ପୁରୀ : ବର୍ଷକ ପରେ ଦର୍ଶନ ଦେଇଛନ୍ତି ପ୍ରଭୁ ଶ୍ରୀଲୋକନାଥ। ମନ୍ଦିର ଗମ୍ଭୀରାରୁ ପଙ୍କୋଦ୍ଧାର ପରେ ଅପୂର୍ବ ରୂପ ସଂଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଏଥିସହ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ଆରମ୍ଭ ହୋଇଛି ଜାଗର ଯାତ୍ରା। ଅନ୍ୟ ଶୈବ ପୀଠରେ କେବଳ ଗୋଟିଏ ଦିନ ଜାଗର ଯାତ୍ରା ହେଉଥିବାବେଳେ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀରୁ ଆରମ୍ଭ ହୋଇଛି ଯାତ୍ରା। ପ୍ରଭୁଙ୍କୁ ପ୍ରତ୍ୟକ୍ଷ ଦର୍ଶନ ବେଳେ ନିତ୍ୟ, ନବୀନ, ଅପୂର୍ବ ରୂପ ଦେଖି ବିଭୋର ହୋଇଛନ୍ତି ଶ୍ରଦ୍ଧାଳୁ। ମଧ୍ୟାହ୍ନ ୧୨ଟା ପୂର୍ବରୁ ପଙ୍କୋଦ୍ଧାର ଓ ପ୍ରଭୁଙ୍କୁ ମାଘସ୍ନାନ ସମାପନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
ରାତି ଦୁଇଟାରୁ ପ୍ରଭୁ ଶ୍ରୀଲୋକନାଥ ମନ୍ଦିରର ପହୁଡ଼ ଖୋଲିବା ପରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ କାନ୍ଧିଆ ପରିବାରର ସେବକମାନେ ପାଣି ଉଝାଳିଥିବା ବେଳେ ଯୋଗାଣିଆ ସେବକମାନେ ପ୍ରଭୁଙ୍କ ଗମ୍ଭୀରାରୁ ପଙ୍କ ଉଦ୍ଧାର କରିଥିଲେ। ପ୍ରଭୁ ବର୍ଷ ସାରା ବେଲପତ୍ର, ଫୁଲ, ନୈବେଦ୍ୟ ଓ ଲାଗି ପାଣିରେ ବୁଡ଼ି ଧ୍ୟାନସ୍ଥ ରହିଥିବା ବେଳେ ଭକ୍ତଙ୍କ ଲାଗି ପଙ୍କୋଦ୍ଧାର କାର୍ଯ୍ୟ କରାଯାଇଥିଲା। ପ୍ରାୟ ଶହେ ପାଖାପାଖି ସେବକ ଓ ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିଲେ। ପଙ୍କୋଦ୍ଧାର ଭଳି ଏକ ନିଆରା ପରମ୍ପରାକୁ ପ୍ରତ୍ୟକ୍ଷ କରିବା ଲାଗି ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଥିଲା। ଭକ୍ତମାନେ ପାର୍ବତୀ ସାଗର ପାର୍ଶ୍ବରେ ପଙ୍କୋଦ୍ଧାର କାର୍ଯ୍ୟ ଦେଖିଥିଲେ।
ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସେବକମାନେ ପାଣି କାନ୍ଧେଇ ଖାଲି କରୁଥିବା ବେଳେ ନିର୍ଧାରିତ ସମୟରେ ଭକ୍ତଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ପମ୍ପ ଜରିଆରେ ମଧ୍ୟ ପାଣି ଖାଲି କରାଯାଇଥିଲା। ଶ୍ରୀ ସାହୁ ଜାଗର ଯାତ୍ରା ପ୍ରସ୍ତୁତି ନେଇ କହିଛନ୍ତି ଯେ କୋଭିଡ୍ ଦୃଷ୍ଟିରେ ରଖି ଏଥର ମଧ୍ୟ ମେଳା ଆୟୋଜନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଯେପରି ସୀମିତ ସଂଖ୍ୟାରେ ଦୋକାନ ବଜାର ଖୋଲିବ ତା ଉପରେ ନଜର ରଖାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଦର୍ଶନ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଛି। ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୁଲିସ୍ ମୁତୟନ ସହ ସ୍ବତନ୍ତ୍ର ଭାବେ ଅଫିସରମାନଙ୍କୁ ଏହାର ତଦାରଖ ଦାୟିତ୍ବ ଦିଆଯାଇଛି। ବିଶେଷକରି ଜାଗର ଯାତ୍ରାରେ ବହୁ ଭକ୍ତଙ୍କ ଆଗମନ ଆଶା କରାଯାଉଥିବାରୁ ୭ ପ୍ଲାଟୁନ ପୁଲିସ୍ ଏବଂ ୩୦ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ ବୋଲି କହିଛନ୍ତି ଏସ୍ପି ଡ.କନୱର ବିଶାଲ ସିଂହ। ସମସ୍ତ ଭକ୍ତ ଯେପରି କୋଭିଡ୍ ନିୟମାବଳୀକୁ ଅନୁସରଣ କରିବେ ସେନେଇ ମଧ୍ୟ ସେବକଙ୍କ ସହ ଯୋଗସୂତ୍ର ରଖାଯାଇଛି। ଭକ୍ତମାନେ ଯେଭଳି ଭିଡ଼ ନଜମାଇବେ ସେମାନଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି।
ପୁରୀ : ରବିବାର ଦିନ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତବର୍ଷ ବି ଓଡ଼ିଶାର ସର୍ବବୃହତ ଜଗତମଙ୍ଗଳ ଜାଗର ଦୀପ ପ୍ରଜ୍ୱଳିତ ହୋଇଛି। ଲୋକନାଥଙ୍କ ମନ୍ଦିର ପ୍ରାଙ୍ଗଣ ପାର୍ବତୀ ସାଗର କୂଳରେ ଏହି ଦୀପରେ ଘୃତ ଢାଳିବା ସହ ଅଗ୍ନି ସଂଯୋଗ ପୂର୍ବକ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜ୍ବଳନର ଶୁଭାରମ୍ଭ କରିଥିଲେ। ଏହି ବୃହତ ଦୀପ ପଙ୍କୋଦ୍ଧାର ଏକାଦଶୀଠାରୁ ମହାଶିବରାତ୍ରୀ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ। ପ୍ରାୟ ୬ ଫୁଟ ଲମ୍ବ ଓ ୪ ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପରେ ପ୍ରାୟ ଅଢ଼େଇ କୁଇଣ୍ଟାଲ ଘିଅ ଢଳାଯିବ। ପବିତ୍ର ମହାଶିବରାତ୍ରୀ ବା ଜାଗର ଦିନ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ। ଆଜି ଏହି ଉତ୍ସବରେ ଉପଜିଲ୍ଲାପାଳ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦୀପର ଆୟୋଜକ ସମାଜସେବୀ ରାମକୃଷ୍ଣ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।