ପାକିସ୍ତାନରୁ ସାଇବର୍ ଅପରାଧୀଙ୍କ ଲଟେରି; ୨୫ ଲକ୍ଷର ଲଟେରି ଲୋଭ ଦେଖାଉଛନ୍ତି

ଓଡ଼ିଶା ପୁଲିସ୍‌ ପାଇଁ ନୂଆ ଅଡ଼ୁଆ, ପାକିସ୍ତାନ କୋଡ୍‌ରୁ ହ୍ବାଟସ୍‌ଆପ୍ କଲ୍, କୋନ୍ ବନେଗା କରୋଡପତି ନାଁରେ ଥୋପ

କଟକ : ଆପଣଙ୍କ ହ୍ବାଟସ୍‌ଆପ୍ ନମ୍ବର ଲଟେରିରେ ଉଠିଛି। ୨୫ ଲକ୍ଷ ଟଙ୍କା ଆପଣ ପାଇବାକୁ ଯାଉଛନ୍ତି। ନିକଟସ୍ଥ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଏସ୍‌ବିଆଇ) ଶାଖାରୁ ହିଁ ଏହି ଟଙ୍କା ମିଳିବ। ଏ ପ୍ରକାର ଫୋନ୍ କଲ୍ କିମ୍ବା ମେସେଜ୍‌ ଆପଣଙ୍କୁ କେହି ହ୍ବାଟସ୍‌ଆପ୍‌ରେ କରୁଛନ୍ତି କି? ପାକିସ୍ତାନରୁ ଆସୁଥିବା ଏପ୍ରକାର ଲୋଭନୀୟ ପ୍ରତିଶ୍ରୁତି ସାଇବର୍ ଅପରାଧୀ କରୁଛନ୍ତି। ୨୫ ଲକ୍ଷ ଟଙ୍କାର ଲଟେରି ଲୋଭ ଦେଖାଇ ସାଇବର୍ ଅପରାଧୀ ବ୍ୟାଙ୍କ୍ ଗ୍ରାହକଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଲୁଟି ନେଉଛନ୍ତି। ଏଭଳି ନୂଆ ଧରଣର ସାଇବର୍ ଅପରାଧକୁ ନେଇ ଓଡ଼ିଶା ପୁଲିସ ବିଭାଗ ଅଡ଼ୁଆରେ ପଡ଼ିଛି। ଏବେ କ୍ରାଇମବ୍ରାଞ୍ଚ୍‌ ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗ୍‌ ପଛରେ ପଡ଼ିଥିବା ବେଳେ ପାକିସ୍ତାନରୁ ନିୟନ୍ତ୍ରଣ କରୁଥିବା ସାଇବର୍ ଅପରାଧୀ ଗ୍ୟାଙ୍ଗ୍‌ ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଛନ୍ତି।

ସୂଚନା ଅନୁଯାୟୀ, ବ୍ୟାଙ୍କ ଗ୍ରାହକଙ୍କ ହ୍ବାଟସ୍‌ଆପ୍‌କୁ ପାକିସ୍ତାନର ଆଇଏସ୍‌ଡି(ଇଣ୍ଟରନାସନାଲ୍ ସବସ୍କ୍ରାଇବର୍ ଡାଏଲିଂ) କୋଡ୍‌ +୯୨ରେ ଏକ ମେସେଜ୍ ଆସୁଛି। ‘କେବିସି ସିମ୍ କାର୍ଡ ଲକି ଡ୍ର କମ୍ପିଟେସନ୍ ୨୦୨୨’ରେ ଗ୍ରାହକଙ୍କ ହ୍ବାଟସ୍‌ଆପ୍ ନମ୍ବର ଭାଗ୍ୟଶାଳୀ ବିଜେତା ହୋଇଥିବା ମେସେଜ୍‌ରେ କୁହାଯାଉଛି। ‘କୋନ୍ ବନେଗା କରୋଡପତି’ କାର୍ଯ୍ୟକ୍ରମରେ ଏହି ହ୍ବାଟସ୍‌ଆପ୍ ନମ୍ବର ଲଟେରି ମାଧ୍ୟମରେ ଜିତିଥିବା ସଂକ୍ରାନ୍ତ ମେସେଜ୍‌ ପଠାଉଛନ୍ତି ସାଇବର୍ ଅପରାଧୀ। ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫଟୋ ସହିତ ପୂର୍ବରୁ ଲଟେରି ଜିତିବାପରେ ଟଙ୍କା ପାଇଥିବା କିଛି ଲୋକଙ୍କ ଫଟୋ ବି ରହୁଛି। ଏହାପରେ ମେସେଜ୍‌ ପଠାଇଥିବା ସମ୍ପୃକ୍ତ ବ୍ୟକ୍ତି ହ୍ବାଟସ୍‌ଆପରେ ବ୍ୟାଙ୍କ ଗ୍ରାହକଙ୍କୁ ଫୋନ୍ କରି ହ୍ବାଟସ୍‌ଆପ୍‌ର ଦିଲ୍ଲୀ କଷ୍ଟମର୍‌ କେୟାର୍‌ ଅଫିସରୁ କହୁଥିବା ନିଜର ପରିଚୟ ଦେଉଛନ୍ତି। ଭାରତ, ନେପାଳ, ଦୁବାଇ, ଚୁନ୍‌ଆନ୍‌, ସାଉଦିଆରବ ଭଳି ୫ଟି ଦେଶର ବିଭିନ୍ନ ଲୋକଙ୍କ ହ୍ବାଟସ୍‌ଆପ୍‌ ନମ୍ବରକୁ ନେଇ ଏକ ଲଟେରି ଅନ୍ତର୍ଜାତୀୟ ସ୍ତରରେ ହୋଇଥିଲା।

