ପୁରୀ: ଆଜି ମହାପ୍ରଭୁଙ୍କ ବେଣ୍ଟ ନୀତି ଶ୍ରୀଜଗନ୍ନାଥବଲ୍ଲଭ ପରିସରସ୍ଥିତ ବେଣ୍ଟ ପୋଖରୀରେ ସମ୍ପନ୍ନ ହୋଇଛି। ମଙ୍ଗଳଆଳତି ସମାପନ ପରେ ମହାଜନ ସେବକ ଦକ୍ଷିଣଘରୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ରତ୍ନ ସିଂହାସନ ନିକଟକୁ ଆଣିଥିଲେ। ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ। ମହାଜନ ସେବକମାନେ ବେଣ୍ଟ (ଶିକାର) ନୀତି ନିମନ୍ତେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ବିମାନରେ ବିଜେ କରାଇଥିଲେ। ବିମାନବଡୁ ସେବକମାନେ ବିମାନରେ ଠାକୁରଙ୍କୁ ନେଇ ଶ୍ରୀଜଗନ୍ନାଥବଲ୍ଲଭ ମଠରେ ବିଜେ କରାଇଥିଲେ। ମହାଜନ ସେବକ ଠାକୁରଙ୍କୁ ଖଟ ଉପରେ ବିଜେ କରାଇବା ପରେ ବନ୍ଦାପନା ସମ୍ପନ୍ନ ହୋଇଥିଲା।
ପ୍ରଭୁ ଶ୍ରୀରାମଚନ୍ଦ୍ର ମହାଜନ ସେବକଙ୍କ ଦ୍ବାରା ବେଣ୍ଟ ନୀତି ନିମନ୍ତେ ମଠ ପରିସରରେ ଥିବା ବେଣ୍ଟ ପୋଖରୀକୁ ବିଜେ ହୋଇଥିଲେ। ଶରଗୁଡିକୁ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଲଗାଇ ପୂଜାପଣ୍ଡା ସାମନ୍ତ ଅଭିମନ୍ତ୍ରିତ କରି ଲେଙ୍କାସେବକ ବା ଦଳବେହେରାଙ୍କୁ ଦେଇଥିଲେ। ପରେ ଲେଙ୍କାସେବକ ପଇଡ଼ଗୁଡ଼ିକୁ ମୃଗ ଭାବେ ବିବେଚନା କରି ଶରବିଦ୍ଧ କରିଥିଲେ। ୬ଟି ପଇଡ଼ ମଧ୍ୟରୁ ଲେଙ୍କା ସେବକ ୫ଟି ପଇଡ଼ରେ ତୀର ମାରିଥିଲେ ଏବଂ ଗୋଟିଏ ଅକ୍ଷତ ଅବସ୍ଥାରେ ସାଙ୍ଗରେ ନେଇ ଆସିଥିଲେ। ଏହା ପରେ ଅବକାଶ, ମଇଲମ, ସ୍ନାନ, ଶୀତଳ ଭୋଗ, କର୍ପୂର ଆଳତି, ବନ୍ଦାପନା ଆଦି ନୀତି କରାଯାଇଥିଲା। ବିମାନରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/01/GuJM1Zmbms3Jhik5dOff.jpg)