ଲଭ-ମ୍ୟାରେଜ-ଧୋକା: ଫେସ୍‌ବୁକ୍‌ ପ୍ରେମିକ ସହ ପଳାଇଲା ଗୋଟିଏ ଛୁଆର ମା’!

ବଲାଙ୍ଗୀର : କୁହାଯାଏ ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମ ପାଇଁ ଜଣେ ଆଉ ଜଣଙ୍କୁ ଜୀବନ ଦେବାର ବି ନଜିର ଅଛି। କିନ୍ତୁ ପ୍ରେମରେ ଏମିତି ବି ପ୍ରତାରଣା ହୁଏ, ଯାହା ପବିତ୍ର ପ୍ରେମକୁ କଳଙ୍କିତ କରେ। ପରିବାରର ବାରଣ ସତ୍ତ୍ବେ ଦୁହେଁଦୁହିଁଙ୍କୁ ପାଗଳ ପରି ଭଲ ପାଇଥିଲେ। ଶେଷରେ ଘରଛାଡ଼ି ଅଗ୍ନିକୁ ସାକ୍ଷୀରଖି ଜନମ ଜନମର ସାଥୀ ହେବା ପାଇଁ ବିବାହ କରି ବୈବାହିକ ଜୀବନ ଆରମ୍ଭ କରିଥିଲେ। ଭଲପାଇବାର ସନ୍ତକ ପାଞ୍ଚବର୍ଷର ପୁଅ ବି ଅଛି। କିନ୍ତୁ ଫେସ୍‌ବୁକ୍‌ ପ୍ରେମ ମାତ୍ ଦେଲା ଅସଲ ପ୍ରେମକୁ। ପାଞ୍ଚବର୍ଷର ପୁଅର ମୋହ ବି ରଖିପାରିଲାନି ମା’କୁ। ପ୍ରେମରେ ପାଗଳି ମା’ ପ୍ରେମିକ ସାଙ୍ଗରେ ଫେରାର୍‌। ଏବେ ଶିଶୁଟି କାନ୍ଦି କାନ୍ଦି ଅହରହ ମା’କୁ ଖୋଜୁଛି। ସ୍ୱାମୀ ବି କହୁଛି, ଜୀବନଠାରୁ ଅଧିକ ଭଲପାଉଥିଲି ସ୍ତ୍ରୀକୁ। ହେଲେ ଛାଡ଼ି ଚାଲିଗଲା। ଘଟଣାକୁ ନେଇ ଥାନାରେ ରୁଜୁ ହୋଇଛି ମାମଲା। ମାମଲା ରୁଜୁ କରି ନିଦାବିଷ୍ଣୁ ପୁଲିସ। କିନ୍ତୁ କଳଙ୍କିତ ପ୍ରେମକୁ ନେଇ ସହରରେ ଏବେ ଅନେକ ଚର୍ଚ୍ଚା।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ରାମେଶ୍ୱରନଗର ପଡ଼ାରେ ରହୁଥିଲେ ରାଜସ୍ମିତା ନାଏକ, ତାଙ୍କ ସ୍ୱାମୀ ବିଶ୍ୱଜିତ, ପାଞ୍ଚବର୍ଷର ପୁଅ ଓ ବିଧବା ଶାଶୂ। ଅବଶ୍ୟ ପରିବାରରେ ଅଭାବ ଥିଲା। କିନ୍ତୁ ଖୁସିମଜାକରେ କଟୁଥିଲା ସମୟ। ହେଲେ ଲୁଚିଲୁଚି ରାଜସ୍ଥାନର ଜଣେ ଯୁବକ ସହିତ ଫେସ୍‌ବୁକ୍‌ ଚାଟିଂରୁ ପ୍ରେମ କରିଥିଲେ ରାଜସ୍ମିତା। ତାପରେ ମୋବାଇଲେରେ ଘଣ୍ଟା ଘଣ୍ଟା କଥା ହେବା ସହ ପ୍ରେମରେ ପାଗଳି ହେଲେ ଏହି ଗୋଟିଏ ଛୁଆର ମା’। ଗତ ମାର୍ଚ୍ଚ ୨ ତାରିଖ ଘରୁ ବଜାର ଯାଉଛି କହି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଖୋଜାଖୋଜି ପରେ ତାଙ୍କୁ ନପାଇବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ତାଙ୍କ ସ୍ୱାମୀ। ବଲାଙ୍ଗୀର ଟାଉନ୍‌ ଥାନାରେ ଏବେ ନିଖୋଜ ମାମଲା ରୁଜୁ କରିଛି ପୁଲିସ। ହେଲେ ଆଗେଇ ପାରୁନି ତଦନ୍ତ। ଏବେ ଛୁଆକୁ ପୋଷୁଛନ୍ତି, ପାଳୁଛନ୍ତି ବିଧବା ଶାଶୂ।

