ପୁଣି ସେଇ ଅବ୍ୟବସ୍ଥା : ବ୍ୟବସ୍ଥାବଳୀକୁ ମାନିଲେନି

ସ୍ନାନବେଦୀରୁ ତୁଳସୀ, ଗାଧୁଆ ପାଣି ବାଣ୍ଟିଲେ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଡେରା ପକାଇ ଠିଆହେଲେ, ଗଜପତିଙ୍କୁ ବି ଛେରା ପହଁରା ପାଇଁ ବାଟ ଛାଡ଼ିଲେନି, ଗରା, ଥାଳି, ଢାଳ ଲଗାଇ ସ୍ନାନପାଣି ନେଇଗଲେ

ପୁରୀ : ଚଳିତ ବର୍ଷ ବି ସ୍ନାନଯାତ୍ରାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଛତିଶାନିଯୋଗ, ପରିଚାଳନା କମିଟିରେ ପାରିତ ବ୍ୟବସ୍ଥାବଳୀକୁ ସେବାୟତମାନେ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ସ୍ନାନ ବେଦୀରେ ଛିଡ଼ା ହୋଇ ଖୋଲାଖୋଲି ତୁଳସୀ, ଗାଧୁଆ ପାଣି ବାଣ୍ଟିବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ‌ ଡେରା ପକାଇ ଓ ଆଗରେ ଛିଡ଼ା ହୋଇ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ କରିଛନ୍ତି। ସ୍ନାନ ବେଦୀଠାରେ ମହାପ୍ରଭୁଙ୍କ ପଛପାଖ କାନ୍ଥରେ ବସି ଭକ୍ତିଭାବ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ଗଜପତି ମହାରାଜ ଛେରା ପହଁରା ପାଇଁ ଯିବା ସମୟରେ ସେବାୟତଙ୍କ ଭିଡ଼ ଯୋଗୁ ଅସୁବିଧା ବି ଭୋଗିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟିର ଅନୁମୋଦନକ୍ରମେ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଛି। କେଉଁପ୍ରକାରେ ମହାପ୍ରଭୁଙ୍କ ସେବା ନୀତି ସଂପାଦନ ହେବ, ଏହି ‌ବ୍ୟବସ୍ଥାବଳୀରେ ସଂପୂର୍ଣ୍ଣ ଉଲ୍ଲେଖ ରହିଛି। ସ୍ନାନଯାତ୍ରା ପାଇଁ ୩୮ଟିକିଆ ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ। ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ ସମୟରେ କେବଳ ନୀତି ସଂପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତର କାଠ ପାଖରେ ଉପସ୍ଥିତ ରହିବେ। ପହଣ୍ଡି ବିଜେ ସମୟରେ ଟାହିଆ ସୁରକ୍ଷା ଦାୟିତ୍ବ ଦଇତାପତି ସେବକମାନଙ୍କୁ ଦିଆଯାଇଛି। ପହଣ୍ଡି ସମୟରେ କର୍ଡନ୍‌ ଭିତରେ ଦଇତାପତି ଓ ଆବଶ୍ୟକ ସଂଖ୍ୟକ ନୀତି ସଂପୃକ୍ତ ସେବକ ରହିବେ। ଶ୍ରୀଜିଉଙ୍କୁ ଭକ୍ତ ସ୍ପର୍ଶ କରି ପାରିବେନି। ଦଇତାପତି ନିଯୋଗ, ପ୍ରତିହାରୀ ନିଯୋଗ, ୪ ବାଡ଼ଗ୍ରାହୀଙ୍କୁ ଏହାର ନିରୀକ୍ଷଣ ଦାୟିତ୍ବ ଦିଆଯାଇଛି। ସ୍ନାନମଣ୍ଡପରେ ରୁନ୍ଧା ସରିବା ପରେ ଠାକୁରଙ୍କ ସମ୍ମୁଖରେ କେହି ରହିବେ ନାହିଁ। ମହାପ୍ରଭୁଙ୍କ ଶ୍ରୀଭୁଜ ଅବା କୌଣସି ଅଙ୍ଗରେ କେହି ଭରା ଦେବେ ନାହିଁ। ଏହାର ନିରୀକ୍ଷଣ ଦାୟିତ୍ବ ୪ ବାଡ଼ଗ୍ରାହୀମାନଙ୍କୁ ଦିଆଯାଇଛି। ଜଳ ବିଜେ, ଜଳପୂଜା ବେଳେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ା ଉପରେ କଟକଣା ଜାରି କରାଯାଇଛି। ଜଳ ବିଜେ କିମ୍ବା ଜଳପୂଜା ସମୟରେ କୌଣସି ସେବକ ଶ୍ରୀଜିଉଙ୍କ ପ୍ରଭା ଉପରେ ଅବା ପ୍ରଭା ପାର୍ଶ୍ବ କାନ୍ଥରେ ବସି ପାରିବେ ନାହିଁ। ସ୍ନାନଜଳ ବସିବା ସମୟରେ ଏବଂ ଜଳଲାଗି ସମୟରେ ଗରାବଡ଼ୁ ସେବକ ଜଳଗଡ଼ୁ ସ୍ପର୍ଶ କରିପାରିବେ। କେବଳ ପୂଜାପଣ୍ଡା ପିଙ୍ଗଣ ଜଳରେ ଶ୍ରୀବିଗ୍ରହଙ୍କୁ ସ୍ନାନ କରାଇବେ। ସ୍ନାନ ମଣ୍ଡପ ବାଡ଼ ପାର୍ଶ୍ବରେ ଠିଆ ହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରିବା କିମ୍ବା ତୁଳସୀ ଆଦି ବାଣ୍ଟିବାରୁ ସେବକମାନେ ନିବୃତ୍ତ ରହିବେ। ଶ୍ରୀଜିଉଙ୍କ ସମ୍ମୁଖରେ କେହି ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଦଇତାପତି ନିଯୋଗ ସଭାପତି, ସଂପାଦକ, ୪ ବାଡ଼ଗ୍ରାହୀ ଏବଂ ପ୍ରତିହାରୀ ସେବକମାନଙ୍କୁ ଏହାର ନିରୀକ୍ଷଣ ଦାୟିତ୍ବ ଦିଆଯାଇଛି।

