ପୁରୀ: ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା ଯୋଗୁଁ ବରାଦି ଭୋଗ କ୍ଷତିପୂରଣ ନେଇ ସୁଆର ମହାସୁଆର ନିଯୋଗ ଶୁକ୍ରବାର ଦିନ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାରସ୍ଥ ହୋଇଛନ୍ତି। ଲକ୍ଷାଧିକ ଟଙ୍କାର ବରାଦି ଭୋଗ ଅର୍ଡର ଥିଲେ ମଧ୍ୟ ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା ପାଇଁ ଭୋଗରନ୍ଧନ ହୋଇ ପାରି ନାହିଁ ବୋଲି ଅଭିଯୋଗ କରିଛନ୍ତି। ଫଳରେ ବରାଦି ଭୋଗ ଅର୍ଡର ଫେରସ୍ତ ହୋଇଯାଇଛି।
ସୁଆର ମହାସୁଆର ନିଯୋଗର ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ବହୁତ ମାତ୍ରାରେ ଭୋଗ ଅର୍ଡର ରଖାଯାଇଥିଲା। କିନ୍ତୁ ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା ପାଇଁ ଭୋଗରନ୍ଧନ ହୋଇ ପାରି ନାହିଁ। ତେଣୁ ସୁପକାର ସଭ୍ୟମାନେ ଆନୁମାନିକ ୬,୩୨,୫୦୦ ଟଙ୍କାର କ୍ଷତିପୂରଣ ସହିଛନ୍ତି। ଏଣୁ ଏହି ବିଷୟକୁ ବିଚାରକୁ ନେଇ ଉପଯୁକ୍ତ କ୍ଷତିପୂରଣ ଆମ୍ଭଙ୍କୁ ଶ୍ରୀଘ୍ର ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ବିବାଦ ଦେଖାଦେଇଥିଲା। ମହାପ୍ରଭୁଙ୍କ ଗାଧୋଇବା, ଖାଇବା, ମଇଲମ ନୀତିଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ନୀତିକାନ୍ତି ଅଟକି ରହିଥିଲା। ସକାଳ ୫ଟା ୫୫ମିନିଟରେ ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ମଙ୍ଗଳାଳତୀ, ରୋଷହୋମ ବଢିଥିଲା। ତାପରେ ଅବକାଶ ନୀତି ପୂର୍ବରୁ ମହାପ୍ରଭୁ ମଇଲମ ହୋଇ ରତ୍ନବେଦୀରେ ବସିଥିଲେ। ମାତ୍ର ମଇଲମଠାରୁ ସମସ୍ତ ନୀତି ଅଟକି ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/7d0fdc91-6482-4ab0-9db8-653de7729628.jpeg)