ବିଶ୍ୱଜିତ ଓ ରାଜସ୍ମିତାଙ୍କ ପ୍ରେମ କାହାଣୀ କୌଣସି ସିନେମାର ପ୍ରେମ କାହାଣୀଠୁ କମ୍‌ ନୁହେଁ। ଏମାନେ କେନ୍ଦ୍ରାପଡ଼ା ଜିଲ୍ଲା ଚନ୍ଦନପୁର ଗାଁର ମୂଳବାସିନ୍ଦା। ଗୋଟିଏ ଦଶନ୍ଧି ତଳର ପ୍ରେମ କାହାଣୀ। ଉଭୟ ଥିଲେ ପଡ଼ୋଶୀ। ପ୍ରେମରେ ଉବୁଟୁବୁ ବିଶ୍ୱଜିତ ଓ ରାଜସ୍ମିତା। ଘର ଲୋକଙ୍କ ବାରଣ ସତ୍ତ୍ୱେ ଘରୁ ଫେରାର ହୋଇ କଟକରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ଅଗ୍ନି ନହେଲେ ନାହିଁ ସରକାରୀ ଦଲିଲରେ ହାତକାଟି ଲେଖିଦେଇଥିଲେ ସାତ ଜନମର ସାଥୀ ହେବା ପାଇଁ। ଘର ଲୋକଙ୍କ ବିରୋଧ ଯୋଗୁଁ ବଲାଙ୍ଗୀର ଆସି ରାମେଶ୍ୱରନଗର ପଡ଼ାରେ ରହୁଥିଲେ। ବିଶ୍ୱଜିତ ପରିବାର ପରିପୋଷଣ ପାଇଁ ନିଜ ମାମୁଙ୍କ ଫୁଲ ଦୋକାନରେ କାମକରନ୍ତି। ଯେମିତି ରୋଜଗାର ହୁଏ ସାମର୍ଥ୍ୟ ଅନୁସାରେ ସ୍ତ୍ରୀର ଆବଶ୍ୟକତା ପୂରଣ କରନ୍ତି। କିନ୍ତୁ ବିଶ୍ୱଜିତଙ୍କ କହିବା କଥା ସବୁବେଳେ ସ୍ତ୍ରୀ ରାଜସ୍ମିତା ହାଇଫାଇରେ ରହିବା ପାଇଁ ଚାହୁଁଥିଲେ। ତେଣୁ ଫେସ୍‌ବୁକ୍‌ରେ ଚାଟିଂ କରୁକରୁ ଜଣେ ଯୁବକ ସହିତ ପ୍ରେମରେ ପଡ଼ିଥିଲେ। ଏ ନେଇ କିଛି ଦିନ ଆଗରୁ ବିଶ୍ୱଜିତ ଜାଣିଥିଲେ। ବାରଣ କରିବାରୁ ସ୍ତ୍ରୀ ତାଙ୍କ ଭାଇ ବୋଲି କହିଥିଲେ। କିନ୍ତୁ ଶେଷରେ ଦିନେ ପ୍ରେମ ପାଇଁ ଘର ଛାଡ଼ିଥିବା ପ୍ରେମିକା ନିଜ ଶାଶ୍ୱତ ପ୍ରେମକୁ ପ୍ରତାରିତ କରି ପରିବାର ଛାଡ଼ି ଫେସ୍‌ବୁକ୍‌ ପ୍ରେମିକ ସହିତ ଫେରାର୍‌। କିନ୍ତୁ ନିଜ ଜୀବନରୁ ବି ଅଧିକ ନିଜ ସ୍ତ୍ରୀକୁ ଭଲ ପାଉଥିବା ବିଶ୍ୱଜିତ ଏବେ ସ୍ତ୍ରୀର ଫଟୋ ଧରି ଗୁମୁରି ଗୁମୁରି କାନ୍ଦୁଛନ୍ତି। ଏତେସବୁ ହେଲା ପରେ ବି ସ୍ୱାମୀ ବିଶ୍ୱଜିତ ସ୍ତ୍ରୀଙ୍କୁ ଖୋଜି ଖୋଜି ପାଗଳ। ପୁଲିସ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ। କେବଳ ତାରିଖ ଦେଇ ଦେଢ଼ ମାସ ହେବ ଫେରାଇ ଦଉଛି ବଲାଙ୍ଗୀର ଆଦର୍ଶ ପୁଲିସ।

ସମ୍ବନ୍ଧିତ ଖବର