ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା, ଜେଲ୍‌ ଗଲେ ପ୍ରେମିକ କନେଷ୍ଟବଳ

ଭଦ୍ରକ: ଭଦ୍ରକ ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଦୁଇଜଣ କନେଷ୍ଟବଳଙ୍କ ପ୍ରେମ କାହାଣୀ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ପ୍ରଥମେ ପ୍ରେମ, ପରେ ଦୈହିକ ସଂପର୍କ ଓ ଶେଷରେ ବିବାହ ପାଇଁ ପ୍ରତ୍ୟାଖ୍ୟାନ। ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ଜଣେ ପୁରୁଷ କନେଷ୍ଟବଳଙ୍କ ନାମରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କନେଷ୍ଟବଳ। ଅଭିଯୋଗ ଆଧାରରେ ପୁଲିସ ଥାନାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମହିଳା କନେଷ୍ଟବଳଙ୍କ ଅଭିଯୋଗ ମୁତାବକ, ଆଜିକୁ ୬ ବର୍ଷ ତଳେ ସେ ଭଦ୍ରକ ପୁଲିସ ଜିଲ୍ଲାରେ ଅବସ୍ଥାପିତ ହେବା ପରେ ସହକର୍ମୀ ପୁରୁଷ କନେଷ୍ଟବଳ ଜଗତପତି ହାଁସଦାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଜଗତପତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ବେଳେ ସେ ଭଦ୍ରକରେ ନିଯୁକ୍ତି ପାଇଥିଲେ। ମହିଳା କନେଷ୍ଟବଳ ଜଣକ ମଧ୍ୟ ଭଦ୍ରକରେ ନିଯୁକ୍ତି ପାଇଥିଲେ। ଉଭୟ ୨୦୦୯ରୁ ଚାକିରି ଆରମ୍ଭ କରିଛନ୍ତି। ସଂପର୍କ ନିବିଡ଼ ହେବା ପରେ ମହିଳା କନେଷ୍ଟବଳ ଜଣକ ଜଗତପତିଙ୍କୁ ବିବାହ କରିବାକୁ କହିଥିଲେ। ବାରମ୍ବାର ବିବାହ ପ୍ରସ୍ତାବକୁ ଏଡ଼ାଇ ଚାଲିବାରୁ ଦିନେ ବିବାହ ପାଇଁ ଜିଦ୍ କରିଥିଲେ ସଂପୃକ୍ତ ମହିଳା କନେଷ୍ଟବଳ। ମାତ୍ର ରୋକଠୋକ୍‌ ମନା କରି ଦେଇଥିଲେ ଜଗତପତି। ସେଇଠୁ ବିବାଦର ସୂତ୍ରପାତ ହୋଇଥିଲା। ପ୍ରେମିକଙ୍କଠାରୁ ପ୍ରତାରିତା ହେବା ପରେ ମହିଳା କନେଷ୍ଟବଳ ଜଣକ ଥାନାରେ ଅଭିଯୋଗ କଲେ। ସମାଧାନର ସୂତ୍ର କିଛି ନବାହାରିବାରୁ ଶେଷରେ ଭଦ୍ରକ ଏସ୍‌ପିଙ୍କୁ ଭେଟି ଫେରାଦ ହୋଇଥିଲେ। ମାତ୍ର ଏସ୍‌ପିଙ୍କ ଆଗରେ ବି ଜଗତପତି ମହିଳା କନେଷ୍ଟବଳଙ୍କୁ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ। ସବୁ ଆଡୁ ନିରାଶ ହେବା ପରେ ମହିଳା କନେଷ୍ଟବଳଙ୍କ ଅଭିଯୋଗ କ୍ରମେ ଭଦ୍ରକ ଟାଉନ୍‌ ଥାନା କେସ୍‌ ନଂ ୩୮୫/୧୯ରେ ଜଗତପତିଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର