ଅନୁଗୁଳ: ମା’ ମାଟିର ସମ୍ମାନ ରକ୍ଷା ପାଇଁ ରୀତିମତ ଉଦ୍ୟମ କର। ନିଜ ଅଞ୍ଚଳକୁ ଭଲ ପାଇବାର ଅଭ୍ୟାସ କଲେ, ସାମ୍ବାଦିକମାନଙ୍କର ଅନେକ କଷ୍ଟ ଦୂର ହୋଇଯିବ ବୋଲି ପରାମର୍ଶ ଦେଇଛନ୍ତି ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ‘ସମ୍ବାଦ’ ଅନୁଗୁଳ ସଂସ୍କରଣର ସ୍ବନକ୍ଷତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ନିଜ ମାଟିକୁ ଭଲପାଇବା ପାଇଁ ସାମ୍ବାଦିକମାନଙ୍କୁ ଆହ୍ବାନ ଦେଇଛନ୍ତି।

Advertisment

ଅନୁଗୁଳ ‘ସମ୍ବାଦ’ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସ୍ବନକ୍ଷତ୍ର ସମାରୋହରେ ଯୋଗଦେଇ ସେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ପାଣି ସମସ୍ୟାରୁ ଆରମ୍ଭ କରି ପ୍ରଦୂଷଣ, ବିସ୍ଥାପନ ପରି ନାନା ସମସ୍ୟାରେ ଲୋକମାନେ ସନ୍ତୁଳି ହେଉଛନ୍ତି। ଏହି ସବୁ ସମସ୍ୟା ସାମ୍‌ନାକୁ ଆଣି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ନିଜ ଅଞ୍ଚଳ ପ୍ରତି ଅନ୍ୟାୟ ହେଲେ ସାମ୍ବାଦିକଙ୍କୁ ଯଦି ବାଧୁଥିବ, ସେ ମାଟିକୁ ଭଲ ପାଉଛି ବୋଲି ବୁଝିବାକୁ ହେବ। ଅନ୍ୟପକ୍ଷରେ ନିଜ ଅଞ୍ଚଳର ଚାଷୀଙ୍କୁ, ଶିକ୍ଷକଙ୍କୁ ଭଲ ନ ପାଇଲେ ମାଟିକୁ ଭଲ ପାଇବାର ପ୍ରମାଣ ମିଳିବ ନାହିଁ।

ଏହାକୁ ମନରେ ରଖି ଆମେ କାମ କରିବା ଆବଶ୍ୟକ ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ‘ସମ୍ବାଦ’ର ପ୍ରକାଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର ଯୋଗ ଦେଇ କହିଲେ, ‘ସମ୍ବାଦ’ ଏକାଧିକ ସଂସ୍କରଣ କରି ଓଡ଼ିଶାର ବିବିଧତାକୁ ଯୋଡ଼ିପାରିଛି। ଜନସାଧାରଣଙ୍କୁ ଖବରକାଗଜ ସହ ସାମିଲ କରି ଏକ ନୂଆ ପରମ୍ପରା ଆରମ୍ଭ କରିଛି। ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ କହିଲେ, ସାମ୍ବାଦିକମାନେ ଖବରକୁ ଉପଭୋଗ କଲେ ହିଁ ଭଲ ଖବର ପ୍ରସ୍ତୁତ କରିପାରିବେ। ଉପମହାପ୍ରବନ୍ଧକ(ବାର୍ତ୍ତା) ଭବାନୀ ଶଙ୍କର ତ୍ରିପାଠୀ କହିଲେ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଅନେକ ଖବର ସହ ଆହ୍ବାନ ଅଛି। ଏହାକୁ ଦୃଷ୍ଟିରେ ରଖି ଏ ମାଟିର ସ୍ବରକୁ ଅଧିକ ଶାଣିତ କରିବାର ସମୟ ଆସିଛି।

ସଭା ପ୍ରାରମ୍ଭରେ ଅନୁଗୁଳ ସଂସ୍କରଣ ମୁଖ୍ୟ ତଥା ଉପମହାପ୍ରବନ୍ଧକ(ବାର୍ତ୍ତା) ସୁବ୍ରତ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଅନୁଗୁଳ ନଗର ପ୍ରତିନିଧି ବିକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଫଳ ସାମ୍ବାଦିକ ଓ ଏଜେଣ୍ଟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।