ସମ୍ବଲପୁର : ଭିମ୍ସାର୍ରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ବହୁ କର୍ମଚାରୀ ଚାକିରି କରୁଥିବା ନେଇ ଅନେକ ଦିନରୁ ଅଭିଯୋଗ ହୋଇଆସୁଛି। ଏହା ଉପରେ ତଦନ୍ତ ଦାବି କରି ବହୁ ଅଭିଯୋଗ, ଆନ୍ଦୋଳନ ହେଲାଣି। କିନ୍ତୁ କେହି କର୍ଣ୍ଣପାତ କରୁ ନାହାନ୍ତି। ବର୍ତ୍ତମାନ ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ରାକେଟ ଧରା ପଡ଼ିବା ପରେ ଭିମ୍ସାର୍ର ନକଲି ଯୋଗ୍ୟତାଧାରୀଙ୍କ ଯାଞ୍ଚ ହେଉ ବୋଲି ପୁଣିଥରେ ଦାବି ହେଉଛି।
୨୦୦୬ରେ ଭିମ୍ସାର୍ରେ ୬୦ରୁ ଅଧିକ ଗ୍ରୁପ୍-ସି ଓ ଗ୍ରୁପ୍-ଡି ପଦବିରେ ନିଯୁକ୍ତି ହୋଇଥିଲା। ଉକ୍ତ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା। ସେହି ସମୟରେ ବମ୍ବେ, ଦିଲ୍ଲୀ, କୋଲକାତା, ମଧ୍ୟପ୍ରଦେଶ ଆଦି ବିଭିନ୍ନ ସ୍ଥାନର ବହୁ ଅନାମଧେୟ ସଂସ୍ଥା ଦ୍ବାରା ପ୍ରଦତ୍ତ ସାର୍ଟିଫିକେଟ୍ ବଳରେ ଚାକିରି ପାଇଁ ଆବେଦନ ହୋଇଥିଲା ଓ କର୍ତ୍ତୃପକ୍ଷ ସେଗୁଡ଼ିକୁ ଗ୍ରହଣ କରିଥିଲେ। ଉକ୍ତ ଅନାମଧେୟ ସଂସ୍ଥା ଗୁଡ଼ିକରୁ ପ୍ରଦତ୍ତ ସାର୍ଟିଫିକେଟ୍ରେ ଅଧିକ ନମ୍ବର ଦିଆ ଯାଇଥିବାରୁ ସେହି ପ୍ରାର୍ଥୀମାନେ ଚାକିରି ପାଇଥିଲେ ଓ ସ୍ଥାନୀୟ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ତୁଳନାରେ କମ୍ ନମ୍ବର ରଖି ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ଉକ୍ତ କର୍ମଚାରୀମାନେ ୬ ବର୍ଷ ଚୁକ୍ତିଭିତ୍ତିକ କାମ କରିବା ପରେ ୨୦୧୩ରେ ନିୟମିତ ହୋଇସାରିଛନ୍ତି।
ସେମାନଙ୍କ ସାର୍ଟିଫିକେଟ୍ର ଯାଞ୍ଚ ଓ ନିଯୁକ୍ତିର ପୁନର୍ବିଚାର ପାଇଁ ଭିମ୍ସାର୍ର ଅନ୍ୟ କର୍ମଚାରୀ, ସ୍ଥାନୀୟ ଲୋକେ ଅନେକ ବାର ଦାବି ଓ ଆନ୍ଦୋଳନ କଲେଣି। ଏ ସଂପର୍କରେ ଭିମ୍ସାର୍ ଅଧୀକ୍ଷକ ପ୍ର. ଲାଲ୍ମୋହନ ସ୍ବୀକାର କରିଥିଲେ ଯେ ଅଭିଯୋଗ ହେଉଥିବା କର୍ମଚାରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଏକାଧିକ ବାର ସରକାରଙ୍କ ତରଫରୁ ଚିଠିଆସିଛି। କିନ୍ତୁ ସାର୍ଟିଫିକେଟ୍ଗୁଡ଼ିକର ବୈଧତା ଯାଞ୍ଚ ଉପରେ ଆମର ଯଥେଷ୍ଟ ଜ୍ଞାନ ଓ ଅଭିଜ୍ଞତା ନଥିବାରୁ ସରକାର ଏହା କୌଣସି ବିଶେଷଜ୍ଞ କମିଟି ବା ନିରପେକ୍ଷ ଏଜେନ୍ସି ଜରିଆରେ ଯାଞ୍ଚ କରାନ୍ତୁ।