ମିସ୍‌କଲ୍‌ରୁ ପ୍ରେମ ପରେ ପ୍ରତାରଣା: ଯୁବତୀ ଥାନାର ଦ୍ୱାରସ୍ଥ, ଅଭିଯୁକ୍ତକୁ କୋର୍ଟଚାଲାଣ

କଲମପୁର : ଜୟପାଟଣା ଥାନା କଲମପୁର ବ୍ଲକ୍‌ ହାରାମାଲ ପଞ୍ଚାୟତର ଏକ ଗ୍ରାମରେ ରହୁଥିବା ଯୁବତୀଙ୍କ ମୋବାଇଲ୍‌କୁ କିଛି ମାସ ତଳେ ଏକ ମିସ୍‌କଲ୍‌ ଆସିଥିଲା। ଏହି କଲ୍‌ଟି ଜୁନାଗଡ଼ ଥାନା ଦେଦର ଗ୍ରାମର ବିବଚ୍ଛ ସାହୁ (କୁନାଲ)ଙ୍କ ମୋବାଇଲ୍‌ରୁ ଆସିଥିଲା। ଉଭୟଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ଚାଲିବାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛିଦିନ ପରେ ଉକ୍ତ ଯୁବତୀଙ୍କ ବିବାହ ବଲାଙ୍ଗୀର ଜିଲ୍ଲାରେ ହୋଇଯାଇଥିଲା। କିନ୍ତୁ ବିବାହ ପରେ ବି କୁନାଲ ସହିତ ଉକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ଜାରି ରହିଥିଲା। ଯୁବତୀଙ୍କ ସ୍ବାମୀ ଏହା ଜାଣିବାରୁ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ଯୁବତୀ ଜଣକ ନିଜ ବାପ ଘରେ ରହି କୁନାଲ ସହ ଯୋଗାଯୋଗରେ ରହିଥିଲେ। ପୁଣି ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା।

କୁନାଲ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ଗତ ମାସ ଜୁନ ୯ ତାରିଖରେ ଘରୁ ନେଇଯାଇ ଅଜଣା ଘରେ ରଖିଥିଲା। ପରବର୍ତ୍ତୀ ସମୟରେ ବିବାହ କରିବା ପରିବର୍ତ୍ତେ ଉକ୍ତ କୋଠରିରେ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏପରିକି କୁନାଲର ଭାଇ ଭୂପେନ୍ଦ୍ର ସାହୁ ମଧ୍ୟ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି। ୨ ଭାଇ ଯୁବତୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ। ଏନେଇ ପୀଡ଼ିତା ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜୟପାଟଣା ପୁଲିସ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଆଇଆଇସି ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର