ହିଞ୍ଜିଳିକାଟୁ: ସମାଜ ଓ ପରିବାରରେ ପ୍ରେମ ସଂପର୍କକୁ ସ୍ବୀକୃତି ନମିଳିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ପ୍ରେମୀଯୁଗଳ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖଣ୍ଡରା ଗ୍ରାମ ଆମ୍ବତୋଟାରୁ ଆଜି ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର ହୋଇଛି। ଉଭୟ ଶେରଗଡ଼ ଥାନା ଇଲାକାର ମୂଳବାସିନ୍ଦା ବୋଲି ଜଣାପଡ଼ିଛି। ମୃତ ଯୁବକ (୨୦) ଓ  ନାବାଳିକା ତଥା ମାଟ୍ରିକ୍ ଛାତ୍ରୀ (୧୫)ଙ୍କ ମଧ୍ୟରେ କିଛିବର୍ଷ ହେଲା ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବକଜଣକ ହାଇଦ୍ରାବାଦର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ କିଛିଦିନ ତଳେ ଗାଁକୁ ଫେରିଥିଲେ। କିନ୍ତୁ ଉଭୟଙ୍କ ପ୍ରେମ ସଂପର୍କକୁ ପରିବାରଲୋକେ ସ୍ବୀକୃତି ଦେଉ ନଥିବାରୁ ସେମାନେ ଫେରାର୍ ହେବାକୁ ଯୋଜନା କରିଥିଲେ।
Advertisment
ଗତକାଲି ମାଟ୍ରିକ୍ ପରୀକ୍ଷା ସରିବା ପରେ ନାବାଳିକାଜଣକ ଆଉ ଘରକୁ ନଫେରି ତାଙ୍କ ପ୍ରେମିକ ସହ ବ୍ରହ୍ମପୁର ଆସିଥିଲେ। ଉଭୟ ସେଠାରେ ନୂଆ ପୋଷାକ କିଣି ‌ଷ୍ଟେସନ୍‌କୁ ଆସି ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ। ଏହି ସୂଚନା ପାଇ ଯୁବକଙ୍କ ପରିବାର ସେଠାରେ ପହଞ୍ଚିଥିଲେ। ଉଭୟଙ୍କୁ କାବୁ କରି ବସ୍‌ରେ ବସାଇଥିଲେ। କିନ୍ତୁ ସେମାନେ ଘରକୁ ଫେରି ନଥିଲେ। ଆଜି ସକାଳେ ହିଞ୍ଜିଳିକାଟୁ ଥାନା ଅଧୀନ ଖଣ୍ଡରା ଗ୍ରାମ ଆମ୍ବତୋଟାରୁ ଉଭୟଙ୍କ ଝୁଲନ୍ତା ଶବ ମିଳିଥିଲା। ଗଛରେ ରଶି ବାନ୍ଧି ସେମାନେ ଝୁଲିପଡ଼ିଥି‌ଲେ। ପରିବାରବର୍ଗ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ।
ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାଶ ଓ ଆସିକା ଏସଡିପିଓ ଉମାଶଙ୍କର ସିଂହ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଥିଲା। ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ଏନେଇ ହିଞ୍ଜିଳିକାଟୁ ଥାନାରେ କେସ୍ ନମ୍ବର ୧୨/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି। ଘଟଣାସ୍ଥଳରୁ ନାବାଳିକାଙ୍କ ସ୍କୁଲ୍‌ ୟୁନିଫର୍ମ ସମେତ ଅନ୍ୟାନ୍ୟ ଜିନିଷପତ୍ର ଜବତ ହୋଇଛି।