ତେବେ ଏହି ହ୍ବାଟସଆପ୍ ନମ୍ବର ଜିତିଥିବା ସମ୍ପର୍କରେ ଫୋନ୍ କରିଥିବା ସାଇବର୍ ଅପରାଧୀ ବ୍ୟାଙ୍କ ଗ୍ରାହକଙ୍କୁ କହୁଛି। ଲଟେରି ମାଧ୍ୟମରେ ଉଠିଥିବା ୨୫ ଲକ୍ଷ ଟଙ୍କା ନିଜ ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଥିବାରୁ ଏହି ଲଟେରି ଦାୟିତ୍ବରେ ଥିବା ଅଧିକାରୀ ରାଣା ପ୍ରତାପ ସିଂହଙ୍କୁ ହ୍ବାଟସ୍‌ଆପ୍‌ରେ ଯୋଗାଯୋଗ କରିବାକୁ କୁହାଯାଉଛି। ସମ୍ପୃକ୍ତ ଅଧିକାରୀଙ୍କ ହ୍ବାଟସ୍‌ଆପ୍ ନମ୍ବର ୮୯୮୪୬୦୮୭୧୨ରେ କଲ୍ କରିବାକୁ କୁହାଯାଉଛି। ଯେହେତୁ ହ୍ବାଟସ୍‌ଆପ୍ ନମ୍ବର ଲଟେରିରେ ଉଠିଛି, ତେଣୁ ସମ୍ପୃକ୍ତ ଅଧିକାରୀଙ୍କୁ କେବଳ ହ୍ବାଟସ୍‌ଆପ୍‌ରେ କଲ୍ କରିବାକୁ ପରାମର୍ଶ ଦିଆଯାଉଛି। ବ୍ୟାଙ୍କରୁ ଲଟେରି ଟଙ୍କା କିଭଳି ମିଳିବ, ସେ ନେଇ ସମ୍ପୃକ୍ତ ଅଧିକାରୀ ସୂଚନା ଦେଇପାରିବେ ବୋଲି ବ୍ୟାଙ୍କ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି। ଯେତେବେଳେ ବ୍ୟାଙ୍କ ଗ୍ରାହକ ସାଇବର୍ ଅପରାଧୀଙ୍କ ଏ ପ୍ରକାର ଲୋଭନୀୟ କଥାବାର୍ତ୍ତାରେ ଫସିଯାଇ ଉକ୍ତ ନମ୍ବରରେ ଫୋନ୍ କରୁଛନ୍ତି, ଆଉ ଜଣେ ସାଇବର୍ ଅପରାଧୀ ଫୋନ୍ ଉଠାଇ ଲଟେରି ଟଙ୍କା ପାଇବା ପୂର୍ବରୁ ପ୍ରୋସେସିଂ ଫି ବାବଦ ୨୫ ହଜାର ଟଙ୍କା ମାଗୁଛନ୍ତି। ଏହି ଟଙ୍କା ଜମା କରିବା ପରେ ଟ୍ୟାକ୍ସ ବାବଦ ଅତିରିକ୍ତ ୪୫ ହଜାର ଟଙ୍କା ମାଗୁଛନ୍ତି। ଏଭଳି ଏକାଧିକ ପର୍ଯ୍ୟାୟରେ ଟଙ୍କା ଲୁଟି ମୋବାଇଲ୍ ନମ୍ବର ସୁଇଚ୍ ଅଫ୍ କରିଦେଉଥିବା ଘଟଣା ଓଡ଼ିଶା ପୁଲିସକୁ ଚିନ୍ତାରେ ପକାଇଥିବା ସୂଚନା ମିଳିଛି।

ଜଣେ ବରିଷ୍ଠ ସାଇବର୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କେହି ଏଭଳି ମେସେଜ୍‌ରେ ଲଟେରି ଜିତିଥିବା କହିଲେ ଏଥିରେ ବ୍ୟାଙ୍କ ଗ୍ରାହକମାନେ ବିଶ୍ବାସ କରିବା ଉଚିତ ନୁହେଁ। ଇଂରାଜୀରେ ଲେଖା ହୋଇଥିବା ଏହି ମେସେଜ୍‌ରେ ଏକାଧିକ ବ୍ୟାକରଣଗତ ତ୍ରୁଟି ରହିଛି। ଏଥିରୁ ଜଣାପଡ଼ିବ ଏହା କୌଣସି ସାଇବର୍ ଅପରାଧୀ ପଠାଇଛନ୍ତି। କୌଣସି ଲଟେରି ଯେତେବେଳେ ଉଠିଥାଏ ତେବେ ପ୍ରୋସେସିଂ ଫି ଏବଂ ଟ୍ୟାକ୍ ଲଟେରି ଟଙ୍କାରୁ ହିଁ କଟିବା କଥା। କିନ୍ତୁ ଯେତେବେଳେ ଲଟେରି ଟଙ୍କା ପାଇବାକୁ କେହି ଏଭଳି ଅଗ୍ରୀମ ଟଙ୍କା କେହି ଦାବି କରୁଛି, ସେ ସାଇବର୍ ଅପରାଧୀ ବୋଲି ବୁଝିଯିବା ଦରକାର ବୋଲି ସମ୍ପୃକ୍ତ ଅଧିକାରୀଜଣକ କହିଛନ୍ତି। ଏ ପ୍ରକାର ନୂଆ ଧରଣର ସାଇବର୍ ଅପରାଧ ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର