ଭୋଗରାଇ: ଶୁକ୍ରବାର ଦିନ ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ଭୋଗରାଇ ବ୍ଲକ୍‌ କୁଳିଦା ପଞ୍ଚାୟତ ମଧୁପୁରଠାରେ ଖଡ଼ି ଓ ଇକଡ଼ ଫସଲ ଜଳୁଥିବା ଦେଖିବାକୁ ମିଳିଥିଲା। ପରେ ନିଆଁ କୁଳିଦା ପଞ୍ଚାୟତର ମଧୁପୁର, କୁଳିଦା, ମହାଦିଆ, ଉପଳା ସହ ଗୁଣସର୍ଥା ପଞ୍ଚାୟତର ଦୁବସାହି, ପ୍ରିୟବାଗ, ଏବଂ ମହଗବ ପଞ୍ଚାୟତର ଚାନ୍ଦକୁସୁମିର ଖଡ଼ି ଓ ଇକଡ଼ ଚାଷକୁ ବ୍ୟାପୀ ଯାଇଥିଲା। ସ୍ଥାନୀୟ ଲୋକ, ଚାଷୀ ଓ ଦକମଳ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ଅଗ୍ନିକାଣ୍ତରେ ପ୍ରାୟ ୫୦୦ ଚାଷୀ ପରିବାରର ୧ ହଜାର ଶହ ଏକର ଇକଡ଼ ଫସଲ ପାଉଁଶ ହୋଇଯାଇଥିଲା। ଯାହାର କ୍ଷୟକ୍ଷତି ପରିମାଣ ୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ତେବେ ନିଆଁ ଲାଗିବା‌ର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ଇଣ୍ଡିଆନ୍ ଅଏଲ୍‌ର କର୍ମଚାରୀମାନେ ଏଥିପାଇଁ ଦାୟୀ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ।

Advertisment

ଇକଡ଼ ବିଲ ଦେଇ କମ୍ପାନିର ପାଇପ୍‌ଲାଇନ୍‌ ଯାଇଥିବା ବେଳେ କାର୍ଯ୍ୟରତ କିଛି କର୍ମଚାରୀ କାମ ସୁବିଧା ପାଇଁ ସ୍ଥାନୀୟ ବେଣା ବୁଦା‌ ସଫା କରିବାକୁ ସେଥିରେ ନିଆଁ ଲଗାଇଥିଲେ। ଯେଉଁ ନିଆଁ ଇକଡ଼ ବିଲକୁ ବ୍ୟାପିଥିଲା ଓ ଏତେବଡ଼ ଅଘଟଣ ଘଟିଗଲା। ଉତ୍ତର ଭୋଗରାଇ ଅଞ୍ଚଳର ଶହ ଶହ ଚାଷୀ ଇକଡ଼ ଚାଷ କରୁଥିଲେ ବି ଏହାକୁ କୃଷିର ମାନ୍ୟତା ମିଳିନି। ଫଳରେ ଗତ ଶୁକ୍ରବାର ଓ ଶନିବାର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ‌ୀମାନେ କ୍ଷତିପୂରଣ ପାଇବେ ନାହିଁ ବୋଲି ଜଣାପଡ଼ିଛି। ଏପରି ସମୟରେ କ୍ଷତିଗ୍ରସ୍ତ ଚାଷୀମାନେ ଜୀବିକା ପାଇଁ ଦାଦନ ଖଟିବାକୁ ଯିବା ପାଇଁ ବାହାରିଲେଣି। ତେ‌ବେ ସମସ୍ୟାକୁ ଆଖିଆଗରେ ରଖି ସରକାର ତୁରନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ଭୋଗରାଇ ବିଧାୟକ ଅନନ୍ତ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ଜିଲ୍ଲା ପରିଷଦ ସଦସ୍ୟା କବିତା ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ତଥା ଖରିଦପିପଳ ସରପଞ୍ଚ ମଞ୍ଜୁରାଣୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ହେମନ୍ତ ବେହେରା, ଅଶୋକ କୁମାର ସାହୁ, ବିଧାୟକଙ୍କ ପ୍ରତିନିଧି ବିଶ୍ୱଜିତ ଦାସ, କୁଳିଦା ସରପଞ୍ଚ ପ୍ରତାପ କୁମାର ଜେନା, ସମିତି ସଦସ୍ୟ ଗୋପାଳ ପରିଡ଼ା, ଗୁଣସର୍ଥା ସରପଞ୍ଚ ରଜନୀକାନ୍ତ ଖଟୁଆ, ଧୀରେନ୍ଦ୍ର ଜେନାଙ୍କ ସହ ବହୁ ରାଜନୈତିକ ଦଳର ନେତୃବୃନ୍ଦମାନେ ଦାବି କରିଛନ୍ତି।