କୋରେଇ: ଗତ ଦୁଇଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ କୋରେଇ ବ୍ଲକ୍‌ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୋରେଇରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ବ୍ଲକ୍‌ର ଧନେଶ୍ବର, ହଳଦିଗଡ଼ିଆ, ବଡ଼ବିରୁଆଁ, ବରୁଣ୍ତାଇ ଓ ତଣ୍ତରା ପଞ୍ଚାୟତରେ କଚ୍ଚାଘର ନଷ୍ଟ ହେବା ସହ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ବିଭିନ୍ନ ଅଞ୍ଚଳରେ ବହୁଗଛ ଭାଙ୍ଗିପଡ଼ିଛି। ଧନେଶ୍ବର ପଞ୍ଚାୟତ ମୃତ୍ୟୁଞ୍ଜୟପୁର ଗ୍ରାମର ପ୍ରତାପ କୁମାର ଦାସଙ୍କ ଏକ ଘରର ଟିଣ ଛପର ଝଡ଼ ପବନରେ ଉଡ଼ି ଯାଇ ନିକଟରେ ଥିବା ଏକ ଗଛରେ ଲାଗିଛି। ସେହିପରି ବଡ଼ବିରୁଆଁ ଗ୍ରାମର ନନ୍ଦକିଶୋର ଦାସଙ୍କ ଚାଳ ଛପର ଘର ଉଡ଼ିଯାଇଛି।

Advertisment

ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମର ରଘୁନାଥ ପାତ୍ରଙ୍କ ଛପର ଘର ମଧ୍ୟ ପବନରେ ଉଡ଼ିଯିବା ସହ ଘରର କାନ୍ଥ ଭାଙ୍ଗି ଯାଇଛି। ଅନ୍ୟପକ୍ଷରେ ବରୁଣ୍ତାଇ ପଞ୍ଚାୟତ ଅନ୍ତର୍ଗତ ବୈତରଣୀରୋଡର ପ୍ରକାଶ କୁମାର ମଳିକଙ୍କ ଅମୃତଭଣ୍ତା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତଣ୍ତରା ଗ୍ରାମର ନକୁଳ ସ୍ବାଇଁ, ରଘୁନାଥ ସାମଲଙ୍କ ବାଡ଼ିରେ ଥିବା ବହୁବର୍ଷର ବରଗଛ ଓ ତେନ୍ତୁଲି ଗଛ ଝଡ଼ବତାସରେ ଉପୁଡ଼ି ପଡ଼ିଛି। ସେହିପରି ହଳଦିଗଡ଼ିଆ ପଞ୍ଚାୟତର ଗୋପିନାଥ ବଳ, ରାଧେଶ୍ୟାମ ରାଉତ, ମୁରଲୀ ସାହୁଙ୍କ ସମେତ ବହୁ ଚାଷୀଙ୍କ ଟାଇଚୁଙ୍ଗ ଧାନ ପବନରେ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକ୍ କୃଷି ବିଭାଗ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଓ କୃଷି ବିଭାଗ ଅଧିକାରୀ କ୍ଷୟକ୍ଷତିର ଆକଳନ କରୁଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଜିଲ୍ଲା କାର୍ଯ୍ୟାଳୟକୁ ପଠାଯିବ। ହେଲେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ତାହା ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେବେବୋଲି ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲିକ କହିଛନ୍ତି।