ପବିତ୍ର ବିଜୟା ଦଶମୀ ତିଥିରେ ସୁନାବେଶରେ ଦର୍ଶନ ଦେଲେ ମହାବାହୁ

ପୁରୀ : ପବିତ୍ର ବିଜୟା ଦଶମୀ ତିଥିରେ ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ଏହି ଅବସରରେ ମହାପ୍ରଭୁଙ୍କ ଆୟୁଧ ପୂଜା ହୋଇଥିଲା। ଏହି ପବିତ୍ର ଦିନରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ପରମ୍ପରା ଅନୁଯାୟୀ, ବିଜୟା ଦଶମୀରେ ଅବକାଶ ବଢ଼ିବା ପରେ ଚନ୍ଦନଲାଗି ହୋଇଥିଲା। ପରେ ନୂଆ ଲୁଗା ଲାଗି ହୋଇ ମହାପ୍ରଭୁଙ୍କ ବଡ଼ ତଢ଼ାଉ ବା ସୁନାବେଶ ହୋଇଥିଲା। ଏହି ବେଶରେ ୫ଟି ଆଜ୍ଞାମାଳ ଲାଗି ହୋଇଥିଲା। ପାଣି ପଡ଼ି ଗୋପାଳବଲ୍ଲଭ ବଢ଼ିବା ପରେ ସକାଳ ଧୂପ ହୋଇଥିଲା। ଏହା ପୂର୍ବରୁ ଭଣ୍ଡାର ଦ୍ୱାର ଠାରେ ଆୟୁଧ ପୂଜାରେ ବସିଥିଲା। ଏହି ଆୟୁଧକୁ ସେଠାରେ ମହାସ୍ନାନ କରାଯାଇ ବରୁଣ ପୂଜା କରାଯାଇଥିଲା। ୩ଟି ରୁପାଥାଳିରେ ୬ ଜଣ ମେକାପ ଆୟୁଧମାନ ରଖି ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ୩ ବେଢ଼ା ବୁଲିଥିଲେ।

ପରେ ଆୟୁଧ ରତ୍ନ ସିଂହାସନକୁ ବିଜେ କରିଥିଲେ। ବଡ଼ବାଡ଼ରେ ହଳ ମୁଷଳ ଲାଗି ହୋଇଥିବା ବେଳେ ମା’ ସୁଭଦ୍ରାଙ୍କୁ ତଡ଼ଗୀ ଓ ମହାପ୍ରଭୁଙ୍କୁ ଶଙ୍ଖଚକ୍ର ଲାଗି ହୋଇଥିଲା। ଏହି ସମୟରେ ଦକ୍ଷିଣୀ ଘରଠାରେ ମଦନମୋହନ ଓ ରାମକୃଷ୍ଣ ମହାଖଳାକୁ ଯିବା ପାଇଁ ବୀର ବେଶରେ ପ୍ରସ୍ତୁତ ରହିଥିଲେ। ଭିତରେ ଆଳତି ଲାଗି ପରେ ଦକ୍ଷିଣୀ ଘର ମଦନ ମୋହନ, ରାମକୃଷ୍ଣ ଓ ଭଣ୍ଡାରରୁ ଦୁର୍ଗା-ମାଧବ ଭିତର ସିଂହାସନକୁ ବିଜେ କରିଥିଲେ। ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ମଙ୍ଗଳାର୍ପଣ କରିବା ପରେ ପୂଜାପଣ୍ଡା ମହାଜନଙ୍କ ହାତରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ଆଜ୍ଞାମାଳ ପାଇବା ପରେ ବଟବୃକ୍ଷ ମୂଳେ ଥିବା ପାଲିଙ୍କିରେ ରାମକୃଷ୍ଣ ଓ ରଥରେ ଦୁର୍ଗା-ମାଧବ ଏବଂ ବିମାନରେ ମଦନମୋହନଙ୍କୁ ବିଜେ କରାଇଥିଲେ। ରୁନ୍ଧା ସରିବା ପରେ ଠାକୁରମାନେ ମହାଖଳାକୁ ଯାତ୍ରା କରିଥିଲେ। ଏଠାରେ ଠାକୁରଙ୍କୁ ପ୍ରସାଦ ଲାଗି ହେବା ପରେ ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥିଲା। ପରେ ଠାକୁରମାନେ ବାହୁଡ଼ା ବିଜେ କରିଥିଲେ। ଭୋଗମଣ୍ଡପ ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସମ୍ବନ୍ଧିତ ଖବର