ଗିଳିଦେଲେଣି ମହାପ୍ରଭୁଙ୍କ ସଂପତ୍ତି

୪୦୦ ଏକର ସଂପତ୍ତିର ଖବର ନାହିଁ

ରାଜଭାଗ ବି ଆଦାୟ ହେଉନି
ଏଜେଣ୍ଡାରେ ପୁରୀ, ତଥାପି ସରକାର ଚୁପ୍‌

ଭୁବନେଶ୍ୱର : ମହାପ୍ରଭୁଙ୍କ କୋଟି କୋଟି ଟଙ୍କାର ସଂପତ୍ତିକୁ କିଛି ବ୍ୟକ୍ତି ଗିଳି ହଜମ କରିଦେଇଛନ୍ତି। ଆଉ କିଛି ମାଡ଼ି ବସିଛନ୍ତି। ରାଜଭାଗ ମଧ୍ୟ ଦେବାକୁ ଚାହୁଁନାହାନ୍ତି।

ପୁରୀକୁ ସର୍ବାଧିକ ଗୁରୁତ୍ୱ ଦେଇ ନିକଟରେ ରାଜ୍ୟ ସରକାର ସେଠାରେ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକ ଡାକିଥିଲେ। ପୁରୀରୁ ସରକାର ଦଳ ଆସନ୍ତା ନିର୍ବାଚନ ପାଇଁ ଶଙ୍ଖ ଫୁଙ୍କିଛି। ସାତ ଦିନ ଅନ୍ତରରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ପୁରୀ ଶ୍ରୀମନ୍ଦିର ଗସ୍ତ କରି ମହାପ୍ରଭୁଙ୍କୁ ଆଶୀର୍ବାଦ କାମନା କରିଛନ୍ତି। ମହାପ୍ରଭୁଙ୍କୁ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ କଣ ଏୟା? ଶ୍ରୀଜଗନ୍ନାଥଙ୍କ ସଂପତ୍ତି ହଡ଼ପ ହେବ, ସରକାର ଚୁପ୍‌ ବସିବେ?

ତଥ୍ୟ ଅନୁସାରେ, ଦୁଇ କି ଚାରି ଜିଲ୍ଲା ନୁହେଁ, ରାଜ୍ୟର ୨୩ଟି ଜିଲ୍ଲା ଓ ୬ଟି ରାଜ୍ୟରେ ମହାପ୍ରଭୁଙ୍କର ସମୁଦାୟ ୫୯ ହଜାର ୫୨୬ ଏକର ୧୯ ଡେସିମିଲ ସଂପତ୍ତି ରହିଛି। ଏ ମଧ୍ୟରୁ ପାଖାପାଖି ୪୦୦ ଏକର ଜମି କେଉଁଠି ଅଛି, ତାହା କେହି ଏଯାଏ ଜାଣିପାରୁନାହାନ୍ତି। ସମ୍ଭବତଃ ମହାପ୍ରଭୁଙ୍କ ସଂପତ୍ତିକୁ କେହି ଗିଳିଦେଇ ନିଜ ନାମରେ କରିସାରିଲେଣି। ଚିହ୍ନଟ ହୋଇଥିବା ୫୯ ହଜାର ୧୩୦ ଏକର ୯୩୮ ଡେସିମିଲ ଜମି ମଧ୍ୟରୁ ଅଧା ସଂପତ୍ତି ବି ମହାପ୍ରଭୁଙ୍କ ନାମରେ ନାହିଁ। ଖୋଳତାଡ଼ରୁ ଜଣାପଡୁଛି ଯେ କେବଳ ୩୦ ହଜାର ୪୧୨ ଏକର ୨୨୮ ଡେସିମିଲ ଜମି ମହାପ୍ରଭୁଙ୍କ ନାଁରେ ରହିଛି। ବକେୟା ପାଖାପାଖି ୨୮ ହଜାର ୭୧୮ ଏକର ୭୧୦ ଡେସିମିଲ ଜମିର ରେକର୍ଡ ଅଫ୍‌ ରାଇଟ୍‌ସ ବା ଜମି ସତ୍ତ୍ୱାଧିକାର ସଂଶୋଧନ ହୋଇପାରିନାହିଁ। ଏ ମଧ୍ୟରେ କେନ୍ଦୁଝରରେ ୧୨ ଏକର ୨୦ ଡେସିମିଲ, ମୟୂରଭଂଜରେ ୫୭ ଏକର ୯୭୦ ଡେସିମିଲ, ସୁନ୍ଦରଗଡ଼ରେ ୪୫ ଏକର ୪୫୦ ଡେସିମିଲ ଜମି ରହିଛି। କେବଳ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ମହାପ୍ରଭୁଙ୍କ ସବୁ ସଂପତ୍ତି ତାଙ୍କ ନାମରେ କରାଯାଇପାରିଛି।

