ପୁରୀ: କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଓଡ଼ିଆ ଘର ଭଳି ପଢ଼ୁଆଁ ହୋଇଛନ୍ତି। ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ପ୍ରଥମାଷ୍ଟମୀ ନୀତି ପାଳିତ ହୋଇଛି। ମହାପ୍ରଭୁ ପାଟ ବସ୍ତ୍ର ପରିଧାନ କରିଛନ୍ତି। ଏଥିସହ ପ୍ରତ୍ୟେକ ଘରେ ଜ୍ୟେଷ୍ଠମାନେ ମାମୁଁ ଘରୁ ଆସିଥିବା ନୂଆ ବସ୍ତ୍ର ପରିଧାନ କରି ପୂଜା ପାଇଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଆଦି ଦେବତା ହୋଇଥିବାରୁ ‘ବଡ଼’ ମାନ୍ୟ। ତେଣୁ ଆଜି ମହାପ୍ରଭୁ ଏହି ମାନ୍ୟରେ ପ୍ରଥମାଷ୍ଟମୀ ପାଳିଛନ୍ତି। ରାତି ୨ଟା ୨୦ରେ ରାତି ପହୁଡ଼ ହୋଇଥିଲେ ହେଁ ଆଜି ସକାଳ ୬ଟା ୫ରେ ଦ୍ୱାରଫିଟା, ୬ଟା ୪୦ରେ ଭିତରଶୋଧ, ୬ଟା ୫୦ରେ ମଙ୍ଗଳଆଳତି, ୬ଟା ୫୫ରେ ମଇଲମ ବଢି ୭ଟା ୧୫ରେ ତଡପଲାଗି ହୋଇଥିଲା। ୨ଟା ୨୫ରେ ଭୋଗମଣ୍ଡପ ପୂଜା ଶେଷ ହୋଇଥିଲା। ୨ଟା ୫୦ରେ ମଇଲମ ବଢି ୩ଟା ୨୦ରେ ଯାତ୍ରାଙ୍ଗୀ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ନୂଆ ଲୁଗା ଲାଗି କରିଥିଲେ। ପୂଜାପଣ୍ଡା ସାମନ୍ତ, ପତି ମହାପାତ୍ର, ମୁଦିରସ୍ତ ତିନି ବାଡ଼ରେ ଚନ୍ଦନ ଲାଗି କରିଥିଲେ। ଚନ୍ଦନଲାଗି ବଢି ଅପରାହ୍ଣ ୪ଟା ୨୦ରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା।
ଶ୍ରୀବିଗ୍ରହମାନଙ୍କଠାରେ କର୍ପୁର ଲାଗି କରି ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇଥିଲେ। ଶୁଦ୍ଧସୁଆର ସେବକ ପୂଜାର୍ଚ୍ଚନା କରିବା ପରେ ତିନି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଠାକୁରଙ୍କ ବରୁଣ ପୂଜା କରିଥିଲେ। ପରେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢି ଫୁଲୁଫୁଲିଆ ଛେଦା ଲାଗିଥିଲା। ମହାପ୍ରଭୁଙ୍କୁ ବନ୍ଦାପନା କରାଯିବା ସହ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଏଣ୍ଡୁରି ପିଠା ଲାଗି କରାଯାଇଥିଲା। ଏହାସହ ନାଡି, ଧଉଲ, ଖଇରଚୁଳ, ଆରିସା, ସରପୁଳି ପିଠା, ଘିନାଡି, କାନ୍ତି, କାକରା, ଗଜା, ବଡ ଡାଲିମ୍ବ, ଓରିଆ, ମୁଗ, ଖିରି ଆଦି ଭୋଗ ଲାଗି ହୋଇଥିଲା। ଏହା ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅନନ୍ୟ ଉଦାହରଣ। ଏହାପରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହୋଇ ମଇଲମ ହୋଇ ବେଶ ନୀତି ସଂପନ୍ନ ହୋଇଥିଲା। ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ବାହାରି ପାଣି ପଡିଲା ପରେ ମହାପ୍ରଭୁଙ୍କ ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ଶେଷରେ ରାତ୍ର ପହୁଡ଼ ହୋଇଥିଲା। ସେହିପରି ଆଜି ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀଗୋପାଳଜିଉ ଓ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ମନ୍ଦିରରେ ଶ୍ରୀଅଲାରନାଥଙ୍କ ପଢ଼ୁଆ ନୀତି ପାଳିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/jagannath.jpg)