ବଲାଙ୍ଗୀର : ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଓ ପରେ ଛାଡ଼ି ଦେଇ ଫେରାର ହୋଇଯାଇଥିବା ଘଟଣା ଏବେ ପୁଣି ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ତାଲପାଲି ପଡ଼ାର ଘନଶ୍ୟାମ ସାହୁଙ୍କ ନାମରେ ପୀଡ଼ିତା ଥାନାରେ ଗୁରୁତର ଅଭିଯୋଗ କରି ତାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ଜଣେ ସ୍ବାମୀ ପରିତ୍ୟକ୍ତା ଓ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ସେ ସମ୍ବଲପୁରରେ ରହୁଥିବା ବେଳେ ଅଭିଯୁକ୍ତ ଯୁବକ କୌଣସି ଏକ ବିବାହ ଉତ୍ସବକୁ ଯାଇ ୨୦୨୦ ମସିହାରେ ଏହି ମହିଳାଙ୍କ ସହିତ ଦେଖା ହୋଇଥିଲା। ଦେଖା ହେବା ପରେ ସେ ତାଙ୍କ ମୋବାଇଲ ନମ୍ବର ମାଗିଥିଲା ଓ ତାଙ୍କ ସହିତ କଥାବାର୍ତ୍ତା ବଢ଼ାଇ ପ୍ରେମଜାଲରେ ଫସାଇଥିଲା। ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ମଧ୍ୟ ରଖିଥିଲା। ଗତ ୩ ଦିନ ତଳେ ଉକ୍ତ ଯୁବକ ମହିଳାଙ୍କୁ ତାଙ୍କ ଘରକୁ ଆଣି ରଖିବା ପରେ ଗତକାଲି ରାତିରେ ହଠାତ ତାଙ୍କୁ ଛାଡ଼ି କୁଆଡ଼େ ଚାଲି ଯାଇଥିଲା। ଯୁବକଙ୍କ ମା’ ଘରେ ତାଲା ଦେଇ କୁଆଡ଼େ ଚାଲିଯିବା ପରେ ଘର ବାରଣ୍ଡାରେ ରାତି କାଟିବା ପରେ ମହିଳା ଜଣକ ଗୁରୁବାର ସକାଳେ ସେଠିକାର କିଛି ମହିଳାଙ୍କ ସହାୟତାରେ ଆସି ଥାନାର ଦ୍ବାରସ୍ଥ ହୋଇଥିବା କହିଛନ୍ତି।