ମହାପ୍ରଭୁଙ୍କ ନାମକୁ ଆସିପାରିନଥିବା ୨୮ ହଜାର ୭୧୮ ଏକର ୭୧୦ ଡେସିମିଲ ଜମି ଏବେ ବି ଅନ୍ୟମାନଙ୍କ ନାଁରେ ଅଛି। ସେମାନଙ୍କ ଦଖଲରେ ବି ଏସବୁ ଜମି ରହିଛି। ଏହି ଜମିକୁ ଉଦ୍ଧାର କରିବା ଲାଗି କେଉଁସ୍ତରରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି? ନିର୍ଦିଷ୍ଟ କେଉଁ ଅଧିକାରୀଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି? ମହାପ୍ରଭୁଙ୍କ ଜମି ବୋଲି କଣ ସରକାର ବେଫିକର?

କେବଳ ସେତିକି ନୁହେଁ, ମହାପ୍ରଭୁଙ୍କ ଜମିକୁ ଯେଉଁମାନେ ଚାଷ କରୁଛନ୍ତି ବା ବ୍ୟବହାର କରୁଛନ୍ତି, ସେମାନେ ଫି ବର୍ଷ ରାଜଭାଗ ଦେବା କଥା। ମାତ୍ର ଏ କ୍ଷେତ୍ରରେ ବି ସର୍ବନିମ୍ନ ଉଦ୍ୟମ ହୋଇନାହିଁ। ତଥ୍ୟ କହୁଛି, ମାତ୍ର ୬୬୩୮ ଏକର ୭୮୩ ଡେସିମିଲ ଜମିରୁ ରାଜଭାଗ ଆଦାୟ ହେଉଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବରଗଡ଼,ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ସୋନପୁର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼ ଓ କଳାହାଣ୍ଡି ଭଳି ୧୩ଟି ଜିଲ୍ଲାର ୧୪୪୮ ଏକର ୧୪୯ ଡେସିମିଲ ଜମିରୁ ରାଜଭାଗ ଆଦାୟ କରିବା ଲାଗି କେହି ଦାବି କରୁନାହାନ୍ତି। ଆନ୍ଧ୍ରପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରେ ଥିବା ପ୍ରାୟ ୩୯୫ ଏକର ୨୫୨ ଡେସିମିଲ ଜମିରୁ ବି ରାଜଭାଗ ଆଦାୟ ହୋଇପାରୁନାହିଁ।

ସବୁଠାରୁ ବଡ଼ କଥା ହେଉଛି, ମହାପ୍ରଭୁଙ୍କ ସଂପତ୍ତିକୁ ଭୋଗ ଦଖଲ କରି ରାଜଭାଗ ଦେଇନଥିବା ବ୍ୟକ୍ତିଙ୍କ ବିରୋଧରେ କେବେ କଠୋର କାର୍ଯ୍ୟାନୁଷ୍ଠାନ ସରକାର ନେଇନାହାନ୍ତି। ଥରୁଟିଏ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସମୀକ୍ଷା କରିବା ଲାଗି ବି ଆଗ୍ରହ ଦେଖାଇନାହାନ୍ତି।

ସରକାରୀ ରେକର୍ଡରେ ତଥ୍ୟ ନାହିଁ!

ବିଭିନ୍ନ ଅଦାଲତରେ ଗଡ଼ୁଛି ୧୫ ହଜାରରୁ ଅଧିକ ମାମଲା

କଟକ : ଶ୍ରୀ ଜଗନ୍ନାଥଙ୍କ ନାମରେ କେତେ ଭୂସଂପତ୍ତି ରହିଛି, ସେଥିରୁ କେତେ ଜବର ଦଖଲରେ ଅଛି, ସେ ତଥ୍ୟ ସରକାରୀ ରେକର୍ଡରେ ଉପଲବ୍ଧ ନାହିଁ। ଶ୍ରୀ ଜଗନ୍ନାଥଙ୍କ ସଂପତ୍ତିର ସୁରକ୍ଷାକୁ ନେଇ ବାରମ୍ବାର ଦ୍ୱାହି ଦିଆଯାଉଥିବା ବେଳେ ସରକାରୀ ଅଫିସରେ ଏ ସଂପର୍କିତ ରେକର୍ଡ ନରହିବା ଘଟଣା ଅନେକଙ୍କୁ ଚକିତ କରିଛି। ଜଣେ ଆଇନଜୀବୀ ଏ ସଂକ୍ରାନ୍ତରେ ସୂଚନା ପାଇବାକୁ ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମେତ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ତଥ୍ୟ ଲୋଡି ନିରାଶ ହୋଇଛନ୍ତି।

