ସଂଗରୋଧ କେନ୍ଦ୍ରରୁ ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ୍‌

ନାବାଳିକାକୁ ଭିଡ଼ି ନେଇଗଲେ ଘରଲୋକେ
ହସ୍ତକ୍ଷେପ କଲା ଜିଲ୍ଲା ଶିଶୁ ମଙ୍ଗଳ କମିଟି, ତଦନ୍ତ ଆରମ୍ଭ
ହରଡ଼ ଘଣାରେ ସରପଞ୍ଚ ଓ ପୁଲିସ କର୍ମଚାରୀ

ବଲାଙ୍ଗୀର : କିଛିଦିନ ହେଲାଣି ପଶ୍ଚିମ ଓଡ଼ିଶାରେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଏକ ଭିଡିଓରେ ଏକ ପ୍ରେମୀଯୁଗଳଙ୍କୁ ଜବରଦସ୍ତି ଟାଣି ଟାଣି ଅଲଗା କରାଯାଉଥିବା ଏବଂ ଉଭୟେ କେହି କାହାକୁ ଛାଡ଼ୁନଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଥିଲା। ଏହି ଭିଡିଓଟି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ର ଏକ ସଂଗରୋଧ କେନ୍ଦ୍ରର ବୋଲି ଏବେ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଦୁଇମାସ ତଳେ ଲୋଇସିଂହାର ଜଣେ ନାବାଳିକାକୁ ଜଣେ ଯୁବକ ସାଙ୍ଗରେ ନେଇ ଫେରାର ହୋଇଥିଲେ। ଦୁଇ ମାସ ବାହାରେ ରହିବା ପରେ କରୋନା ଲକ୍‌ଡାଉନ୍‌ ଯୋଗୁଁ ‌ସେମାନେ ଫେରି ସଂଗରୋଧ କେନ୍ଦ୍ରରେ ରହିଥିଲେ। ଝିଅର ପରିବାର ଲୋକ ଖବର ପାଇ କିଛି ଲୋକଙ୍କୁ ଧରି ସଂଗରୋଧ କେନ୍ଦ୍ରରେ ପହଞ୍ଚି ଝିଅକୁ ଘରକୁ ନେବାକୁ ଉଦ୍ୟମ କରିଥିଲେ। ମାତ୍ର, ପ୍ରେମୀଯୁଗଳ କୌଣସି ସୁଯୋଗ ଦେଇନଥିଲେ। ଫଳରେ, ପରିବାର ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଶେଷରେ, ପୁଲିସ୍‌ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହଯୋଗରେ ପରିବାର ଲୋକ ଝିଅକୁ ନେବାରେ ସଫଳ ହୋଇଥିଲେ।

ଅନ୍ୟପକ୍ଷରେ, ଏହି ଭିଡିଓ କିଏ ସୁଟିଂ କଲା ଓ କେମିତି ଏହା ଭାଇରାଲ୍‌ ହେଲା ସେ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ତଦନ୍ତ ଆରମ୍ଭ କରିଛି। ସେହିଭଳି, ସଂଗରୋଧ କେନ୍ଦ୍ରକୁ ପରିବାର ଲୋକେ କେମିତି ଗଲେ ଏବଂ କେମିତି ଜବରଦସ୍ତି ଝିଅକୁ ନେଇଗଲେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର