିଜମା ସଂପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା। ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖି କହିଥିଲେ ଯେ ରାଜ୍ୟର ୨୪ଟି ଜିଲ୍ଲାରେ ମହାପ୍ରଭୁଙ୍କ ୬୦,୪୨୬.୯୪୩ ଏକର ଜମି ଓ ରାଜ୍ୟ ବାହାରେ ୬ଟି ରାଜ୍ୟରେ ୩୯୫.୨୫୨ ଏକର ଚିହ୍ନଟ ହୋଇଛି। ରାଜ୍ୟ ବାହାରେ ୬ଟି ରାଜ୍ୟରେ ଚିହ୍ନଟ ଜମିରୁ ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨.୯୩୦ ଏକର ଜମି ରହିଛି। ସେହିଭଳି ମହାରାଷ୍ଟରେ ୨୮.୨୧୮ ଏକର, ମଧ୍ୟପ୍ରଦେଶରେ ୨୫.୧୧୦ ଏକର, ଆନ୍ଧ୍ରପ୍ରଦେଶରେ ୧୭.୦୨୦ ଏକର, ଛତିଶଗଡ଼ରେ ୧.୭୦୦ ଏକର ଓ ବିହାରରେ ୦.୨୭୪ ଏକର ଜମି ରହିଛି। ସେହିଭଳି ରାଜ୍ୟ ଭିତରେ ଚିହ୍ନଟ ଜମିରୁ ଖୋର୍ଦ୍ଧା ଜିଲ୍ଲାରେ ୫୮୨.୨୫୫ ଏକର ଜମି ରହିଛି। ଯାହା ଓଡ଼ିଶା କାଜୁ ଉନ୍ନୟନ ନିଗମକୁ ଲିଜ୍‌ ଆକାରରେ ପ୍ରଦାନ କରାଯାଇଛି। ସଂକ୍ଷପରେ କହିଲେ ୬୦,୪୨୬.୯୪୩ ଏକର ଜମିରୁ ୩୪,୮୭୬.୯୮୩ ଏକର ଜମିର ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ବାକି ୨୬,୨୨୫.୯୬୭ ଏକର ଜମିର ସ୍ବତ୍ତ୍ବଲିପି ଉପଲବ୍ଧ ନାହିଁ। ରାଜ୍ୟ ବାହାରେ ଯେଉଁ ଜମି ରହିଛି, ତାର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବା ଶ୍ରୀ ଜେନା ସୂଚନା ଦେଇଥିଲେ।

ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ଜମିର କିଣାବିକା ପାଇଁ ୨୦୧୯ ୟୁନିଫର୍ମ ପଲିସିରେ ଧାର୍ଯ୍ୟ ଦରକୁ ପରିବର୍ତ୍ତନ ନ କରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ ଧାରା ୧୬(୨) ଓ ଶ୍ରୀମନ୍ଦିର ନିୟମ ୧୯୬୦ର ନିୟମ ୧୧ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏ ଉପରେ ଉଚ୍ଚସ୍ତରୀୟ ବୈଠକ ଡାକି ଚୂଡ଼ାନ୍ତ ଅଧ୍ୟାଦେଶ ଜାରି କରିବ ବୋଲି ଜଣାପଡ଼ିଛି। ଏହି ଆଇନ ସଂଶୋଧନ ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜମି କିଣାବିକା, ଲିଜ୍‌, ବନ୍ଧକ ଆଦିର କ୍ଷମତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ଆଲୋଚନାରେ ୨୦୦୩ ୟୁନିଫର୍ମ ପଲିସି ଆଧାରରେ ଜମି କିଣାବିକା ପାଇଁ ପ୍ରସ୍ତାବ ଆସିଥିଲା। ଏହାକୁ ସରକାର ଗ୍ରହଣ କରିନାହାନ୍ତି। ପୂର୍ବ ଦର ଅପରିବର୍ତ୍ତିତ ରଖି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ କ୍ଷମତା ଦେବାକୁ ଯୋଜନା କରିଛି। ଯାହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଜନସାଧାରଣ। ଆଗ ସଂପୂର୍ଣ୍ଣ ଜମି ଚିହ୍ନଟ କର ଏବଂ ପରେ ଶ୍ରୀମନ୍ଦିର ଆଇନ ଓ ନିୟମ ପରିବର୍ତ୍ତନ କଥା ଚିନ୍ତା କରିବ ବୋଲି ପୁରୀର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର