ସରିଲା ନୀଲାଦ୍ରି ବିଜେ; ରତ୍ନସିଂହାସନରେ ବିରାଜିଲେ ଶ୍ରୀଜିଉ

ପୁରୀ:  ନବ ଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜିଉମାନେ ନୀଳାଦ୍ରି ବିଜେ କରିଛନ୍ତି। ଶ୍ରୀଜିଉମାନେ ନୀଳାଦ୍ରି ବିଜେ ଅବସରରେ ରତ୍ନବେଦୀରେ ବିରାଜମାନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି। ରଥଯାତ୍ରା ଶେଷ କରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିଛନ୍ତି। ପ୍ରଥମେ ମଦନମୋହନ ଓ ପରେ ରାମକୃଷ୍ଣଙ୍କୁ ରତ୍ନସିଂହାସନରେ ବିରାଜମାନ କରାଯିବା ପରେ କ୍ରମାନ୍ବୟରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇଥିଲା।

ନୀଳାଦ୍ରି ବିଜେର ସବୁଠାରୁ ଆକର୍ଷଣୀୟ ପର୍ବ ହେଉଛି ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବା କାର୍ଯ୍ୟକ୍ରମ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ନୀଳାଦ୍ରି ବିଜେ ଅବସରରେ ବଡ଼ଦାଣ୍ଡ ଉଛୁଳିପଡିଥିଲା। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଲାଗି ରହିଥିଲା। ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରି ନିଜକୁ ଧନ୍ୟ ମଣୁଥିଲେ।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୫ଟାରେ ବେଶଶେଷ ହୋଇଥିଲା। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ୩ଟା ୫୦ରେ ପୁଷ୍ପାଞ୍ଜଳି ଦିଆଯାଇଥିଲା। ଏହା ପରେ ପହଣ୍ଡି ଆରମ୍ଭ ହେବ। ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଅପରାହ୍ଣ ଗୋଟାଏରେ ଦଇତାପତି ସର୍ବାଙ୍ଗ, ଗୋଟାଏ ୧୦ରେ ଶ୍ରୀମୁଖ ଖଣ୍ଡୁଆ, ରାତି ଗୋଟାଏ ୧୫ରୁ ୨ଟା ୧୫ ଚାରମାଳ ପିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀମୁଖ ଖଣ୍ଡୁଆ ମଇଲମ ପରେ ରାତି ୨ଟା ୪୫ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା ୧୦ ସୁଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢ଼େ ୩ଟାରେ ମହାସ୍ନାନ ଶେଷ ହେବ। ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତି ପହୁଡ଼ ହେବ।

ସମ୍ବନ୍ଧିତ ଖବର