ଆଜି କିନ୍ତୁ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି। ଶ୍ରୀଜିଉଙ୍କ ପ୍ରଭା ଉପରେ ଓ ପ୍ରଭା ପାର୍ଶ୍ବ କାନ୍ଥରେ ସେବକମାନେ ବସି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ଏକାଧିକ ସେବକ ସ୍ନାନମଣ୍ଡପରେ ଛିଡ଼ା ହୋଇ ଭକ୍ତଙ୍କୁ ତୁଳସୀ ବାଣ୍ଟିବା ସହ ଦାନଦକ୍ଷିଣା ବି ଗ୍ରହଣ କରିଛନ୍ତି। ଗାଧୁଆ ପାଣି ଭକ୍ତଙ୍କୁ ଦେଇ ଦାନଦକ୍ଷିଣା ନେଇଛନ୍ତି। ଏମାନଙ୍କ ମଧ୍ୟରେ ଜଣାଶୁଣା ସେବାୟତ ବି ରହିଛନ୍ତି। ମହାପ୍ରଭୁଙ୍କ ସ୍ନାନ ବେଳେ ଗରା, ଢ଼ାଳ, ଥାଳି ଲଗାଇ ସ୍ନାନ ଜଳକୁ ନେବାର ଦୃଶ୍ୟ ଭକ୍ତ, ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଛି। ଏଥିପାଇଁ ମହାପ୍ରଭୁଙ୍କ ସ୍ନାନ ପାଇଁ ଆସୁଥିବା ସୁବାସିତ ଗରା ଜଳ ଆସିବାରେ ବାଧା ଉପୁଜିଥିଲା। ସେବା ସହ ସଂପୃକ୍ତ ସେବକମାନଙ୍କୁ ସ୍ନାନ ବେଦୀ ଭିତରକୁ ଯିବାକୁ ଅନୁମତି ଥିବାବେଳେ ସେବାୟତମାନେ ନିଜ ନିଜ ପରିବାର ଲୋକଙ୍କୁ ଏଠାକୁ ନେଇଯିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଗତବର୍ଷ ଏଭଳି ବିଶୃଙ୍ଖଳା ପାଇଁ ୪୦ରୁ ଅଧିକ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ସମ୍ବନ୍ଧିତ ଖବର