ଜେଲ୍‌ରେ ଲଭ୍‌ ସେକ୍ସ ଓ ଧୋକା : କର୍ମଚାରୀଙ୍କ ଜାଣତରେ ଚାଲିଥିଲା ସବୁକିଛି!

ମହିଳାଙ୍କ ଡାକ୍ତରୀ ମାଇନା, ଅଭିଯୁକ୍ତଙ୍କୁ ପଚରାଉଚୁରା

ବଲାଙ୍ଗୀର : ଟିଟିଲାଗଡ଼ ଜେଲ୍‌ ଭିତରେ ଲଭ୍‌, ସେକ୍ସ ଓ ଧୋକାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଟିଟିଲାଗଡ଼ ଥାନାରେ ଏତଲା ପରେ ପୁଲିସ ଆରମ୍ଭ କରିଛି ତଦନ୍ତ। ରବିବାର ଅଭିଯୋଗକାରିଣୀ ମହିଳାଙ୍କ ଡାକ୍ତରୀ ମାଇନା କରାଇବା ସହ ପୁଲିସ ଟିମ୍‌ ଟିଟିଲାଗଡ଼ ଉପକାରଗାରକୁ ଯାଇ ଘଟଣା ସଂପର୍କରେ ତନାଘନା କରିଛି। ଜେଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତ ପପୁଙ୍କୁ ବି ପଚରାଉଚୁରା କରିଛି। ସୋମବାର ପୀଡ଼ିତା ମହିଳାଙ୍କ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି। ସେପଟେ ମହିଳା ତାଙ୍କ ଅଭିଯୋଗପତ୍ରରେ ସ୍ପଷ୍ଟ ଲେଖିଛନ୍ତି ଯେ ଜେଲ୍‌ରେ ପପୁଙ୍କ ସହ ତାଙ୍କର ସଂପର୍କର ସବୁ କଥା ଜେଲ୍‌ର କିଛି କର୍ମଚାରୀ ଜାଣିଥିଲେ।

କେବଳ ସେତିକି ନୁହେଁ, ଅଭିଯୋଗପତ୍ରରେ ମହିଳା ସବୁ କଥା ଟିକିନିଖି ଉଲ୍ଲେଖ କରିଛନ୍ତି। ପାରିବାରିକ କଳହରୁ ଜେଲ୍‌ ହାଜତକୁ ଯାଇଥିଲେ ଏହି ମହିଳା। ପ୍ରାୟ ୫୦ ଦିନ ଜେଲ୍‌ରେ ରହିବା ପରେ ଦେଢ଼ ମାସ ତଳେ ଜାମିନରେ ଜେଲରୁ ବାହାରିଥିଲେ। ଜେଲ୍‌ରେ ସେ ଥିବା ବେଳେ ବହୁଚର୍ଚ୍ଚିତ ଜିଏସ୍‌ଟି ଠକେଇ ମାମଲାର ଅଭିଯୁକ୍ତ ତଥା ବିଚାରାଧୀନ କଏଦୀ ତୀର୍ଥଙ୍କର ପଟେଲ ଓରଫ ପପୁଙ୍କ ସହ ତାଙ୍କର ଦେଖା ହେଉଥିଲା। ମହିଳାଜଣକ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଥିବା ସମୟରେ କିଛି ଜେଲ କର୍ମଚାରୀଙ୍କ ସହାୟତାରେ ସୁବିଧା ସୁଯୋଗ ଦେଖି ମହିଳା ସେଲ୍‌କୁ ଆସି ତାଙ୍କୁ ଦେଖା କରୁଥିଲେ ପପୁ। ପ୍ରଥମେ ବିବାହର ପ୍ରତିଶ୍ରୁତି ଦେଇଥିଲେ ଓ ଶାରୀରିକ ସଂପର୍କ ରଖିଥିଲେ। ଏମିତିକି ଗତ ଡିସେମ୍ବର ୫ ତାରିଖରେ ତୀର୍ଥଙ୍କରଙ୍କ ହାତ ଲେଖା ଚିଠି ବି ତାଙ୍କ ପାଖରେ ଥିବା ସେ ଉଲ୍ଲେଖ କରିଛନ୍ତି। ତାଙ୍କ ସଂପର୍କ ବିଷୟରେ କାରାଗାରର ଜଣେ ମହିଳା କର୍ମଚାରୀ ଓ ଅନ୍ୟ ଜଣେ କର୍ମଚାରୀଙ୍କ ସହ ଏଡିଜେ କୋର୍ଟରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ବି ଅବଗତ ବୋଲି ମହିଳା ଦର୍ଶାଇଛନ୍ତି। ସେ ଜେଲରୁ ବାହାରିବା ପରେ ପପୁଙ୍କ ସହ ଫୋନ୍‌ରେ ଯାହା କଥାବାର୍ତ୍ତା ହୋଇଥିଲେ ସେ ସବୁର କଲ୍‌ ରେକର୍ଡିଂ ମହଜୁଦ ଥିବା ପୀଡ଼ିତା ପୁଲିସକୁ କହିଛନ୍ତି।

ମହିଳାଜଣକ ଗଣମାଧ୍ୟମ ଆଗରେ କହିଛନ୍ତି, ଯେହେତୁ ପପୁ ଜେଲ୍‌ ଭିତର ଅଫିସ କାମରେ ନିୟୋଜିତ ହେଉଥିଲେ ତାଙ୍କୁ ସେଥିପାଇଁ କର୍ମଚାରୀମାନେ ଭେଟିବାକୁ ସୁଯୋଗ ଦେଉଥିଲେ। ଜେଲ୍‌ରୁ ବାହାରିଲା ପରେ ବିବାହ କରିବେ ବୋଲି ସେ କହିଥିଲେ। ମହିଳା ଜଣକ ଗତ ଡିସେମ୍ବର ମାସରେ ଜାମିନରେ ବାହାରକୁ ଆସିଥିଲେ। ତାପରେ ପପୁଙ୍କୁ ନିୟମିତ ବ୍ୟବଧାନରେ ସାକ୍ଷାତ ପାଇଁ ଯାଉଥିଲେ। କିନ୍ତୁ ହଠାତ ପପୁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ କରି ସେ ତାଙ୍କୁ ଚିହ୍ନିନଥିବା କହିଥିଲେ। ପ୍ରତାରଣାର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି।

ଜେଲ ଭିତରେ ପୁରୁଷ ମହିଳାଙ୍କ ଅଲଗା ସେଲ୍‌ ଥିବା ବେଳେ କେମିତି ଉଭୟଙ୍କ ଭେଟ ହେଉଥିଲା? ଖାଲି ଭେଟ ତ ନୁହେଁ, ଶାରୀରିକ ସଂପର୍କ ପାଇଁ କେମିତି ପାଉଥିଲେ ସୁଯୋଗ? ଯଦି ମହିଳାଙ୍କ ଅଭିଯୋଗ ସତ, ତାହେଲେ ସାଙ୍ଘାତିକ। ହୁଗୁଲା ସୁରକ୍ଷା ବ୍ୟବସ୍ଥା ପାଇଁ ଦାୟୀ କିଏ? ବର୍ତ୍ତମାନ ପୁଲିସ ତଦନ୍ତ ଚଳାଇଥିବା ବେଳେ ଜେଲ ଭିତରର ସିସିଟିଭି ସବୁ କଥାର ଗୁମର ଖୋଲିବ ବୋଲି କହାଯାଉଛି।

ସମ୍ବନ୍ଧିତ ଖବର