ଜ୍ବରରେ ମହାପ୍ରଭୁ: ପୂଜା ପାଇଲେ ପଟିଦିଅଁ

ସୁସ୍ଥ ହେବାପାଇଁ ଦିଆଗଲା ପଥି ଭୋଗ, ଅନ୍ଧକାରରେ ଚାଲିଛି ଗୋପନ ଉପଚାର

ପୁରୀ : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା କାରଣରୁ ଅଣସର ବାସରେ ରହିଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟିଦିଅଁ ବିଜେ କରିଛନ୍ତି। ସୋମବାର ବଡ଼ି ଭୋରରୁ ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ କରିବାପରେ ଅଣସର ତାଟି ନିକଟରେ ପୂଜା ଆରମ୍ଭ ହୋଇଛି।

ଭକ୍ତଙ୍କୁ ସ୍ନାନମଣ୍ଡପରେ ଦିନତମାମ ଦର୍ଶନ ଦେଇ ରବିବାର ରାତିରେ ବାହୁଡ଼ା ପହଣ୍ଡି ପରେ ଅସୁସ୍ଥ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ଭିତର କାଠରେ ଜୟ-ବିଜୟ ଦ୍ବାର ଓ କଳାହାଟ ଦ୍ୱାର ମଧ୍ୟସ୍ଥ ଅଣସର ପିଣ୍ଡିରେ ଅଧିଷ୍ଠିତ କରାଯାଇଛି। ଏହି ପିଣ୍ଡିରେ ବୈଦ୍ୟଙ୍କ ପରାମର୍ଶକ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ସେବା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଏକାସଙ୍ଗେ ତିନି ଠାକୁର ଓ ପଟିଦିଅଁଙ୍କ ସେବା କାର୍ଯ୍ୟ ସଂପାଦନ କରିଛନ୍ତି। ସୋମବାର ସକାଳେ ଶ୍ରୀମନ୍ଦିରରେ ପଟିଦିଅଁଙ୍କଠାରେ ମଙ୍ଗଳା ଆଳତି, ଅବକାଶ, ବଲ୍ଲଭ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ ସରିଲା ପରେ ବେହରଣ ମଣ୍ଡପ ପାଖ ଅଣସର ଦ୍ୱାର ଖୋଲାଯାଇଥିଲା। ମଧ୍ୟାହ୍ନ ଧୂପ ସରିବାପରେ ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ମଣ୍ଡପ ଦେଇ ଦଇତାପତି ସେବକମାନେ ଶୁକ୍ଳ(ଧଳା) ବସ୍ତ୍ର ପରିଧାନ କରି ଅଣସର ଘରେ ପ୍ରବେଶ କରିଥିଲେ। ସେଠାରେ ଦଇତାପତି ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କ ଗୁପ୍ତ ସେବା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଆଜିଠାରୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଫଳ ଭୋଗ ହୋଇଥିଲା। ଶ୍ରୀଜିଉଙ୍କୁ ଭୋଗପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିଥିଲେ।

ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଏହି ଭୋଗ ଅଣସର ଘରୁ ବାହାରକୁ ନ ଆସିବାର ବିଧି ରହିଛି। ଏଣୁ ଅଣସର ପିଣ୍ଡିରେ ଥିବା ଶ୍ରୀଜିଉଙ୍କୁ ଏହି ଭୋଗ ଲାଗି ହେବାପରେ ଦଇତାପତିମାନେ ଏହାକୁ ସେବନ କରିଥିଲେ। ବାକି ଭୋଗ ସେହି ଅଣସର ଘରେ ଛାଡ଼ି ଆସିଥିଲେ। ଶ୍ରୀଜିଉ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି। ଜଗନମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେପଟେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ସବୁକୁ ଶ୍ରୀମନ୍ଦିରରେ ନିଷେଧ କରାଯାଇଛି।

ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟିଦିଅଁ ବିଜେ କରିଛନ୍ତି। ପଟିଦିଅଁ ରୂପେ ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ର ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ଭୁବନେଶ୍ୱରୀ ରୂପରେ ପୂଜା ପାଇଛନ୍ତି। ଏହିଠାରେ ଛପନ ଭୋଗ ଅନ୍ନ, ପିଠାପଣା ଆଦି ଲାଗି କରାଯାଇଛି। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ବି ଏଠାରେ ପୂଜା ପାଉଛନ୍ତି। ପଟି ଦିଅଁଙ୍କ ନିକଟରେ ଆଜିଠାରୁ ଛପନ ପଉଟି ଭୋଗ ଲାଗି ହୋଇଛି।

ଅନ୍ୟପଟେ ପତିତପାବନଙ୍କର ବି ଅଣସର ନୀତି ଚାଲିଛି। ପତିତପାବନଙ୍କ ବଦଳରେ ପଟିଦିଅଁ ଭାବେ ଅନନ୍ତ ନାରାୟଣ ପୂଜା ପାଇଛନ୍ତି। ସେପଟେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦପରେ ଅଲାରନାଥଙ୍କ ପୀଠରେ ପ୍ରତିବର୍ଷ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗେ। ଅଣସରର ୧୫ ଦିନ ମହାପ୍ରଭୁ ଏଠାରେ ଦର୍ଶନ ଦେଇଥା’ନ୍ତି। ଏଣୁ ସୋମବାରଠାରୁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି।

ସମ୍ବନ୍ଧିତ ଖବର