ଜେଲରେ ଲଭ, ସେକ୍ସ ଓ ଧୋକା, ମଉନେ ସମ୍ମତି…!

ବଲାଙ୍ଗୀର : ଟିଟିଲାଗଡ଼ ଉପକାରାଗାର। ପ୍ରାୟ ୫୦ ଦିନ କାରଗାରରେ ରହି ଜଣେ ବିଚାରାଧୀନ ଅନ୍ତେବାସିନୀ ବାହାରିବା ପରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ। ଆଉ ଅଭିଯୋଗରୁ ଜଣାପଡିଯାଇଥିଲା ଜେଲ ଭିତରର ହୁଗୁଳା ବ୍ୟବସ୍ଥା। ଜେଲ ଭିତରେ ପ୍ରେମ, ତାପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ। ଆଉ ଜେଲ ବାହାରକୁ ଆସିବା ପରେ ଫୋନରେ ବାର୍ତ୍ତାଳାପ। ପରେ ପରେ ମନମାନିଗଲା ପରେ ଧୋକା ଦେଲା ପ୍ରେମିକ। ଏଭଳି କିଛି ଅଭିଯୋର ତଦନ୍ତ କରୁଛି ଟିଟିଲାଗଡ ପୁଲିସ । ତଦନ୍ତ କେତେଦୂର ଗଲା? ଯାହା ଅଭିଯୋଗ ସତ ନା ମିଛ? ଯଦି ସତ ତାହେଲେ ସିସିଟିଭିରେ ଜଣାପଡିଲା କି? ପୁଲିସ ପ୍ରମାଣ ପାଇଲାଣି ନା ମହିଳା ଯାହା ତାଙ୍କ ପଟରୁ ଦେଇଥିଲେ ସେତକ ପ୍ରମାଣରେ ଘାଣ୍ଟିଚକଟି ହେଉଛି ପୁଲିସ? ଏସବୁ ପ୍ରଶ୍ନର ଉତ୍ତର ରଖୁନି ଟିଟିଲାଗଡ଼ ପୁଲିସ। ଆଉ ଜେଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦୂରର କଥା, ଗଣମାଧ୍ୟମକୁ ଧରାଛୁଆଁ ଦେଉନାହାନ୍ତି। ଆଜି ବି ପୁଲିସ କାରଗାରକୁ ଯାଇ ତଦନ୍ତ କରିଥିଲା। ସିସିଟିଭି ଫୁଟେଜ ସବୁ ଯାଞ୍ଚ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। କର୍ମଚାରୀମାନଙ୍କୁ ବି ପୁଲିସ ପଚରାଉଚୁରା କରିଛି।

ପୀଡ଼ିତା ମହିଳା ଜଣକ ପୁଲିସକୁ ଦେଇଥିବା ଅଭିଯୋଗପତ୍ରରେ ସଫାସଫା ଲେଖିଛନ୍ତି ତାଙ୍କ ସହ ଜେଲରେ ଥିବା ଅନ୍ୟ ବିଚାରାଧୀନ କଏଦୀ ତୀର୍ଥଙ୍କର ପଟେଲ ଓରଫ ପପୁ ପ୍ରେମ ସଂପର୍କ ରଖିଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଶାରୀରିକ ସଂପର୍କ ବି ରଖିଥିଲେ। ହେଲେ ପୀଡ଼ିତା ମହିଳା ଜେଲରୁ ବାହାରିବା ପରେ ଚିହ୍ନି ନାହିଁ ବୋଲି ଶେଷରେ କହି ଧୋକା ଦେଇଥିଲେ। ପପୁଙ୍କ କିଛି ହାତଲେଖା ଓ ଫୋନରେ ବାର୍ତ୍ତାଳାପ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର କଥାର ଅଡିଓ ତାଙ୍କ ପାଖରେ ଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଜେଲ ଭିତରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥାରେ କେମିତି ପପୁ ମୋବାଇଲ ବ୍ୟବହାର କରୁଥିଲେ? କେମିତି ମହିଳାଙ୍କ ସହ ଭେଟ ହେଉଥିଲା? ଜେଲର କେଉଁମାନେ ଏଥିରେ ସହାୟତା ଯୋଗାଉଥିଲେ? ଜେଲ ଭିତର ସେଲମାନଙ୍କରେ ସିସିଟିଭି ଲାଗିଛି। ସିସିଟିଭି ଥିବା ସତ୍ୱେ କେଉଁଠି ଓ କିଏ ଭେଟ କରାଉଥିଲେ? ପୁରୁଷ ସେଲର ବିଚାରାଧୀନ କଏଦୀ ମହିଳାଙ୍କ ସେଲକୁ ଗଲେ କେମିତି? ପୀଡ଼ିତା ଯେଉଁ ମହିଳା କର୍ମଚାରୀଙ୍କ ନାଁ ସବୁ ଘଟଣା ସଂପର୍କରେ ଜାଣିଥିବା ଉଲ୍ଲେଖ କରିଛନ୍ତି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନା ନାହିଁ? ସମଗ୍ର ଅଭିଯୋଗ ଓ ପୁଲିସର ତଦନ୍ତ ପ୍ରକ୍ରିୟାକୁ ଦେଖିଲେ ଘଟଣାରେ ଜେଲ କର୍ତ୍ତୃପକ୍ଷ ବି ନିରବ। ପୀଡ଼ିତା ମହିଳା ଗଣମାଧ୍ୟମ ଆଗରେ ଦେଇଥିବା ବୟାନ ଅନୁସାରେ, ପପୁଙ୍କୁ ଜେଲ କର୍ତ୍ତୃପକ୍ଷ ଅଫିସ କାମରେ ନିୟୋଜିତ କରୁଥିଲେ। ଆଉ ସେଠାରୁ ଦେଖାସାକ୍ଷାତ ପ୍ରଥମରୁ ହୋଇଥିଲା। ପପୁ ଜେଲ କର୍ତ୍ତୃପକ୍ଷଙ୍କ କାମ କରିଦେଉଥିବାରୁ ତାଙ୍କୁ ସୁଯୋଗ ଦିଆଯାଇନଥିଲା ତ? ଏହା ଏକ ଗୁରୁତର ମାମଲା ହୋଇଥିଲେ ବି ସମଗ୍ର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ଦେଖାଦେଲାଣି । ଗତ ଶନିବାରରୁ ଟିଟିଲାଗଡ଼ ପୁଲିସ ମାମଲା ରୁଜୁ କରିଥିଲେ ବି ମଉନ ଅଛି। ଆଉ ଜେଲ କର୍ତ୍ତୃପକ୍ଷ ବି ଗୁମସୁମ। ଏଣୁ ସବୁକୁ ଦେଖିଲେ ମଉନେ ସମ୍ମତି… ବୋଲି ସାଧାରଣରେ ଏବେ ଚର୍ଚ୍ଚା।

ସମ୍ବନ୍ଧିତ ଖବର