ଯାଜପୁରସଦର: ଇନ୍ଷ୍ଟାଗ୍ରାମ୍ରେ ଭିଡିଓ ପୋଷ୍ଟ ଓ ଲାଇକ୍ରୁ ପ୍ରେମ। ତାକୁ ଭରସା କରି ଦୁଇ ଯୁବତୀ ଚାଲିଆସିଲେ ତାମିଲନାଡୁରୁ ଯାଜପୁର। ଅନ୍ଲାଇନ୍ ପ୍ରେମିକାକୁ ପାଖରେ ପାଇ ଗୋଟିଏ ଘରେ ବନ୍ଦ କରି ରଖିଲା ତଥାକଥିତ ପ୍ରେମିକ। ମାସେକାଳ ଗୋଟିଏ ଘରେ ବନ୍ଦ ରହିବା ପରେ ସେଠାରୁ ଦୁଇ ଯୁବତୀଙ୍କୁ ଆଜି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଫେରାର। ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦୁରେଇମୁହଁ ଅଞ୍ଚଳରେ ଆଜି ଏହାକୁ ନେଇ ଚର୍ଚ୍ଚା। ବନ୍ଦ କୋଠରିରୁ ୨ ଜଣ ଯୁବତୀଙ୍କୁ ଟାଉନ ପୁଲିସ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖିଛି।
ପୁଲିସ ସୂଚନା ଅନୁସାରେ ବଲାଙ୍ଗୀର ଖପରାଖୋଲ ଅଞ୍ଚଳର ଦୁଇ ଭଉଣୀ ଦୁଇ ବର୍ଷ ହେଲା ତାମିଲନାଡୁରେ ଏକ କଂପାନିରେ ସିଲେଇ କାମ କରୁଥିଲେ। ଯାଜପୁର ସଦର ଥାନା ଅବଦଲପୁର ବଣିଆସାହିର ରଂଜିତ ସାହୁ (୨୩)ଙ୍କ ସହ ତିନି ମାସ ହେବ ଇନଷ୍ଟାଗ୍ରାମରେ ଚାଟ୍ ହୋଇଥିଲା। ପରେ ସେମାନଙ୍କୁ ରଂଜିତ ବିବାହ ପ୍ରତିଶ୍ରୁତି ଦେଇ ଯାଜପୁରକୁ ଡକାଇଥିଲା। ଦୁଇ ଭଉଣୀ (ବୟସ ୨୩ ଓ ୧୯ ବର୍ଷ) ଟ୍ରେନ ଯୋଗେ ଯାଜପୁରରେ ପହଞ୍ଚିବା ପରେ ରଂଜିତ ସୁନ୍ଦୁରେଇମୁହଁ ଅଞ୍ଚଳର ଏକ ଭଡ଼ାଘରେ ତାଲା ପକାଇ ରଖିଥିଲା। ଏକ ମାସ ହେଲା ଦୁହିଁଙ୍କୁ ଘରେ ବନ୍ଦ କରି ରଖିଥିଲା। ଆଜି କୌଣସିମତେ ଦୁହେଁ ସେଠାରୁ ବାହାରିଥିଲେ। ପରେ ସ୍ଥାନୀୟ ଲୋକ ଓ ଜଣେ ଗଣାମାଧ୍ୟମଙ୍କ ପ୍ରତିନିଧି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଝିଅଙ୍କୁ ଉଦ୍ଧାର କରିଥିବାବେଳେ ରଂଜିତ ଫେରାର ହୋଇଯାଇଛି। ରଂଜିତର ମା’ ଓ ଦୁଇ ବଡ଼ଭାଇଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।