କେଉଁଠି ବି ଏ ସଂପର୍କିତ ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ସ୍ପଷ୍ଟ ହୋଇଛି। ଶ୍ରୀ ଜଗନ୍ନାଥଙ୍କ ସଂପତ୍ତିକୁ ନେଇ ବିଭିନ୍ନ ଅଦାଲତରେ ଏବେ ୧୫ ହଜାରରୁ ଅଧିକ ମାମଲା ଗଡ଼ୁଛି। ଅନେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ କବ୍‌ଜାରେ ଶ୍ରୀ ଜଗନ୍ନାଥଙ୍କ ଭୂସଂପତ୍ତି ରହିଥିବା ବେଳେ ସେଗୁଡିକର ମାଲିକାନା ପରିବର୍ତ୍ତନ କରି କବଲା ଓ ପଟ୍ଟା ବାହାର କରିବାକୁ ତହସିଲ ସ୍ତରରେ ଉଦ୍ୟମ ହୋଇଆସୁଛି। କିନ୍ତୁ ଏ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ରେକର୍ଡ ପ୍ରସ୍ତୁତ କରି ଶ୍ରୀଜଗନ୍ନାଥଙ୍କ ଭୂସଂପତ୍ତିକୁୁ ଜବରଦଖଲ ମୁକ୍ତ କରିବାରେ ସରକାରୀସ୍ତରରେ ନିଷ୍କ୍ରିୟତା ଧରା ପଡି ଯାଇଛି।

ସୂଚନା ଅନୁଯାୟୀ କଟକର ଆଇନଜୀବୀ ସୁଶୀଲ କୁମାର ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ଭୂସଂପତ୍ତି ସଂପର୍କରେ ତଥ୍ୟ ପାଇଁ ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ୨୦୧୭, ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ। ମାସକ ପରେ ତାଙ୍କୁ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରୁ ଉତ୍ତର ମିଳିଥିଲା। ଉତ୍ତରାଞ୍ଚଳ ଆରଡିସିଙ୍କ ଅଧୀନରେ ଥିବା ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏ ସଂପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେଥିରେ ସୂଚନା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ସମୟ ବିତି ଯାଇଥିଲେ ବି ଆଉ କୌଣସି ପ୍ରକାର ତଥ୍ୟ ମିଳିଲା ନାହିଁ। ଅନ୍ୟପଟେ ଏ ସଂପର୍କିତ ଉତ୍ତର ପାଇଁ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟକୁ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରୁ ଚିଠି ଯାଇଥିଲା। ଆଇନଜୀବୀ ଶ୍ରୀ ମହାପାତ୍ର କେନ୍ଦ୍ରାଞ୍ଚଳ ଆରଡିସିରେ ବି ସୂଚନା ଅଧିକାରରେ ତଥ୍ୟ ଲୋଡିଲେ। କିନ୍ତୁ ଏ ସଂପର୍କରେ ତଥ୍ୟ ପୁରୀ ଶ୍ରୀ ମନ୍ଦିର କାର୍ଯ୍ୟାଳୟରୁ ମିଳିବ ବୋଲି କୁହାଗଲା। ସେହି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଚିଠି ମଧ୍ୟ ଲେଖାଗଲା। ଶ୍ରୀ ମହାପାତ୍ର ବି ନିଜ ପଟୁ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ଏ ସଂପର୍କିତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନରେ ତଥ୍ୟ ଲୋଡିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଭୂ ସଂପତ୍ତି ସଂପର୍କରେ କୌଣସି ସୂଚନା ମିଳି ପାରି ନାହିଁ। ଏହାକୁ ନେଇ ଶ୍ରୀ ମହାପାତ୍ର ଆଇନ ବିଭାଗ, ରାଜସ୍ୱ ପର୍ଷଦଙ୍କ ଦ୍ୱାରସ୍ଥ ହୋଇଥିଲେ ବି ସବୁଠି କେବଳ ତଥ୍ୟ ପ୍ରଦାନ ପାଇଁ ଚିଠି ଦିଆନିଆ ଚାଲିଛି। ପାଖାପାଖି ୫ ମାସ ଭିତରେ କୌଣସି ଗୋଟିଏ ବି ତଥ୍ୟ ମିଳିପାରି ନାହିଁ।

ପୁରୀ ସମେତ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଖୋର୍ଦ୍ଧା ଭଳି ଜିଲ୍ଲାରେ ଶ୍ରୀ ଜଗନ୍ନାଥଙ୍କର ଅଧିକ ସଂପତ୍ତି ରହିଥିବା ବେଳେ ସେଥିରୁ ଅଧିକାଂଶ ଜବରଦଖଲକାରୀଙ୍କ କବଜାରେ ରହିଛି। କିନ୍ତୁ କେନ୍ଦ୍ରାଞ୍ଚଳ ଆରଡିସି ସ୍ତରରେ ସଂପତ୍ତି ଉଦ୍ଧାର ପାଇଁ କୌଣସି ଉଦ୍ୟମ ନହେବା ଏବଂ ଏହାର ବିଧିବଦ୍ଧ ରେକର୍ଡ ପ୍ରସ୍ତୁତ କରା ନଯିବା ଘଟଣା ଉଦବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର