ଜୟପୁର: ପାଖରେ ସମ୍ପତ୍ତି ନଥିଲା। ଖଟି ଖାଇଲେ ପୂରୁଥିଲା ପେଟ। ଏପରି ସ୍ଥିତିରେ ମାତ୍ର ୨ ବର୍ଷର ପୁଅ ରକ୍ତ କର୍କଟର ଶିକାର ହେବା ଶୁଣି ବାପା, ମାଆଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା। ଧୈର୍ଯ୍ୟ ନ ହରାଇ ଏକମାତ୍ର ପୁଅକୁ ବଞ୍ଚାଇବା ପାଇଁ ମନୋବଳକୁ ଦୃଢ଼ କରିଥିଲେ। ୪ବର୍ଷର ସଂଘର୍ଷ ପରେ କର୍କଟକୁ ହରାଇ ପୁଅର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି କୋରାପୁଟ ଅଶୋକନଗର ଚମରା ମୁଚାକି ଓ ଚୁମକି।  ୨୦୨୧ରେ ଚମରା ଓ ଚୁମକିଙ୍କ ପୁଅ ବିଭୁପ୍ରସାଦକୁ ଜ୍ବର ହୋଇଥିଲା। ଜ୍ବର ନ କମିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଭର୍ତ୍ତି କରିଥିଲେ। ପରୀକ୍ଷା ନିରୀକ୍ଷା ପରେ ବିଭୁ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଡାକ୍ତର କହିଥିଲେ। ଉତ୍ତମ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅର୍ଥ ଅଭାବରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହାୟତାରେ ବାପା, ମାଆ ବିଭୁଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରିଥିଲେ। ସେଠାରେ କିଛି ମାସ ରହି ସୁସ୍ଥ ହେବା ପରେ ଘରକୁ ଫେରିଥିଲେ।  ୨୦୨୩ରେ ପୁଣି ଥରେ କର୍କଟରେ ଆକ୍ରାନ୍ତ ହେବା ପରେ ମୁମ୍ବାଇରେ ଚିକିତ୍ସା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। 

Advertisment

ପୁଅକୁ ମୃତ୍ୟୁମୁଖରୁ ବଞ୍ଚାଇଲେ ବାପା-ମାଆ
୪ବର୍ଷର ସଂଘର୍ଷ ପରେ ନୂଆ ଜୀବନ ପାଇଲେ ବିଭୁ

ବିଭୁଙ୍କୁ ନେଇ ମୁମ୍ବାଇ ଯିବା ପୂର୍ବରୁ ବାପା, ମାଆଙ୍କ ପାଖରେ ଥିଲା ମାତ୍ର ୨୦୦ ଟଙ୍କା। ସ୍ବେଚ୍ଛାସେବୀ ମନୋହର ତ୍ରିପାଠୀଙ୍କ ଉଦ୍ୟମରେ ସୋସିଆଲ ମିଡିଆ ମାଧ୍ୟମରେ କ୍ରାଉଡ୍‌ ଫଣ୍ଡିଂ ମାଧ୍ୟମରେ ସଂଗ୍ରହ ହୋଇଥିଲା ୨ଲକ୍ଷ ଟଙ୍କା। ଜୟପୁର ସହର ସହ ସାରା ଓଡ଼ିଶାରୁ ମିଳିଥିବା ଟଙ୍କାକୁ ନେଇ ମୁମ୍ବାଇରେ ପହଞ୍ଚିଥିଲେ। ରକ୍ତ କର୍କଟ ନିରକାରଣ ପାଇଁ ୫୦/୬୦ ଲକ୍ଷ ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ସହ ଟଙ୍କା ଯୋଗାଡ଼ କରିବାର ଉପାୟ କହି ଦେଇଥିଲେ। ବିଭିନ୍ନ ଟ୍ରଷ୍ଟ ଏବଂ ସିନେ ତାରକାଙ୍କ ପାଖକୁ ଯାଇ ସାହାଯ୍ୟ ମାଗିବାକୁ ପରାମର୍ଶ ଦେଇଥିଲେ। ମୁମ୍ବାଇ ମହାନଗରୀରେ କାହାକୁ ନ ଚିହ୍ନିବା ସହ ଭାଷାଗତ ସମସ୍ୟା ଥାଇ ମଧ୍ୟ ହାର ମାନିନଥିଲେ ଚମରା। ବିଗ୍‌ ବି ଅମିତାଭ ବଚନ, ଶାହାରୁଖ ଖାନ୍‌, ସଲମନ୍‌ ଖାନ୍‌, ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସାହାଯ୍ୟ ଲୋଡ଼ିଥିଲେ। ୮ମାସ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମିଶିଥିଲେ। ବହୁ ସିନେ ତାରକା ଟଙ୍କାଟିଏ ମଧ୍ୟ ସହଯୋଗ କରିନଥିଲେ। କିଛି ଲୋକ ଚୋର ଭାବି ଘଉଡ଼ାଇ ଦେଇଥିଲେ। ବିଭୁର ଚିକିତ୍ସା ପାଇଁ ବାପା, ମାଆ ଦିନରାତିକୁ ଏକ କରି ସହାୟତା ମାଧ୍ୟମରେ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଲୋକଙ୍କ ସହଯୋଗରେ ଆବଶ୍ୟକ ଟଙ୍କା ଯୋଗାଡ଼ ହେଲା। ଚିକିତ୍ସା ପରେ ବିଭୂ କର୍କଟ ମୁକ୍ତ ହେବା ସହ ନୂଆ ଜୀବନ ପାଇ ଘରକୁ ଫେରିଛନ୍ତି।