କଟକ : ଆଇପିଏଲ୍‌ ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ପ୍ୟାନେଲ୍‌ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ। ସେଥିରେ ଆଙ୍କର ଭ‌ାବେ ନଜର ଆସିବେ ଲୋରିଆ। ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ। ଏହାସହ ଇନିଂସ୍‌ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍‌ର ମଜା ନେବେ ଦର୍ଶକ। ଜିଓ ସିନେମା ଆପ୍‌ରେ ଆଇପିଏଲ୍‌ ସିଜିନ୍‌-୧୬କୁ ଦର୍ଶକମାନେ ଦେଖିପାରିବେ। ଚଳିତବର୍ଷ ଆଇପିଏଲ୍‌ ସିଜିନ୍‌-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍‌ (ଚୟନ ପକ୍ରିୟା)ରେ ଯୋଗ୍ୟ ବିବେଚିତ ହୋଇଛନ୍ତି କଟକର ଲୋରିଆ।

Advertisment

କଟକ ତ୍ରିଶୂଳିଆର ସୁମିତ୍‌ ଧାୱନ୍‌ଙ୍କ ପତ୍ନୀ ଲୋରିଆ ମହାନ୍ତି ଜଣେ ଭଲ ଓଡ଼ିଆ ଆଙ୍କର୍‌ ଭାବେ ପରିଚିତ। ୧୨ ବର୍ଷ ହେଲା ଆଙ୍କରିଂ କରି ଆସୁଥିବା ଲୋରିଆ ଚଳିତବର୍ଷ ଆଇପିଏଲ୍‌ ସିଜିନ୍-୧୬ରେ ଆଙ୍କରିଂ କରିବେ। ମ୍ୟାଚ୍‌ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍‌ ପ୍ୟାନେଲ୍‌ ‘ମ୍ୟାଚ୍‌ ସେଣ୍ଟର ଲାଇଭ୍‌ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ। ଏହି ପ୍ୟା‌ନେଲ୍‌ରେ ଆଙ୍କର ଭାବରେ ନଜର ଆସିବେ କଟକ ଝିଅ ଲୋରିଆ। ଆଇପିଏଲ୍‌ରେ ଆଙ୍କରିଂର ସୁଯୋଗ ପାଇ ବେଶ୍‌ ଗର୍ବିତ ବୋଲି କହିଛନ୍ତି ଲୋରିଆ। ସୂଚନାଯୋଗ୍ୟ, ଜିଓ ସିନେମା ଆପ୍‌ରେ ୧୨ଟି ଭା‌ଷାରେ ଏଥର ଆଇପିଏଲ୍‌ ପ୍ରସାରିତ ହେବାକୁ ରହିଛି।