ସମ୍ବଲପୁରରେ ପୁଣି ଲଭ୍‌ ସେକ୍ସ ଧୋକା: ମହିଳା ଥାନାର ଦ୍ୱାରସ୍ଥ ହେଲେ ଯୁବତୀ

ସମ୍ବଲପୁର : ସମ୍ବଲପୁରରେ ପୁଣି ଲଭ୍‌ ସେକ୍ସ ଧୋକା। ପ୍ରଥମେ ପ୍ରେମ କରିବା, ତାପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା। ଯୁବତୀ ଯଦି ବିବାହ ପାଇଁ କହିବା ଆରମ୍ଭ କରେ ତେବେ ଛାଡ଼ିଦେଇ ଚାଲିଯିବା ଭଳି ଘଟଣା ଦେଖିବାକୁ ମିଳୁଛି। କିଛି ଅସାମାଜିକ ଯୁବକ ଏହାକୁ ଏବେ ଏକ ପ୍ରକାର ଟ୍ରେଣ୍ଡ୍‌ ବୋଲି ଭାବି ନେଲେଣି। ପୁଲିସର ଭୟ ରହୁ ନଥିବାରୁ ଲଭ୍‌ ସେକ୍ସ ଧୋକାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ଏକ ଲଭ୍‌ସେକ୍ସ ଧୋକାର ଶିକାର ହୋଇଛନ୍ତି ସମ୍ବଲପୁର ଅଞ୍ଚଳର ଆଉଜଣେ ଯୁବତୀ।

ସଦର ଥାନା ଅଞ୍ଚଳର ଜଣେ ଯୁବକ ଯୁବତୀଙ୍କୁ ୫ ବର୍ଷ ତଳେ ପ୍ରେମ ନିବେଦନ କରିଥିଲେ। ଯୁବତୀ ଜଣକ ରାଜି ହେବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ପ୍ରତିଶ୍ରୁତି ଦେଇ ଧୀରେ ଧୀରେ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କଲା। ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ଭିତରେ ଯେବେ ଯୁବତୀ ବିବାହ କଥା ଉଠାଉଥିଲେ କୌଣସି ଏକ କାରଣ ଦର୍ଶାଇ କଥାକୁ ଟାଳି ଦେଉଥିଲା। ତେବେ ନିକଟରେ ଯୁବତୀ ଜଣକ ବିବାହ କରିବାକୁ ଅଡି ବସିବା ପରେ ଯୁବକ ଜଣକ ଆଉ ଧରାଛୁଆଁ ଦେଉ ନାହାନ୍ତି। ବିବାହ କରିବାକୁ ସିଧା ସିଧା ମନା କରିବା ପରେ ଆଉ ଯୁବତୀଙ୍କ କଲ୍‌ ବି ଉଠାଉ ନଥିବା ଯୁବତୀ ଜଣକ କହିଛନ୍ତି। ତେବେ କୌଣସି ଉପାୟ ନପାଇ ଯୁବତୀ ଜଣକ ଶନିବାର ସମ୍ବଲପୁର ମହିଳା ଥାନାରେ ଉକ୍ତ ଯୁବକ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର