ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ପାଇଁ ସର୍ବହରା, ୧୭୫ ଏକର ଜମି ମାଲିକ ଏବେ ଶ୍ରମିକ

ଇନ୍ଦ୍ରାବତୀ: ଦିନେ ୧୭୫ଏକରରୁ ଊର୍ଦ୍ଧ୍ବ ଜମିର ମାଲିକ ଥିଲେ। ପୂରା ଗାଁ ତାଙ୍କ ନିୟନ୍ତ୍ରଣରେ ଥିଲା। ଶହ ଶହ ଶ୍ରମିକ ତାଙ୍କ ଅଧୀନରେ କାମ କରୁଥିଲେ। ଜମିଦାର ଭଳି ଆଖପାଖ ଅଞ୍ଚଳରେ ପ୍ରତିଷ୍ଠା ଥିଲା। ଅମଳ ପରେ ଘରେ ପାହାଡ଼ ଭଳି ଗଦା ହେଉଥିଲା ଧାନ। କିନ୍ତୁ ଏବେ ଦୁଇ ବେଳା ଦୁଇ ମୁଠା ଖାଇବାକୁ କରୁଛନ୍ତି ସଂଘର୍ଷ। ପିଡିଏସ୍ ଚାଉଳ ପାଇଁ ହାତ ପାତିବାକୁ ପଡ଼ୁଛି। ମୁଣ୍ଡ ଗୁଞ୍ଜିବାକୁ ଚାଳ ଛପର ଘର। ରାତି ପାହିଲେ କୋଦାଳ ଧରି ପହଞ୍ଚି ଯାଉଛନ୍ତି ଅନ୍ୟର ଜମିରେ ମୂଲ ଲାଗିବାକୁ। ଶରୀର ଦୁର୍ବଳ ହୋଇଗଲାଣି। ତଥାପି ବୟସର ଅପରାହ୍ନରେ ସିଝିଗଲା ଭଳି ଖରାରେ ଥକା ମାରିବାକୁ ସମୟ ମିଳେନି। ସଂଧ୍ୟାରେ ଫେରିବା ବେଳକୁ ମାଲିକ ଧରାଇ ଦେଉଛି ମଜୁରୀ। ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ଯୋଗୁ ସର୍ବସ୍ବ ହରାଇଥିବା ବ୍ରଜ ସୁନ୍ଦର ବିଷୋୟୀଙ୍କ ବର୍ତ୍ତମାନ ଏମିତି ଅବସ୍ଥା ଦେଖିଲେ ଆଦୌ ବିଶ୍ବାସ ହେଉ ନଥିଲେ ବି ସତ।

ଇନ୍ଦ୍ରାବତୀ ପ୍ରକଳ୍ପ ନିକଟସ୍ଥ ଫଟାଗୁଡ଼ାରେ ରହୁଛନ୍ତି ବ୍ରଜ ସୁନ୍ଦର। ବୟସ ୭୦ରୁ ଊର୍ଦ୍ଧ୍ବ ହେବ। ପୁଅମାନେ ଗାଁ ଆଖପାଖରେ କାମ ପାଇଲେ ନାହିଁ। ତେଣୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି। ଯାହାଫଳରେ ଏହି ବୟସରେ ପତ୍ନୀଙ୍କ ସହ ତାଙ୍କୁ ମୂଲ ଲାଗିବାକୁ ପଡ଼ୁଛି। ନିଜ ଅତୀତ ସଂପର୍କରେ କହିବା ବେଳକୁ ଆଖିରେ ଜକେଇ ଆସିଥିଲା ଲୁହ। ପୈତୃକ ସଂପତ୍ତି ଭାବେ ତାଙ୍କ ଭାଗରେ ପଡ଼ିଥିଲା ୧୭୫ ଏକରରୁ ଊର୍ଦ୍ଧ୍ବ ଚାଷ ଜମି। ସେଥିରୁ ତେନ୍ତୁଳିଖୁଣ୍ଟି ବ୍ଲକ ମୁଣ୍ଡିଗୁମ୍ମା ଗ୍ରାମରେ ୯୩ ଏକର, ମୁଣ୍ଡାଗୁଡ଼ାରେ ୫.୮୧ ଏକର ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଆମ୍ବଗୁଡ଼ା ଗ୍ରାମରେ ଥିଲା ୮୦ ଏକର ଜମି। କୌଣସି ଅଭାବ କିମ୍ବା ଅସୁବିଧା ନଥିଲା। ଗାଁରେ ସମ୍ମାନ ଏବଂ ପ୍ରତିଷ୍ଠା ବି ରହିଥିଲା। କିନ୍ତୁ ଇନ୍ଦ୍ରାବତୀ ପ୍ରକଳ୍ପ ବଦଳାଇ ଦେଲା ତାଙ୍କ ଭାଗ୍ୟ ଓ ଭବିଷ୍ୟତ।

୧୯୮୬ ମସିହାରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ସବୁ ଜମି ହରାଇଲେ। ଏପରିକି ପୈତୃକ ଗାଁ ବି ଛାଡ଼ିବାକୁ ପଡ଼ିଥିଲା। ନଦୀ ଗର୍ଭରେ ସବୁ ସଂପତ୍ତି ଲୀନ ହୋଇଗଲା। ମୁଣ୍ଡିଗୁମ୍ମା ଗ୍ରାମରେ ଥିବା ୯୩.୨୭ ଏକର ଓ ମୁଣ୍ଡାଗୁଡ଼ାରେ ଥିବା ୫.୮୧ ଏକର ଜମି ପାଇଁ କ୍ଷତିପୂରଣ ବାବଦରେ ମିଳିଲା ମାତ୍ର ୧ ଲକ୍ଷ ୪୧ ହଜାର ୩୮୭ ଟଙ୍କା ୬୦ ପଇସା। ସେହିପରି ଆମ୍ବଗୁଡ଼ା ଗ୍ରାମରେ ଥିବା ୮୦ ଏକର ଜମି ପାଇଁ ୬୪ ହଜାର ୮୬୧ ଟଙ୍କା ୮୦ପଇସା କ୍ଷତିପୂରଣ ମିଳିଥିବା କହିଛନ୍ତି ବ୍ରଜ। ବିସ୍ଥାପିତ ହୋଇ ଫଟାଗୁଡ଼ା ଗାଁକୁ ଆସିବା ପରେ ଅଳ୍ପ ଜମି ସହ ଘର କରିବା ପାଇଁ କିଛି ଟଙ୍କା ମିଳିଥିଲା। ସବୁ ସଂପତ୍ତି ହରାଇବା ବଦଳରେ ଯାହା ସହାୟତା ମିଳିଲା ସେତିକି ଯଥେଷ୍ଟ ନଥିଲା। ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଯିବାରୁ ଏବଂ ପରିବାର ବଢ଼ିବାରୁ ମିଳିଥିବା ଟଙ୍କା ବି ସରିଗଲା। ଏହାପରେ ଆରମ୍ଭ ହୋଇଥିଲା ସଂଘର୍ଷ। ବ୍ରଜଙ୍କ ସମସ୍ୟା ସଂପର୍କରେ ଜାଣିବା ପରେ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗଗନ ବିହାରୀ ଧଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର