ଭୁବନେଶ୍ବର : ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱକୁ ସିଧାସଳଖ ଦାୟୀ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଫେରିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିସହ ଅର୍ଥ ଓ ବାହୁବଳ ପ୍ରୟୋଗ କରି ଶାସକ ଦଳ ନିର୍ବାଚନ ଜିତୁଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସାଂସଦଙ୍କ ଏଭଳି ବକ୍ତବ୍ୟକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ପୌର ନିର୍ବାଚନରେ ଆମର ଫଳାଫଳ ବହୁତ ଖରାପ ହୋଇଛି। ଭାରତୀୟ ଜନତା ପାର୍ଟି ବହୁତ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଏହାକୁ ମୁଁ ସ୍ୱୀକାର କରୁଛି। ଜନାଦେଶ ଶିରୋଧାର୍ଯ୍ୟ। ଲୋକେ ଯାହା ଚାହିଁବେ ତାହା ହିଁ ହେବ। କିନ୍ତୁ ଏବେ ବି ସେହି କଥା କହିବି ଯାହା ମୁଁ ପଞ୍ଚାୟତ ନିର୍ବାଚନ ପରେ କହିଥିଲି। ସୁନ୍ଦରଗଡ଼ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଆମର ଯେତେ ବି କର୍ମୀ ଅଛନ୍ତି, ସେମାନଙ୍କ ପାଇଁ ଆମେ ଗର୍ବିତ। ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଅଛି। ବିଜେପିକୁ ଜିତାଇବା ପାଇଁ ସେମାନଙ୍କ ମଧ୍ୟରେ ସାମର୍ଥ୍ୟ ଓ କ୍ଷମତା ରହିଛି। କିନ୍ତୁ କେଉଁଠି ନା କେଉଁଠି, ଆମକୁ ଲାଗୁଛି ଯେ ରାଜ୍ୟ ନେତୃତ୍ୱକୁ ଆହୁରି ସୁଦୃଢ଼, ସଶକ୍ତ ଓ ବଳଶାଳୀ କରିବାକୁ ପଡ଼ିବ। ଦଳର ରାଜ୍ୟ ନେତୃତ୍ୱ ଯେପର୍ଯ୍ୟନ୍ତ ସୁଦୃଢ଼, ସଶକ୍ତ ହେବ ନାହିଁ, ସେ ପର୍ଯ୍ୟନ୍ତ ଦଳର ତୃଣମୂଳସ୍ତରରେ ଏହା ପରିଲକ୍ଷିତ ହେବ ନାହିଁ। ତୃଣମୂଳସ୍ତରରୁ ଉପର ପର୍ଯ୍ୟନ୍ତ ପୂରା ସଙ୍ଗଠନକୁ ସୁଦୃଢ଼ କରିବାକୁ ପଡ଼ିବ। ତେଣୁ ଏବେ ସମୀକ୍ଷାର ସମୟ। ଦଳକୁ ସୁଦୃଢ଼ କରିବାର ଦାୟିତ୍ୱ ଆମ ସମସ୍ତଙ୍କର। ମୁଁ କେବେ ବି କହିବି ନାହିଁ ଯେ ଏହା ଜଣଙ୍କର। ଆମ ସମସ୍ତଙ୍କୁ ମିଶି ଏଦିଗରେ କାମ କରିବାକୁ ହେବ।
ସେ ଆହୁରି କହିଛନ୍ତି ଯେ ମୁଁ କେବେ ହେଲେ ଅନ୍ୟ ଦଳକୁ ଦୋଷ ଦେବିନାହିଁ। ପୌର ନିର୍ବାଚନରେ ଅର୍ଥ ଓ ବାହୁ ବଳର ବହୁ ମାତ୍ରାରେ ପ୍ରୟୋଗ ହୋଇଛି। ଓଡ଼ିଶାବାସୀ ଏ ବିଷୟରେ ଜାଣିଛନ୍ତି। ସମସ୍ତଙ୍କ ପାଖରେ ଏହାର ଭିଡିଓ କ୍ଲିପ୍ ରହିଛି। ଏହା ସତ୍ତ୍ୱେ ବି ମୁଁ କହିବି ଏହା ଆମର ଦୁର୍ବଳତା। ଜଣେ କର୍ମୀ ହିସାବରେ ମୁଁ ଏହାକୁ ସ୍ୱୀକାର କରୁଛି। ବିଜେପି ପକ୍ଷରୁ ଭୁବନେଶ୍ୱରରେ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନରେ ବହୁତ ଅଳ୍ପ ଖର୍ଚ୍ଚ କରାଯାଇଛି। ତା’ ସତ୍ତ୍ୱେ ଆମେ ୧୦ଟି କର୍ପୋରେଟର ଆସନ ଜିତିଛୁ। ଯେଉଁ ନୂଆ ଚେହେରା ମେୟର ପ୍ରାର୍ଥିନୀ ହୋଇଥିଲେ ସେ ୧ ଲକ୍ଷ ୧୪ ହଜାର ଭୋଟ୍ ପାଇଛନ୍ତି। ଏହା କମ୍ ବଡ଼ କଥା ନୁହେଁ। ଏଥିପାଇଁ ଭୋଟ୍ ଦେଇଥିବା ପ୍ରତ୍ୟେକ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ। ସେପଟେ ପୌର ଫଳାଫଳକୁ ନେଇ ଚିରାଚରିତ ଢଙ୍ଗରେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ। କୋଟି କୋଟି ଟଙ୍କା ଓ ବାହୁବଳ ଖର୍ଚ୍ଚ କରି ଶାସକ ଦଳ ନିର୍ବାଚନରେ ସଫଳତା ପାଇଥିବା ଅଭିଯୋଗ କରିଛନ୍ତି ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ୍। ଆଉ ଅତି ଚତୁରତାର ସହ ସୁନୀତିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ। ଶ୍ରୀମତୀ ଦାସ କହିଛନ୍ତି ଯେ ଏଭଳି କଥା କହି ଲୋକଙ୍କୁ ଅପମାନିତ କରାଯାଉଛି।