ବାରିପଦା: ପୁଣି ଏକ ପ୍ରେମବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ। ସେହି ଥାନାର ଉପରଖୁଣ୍ଟା ଗାଁରେ ବିବାହର ମାସେ ନ ପୂରୁଣୁ ଜଣେ ନବ ବିବାହିତାଙ୍କୁ ସ୍ୱାମୀ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଥିବା ଜଣାଯାଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ ଉପରଖୁଣ୍ଟା ଗ୍ରାମର ରବି ଖିଲାର ନାମକ ଜଣେ ଯୁବକ ପ୍ରାୟ ମାସେ ତଳେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାଣୀତାଲ ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଏକ ମାସ ପରେ ଅର୍ଥାତ‌୍‍ ଗତକାଲି ନବବିବାହିତ ନାବାଳିକାର ମୃତ୍ୟୁ ହୋଇଥିବା ତାଙ୍କ ବାପଘର ଲୋକେ ଖବର ପାଇଥିଲେ।  ବାପଘର ଲୋକେ ଝିଅଘରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଝିଅର ମୁଣ୍ଡ ଏବଂ ଛାତିରେ ଗଭୀର କ୍ଷତ ଚିହ୍ନ ଥିବାର ସେମାନେ ଦେଖିବାକୁ ପାଇଥିଲେ ।

publive-image

ଏହାପରେ ପୁଲିସ୍ ନିକଟରେ ନାବାଳିକାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ରବି ଖିଲାର ବାହାଘର ପରେ ଘରୁ ୧ଲକ୍ଷ ଟଙ୍କା ଆଣିବା ଲାଗି ବାରମ୍ବାର ଧମକ ଦେଇଥିଲା। ସେ ଏକଥା ବି ବାପଘର ଲୋକଙ୍କୁ ଜଣାଇଥିଲା। କିନ୍ତୁ ସେମାନେ ଅକ୍ଷମତା ପ୍ରକାଶ କରିବାରୁ  ରବି ନିୟମିତଭାବେ ନାବାଳିକା ସ୍ତ୍ରୀକୁ ମାରପିଟ କରୁଥିଲା।

ଅଭିଯୋଗକୁ ଆଧାର କରି ପୁଲିସ‌୍‍ ରବି ଖିଲାରକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ଏଣେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି କପ୍ତିପଦା ଥାନା ପୁଲିସ୍।