ଯୁବତୀକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ମାମଲା: ପ୍ରେମିକ ଓ ଗାଡ଼ି ଡ୍ରାଇଭରକୁ ଆଜୀବନ କାରାଦଣ୍ଡ

ସୁନା କିଣିବା ଅଭିଯୋଗରେ ଦୋକାନୀକୁ ୩ ବର୍ଷ ଜେଲ୍, ୬ ବର୍ଷ ପରେ ନ୍ୟାୟ ପାଇଲେ ପୀଡ଼ିତାଙ୍କ ପରିବାର

ରାୟଗଡ଼ା: ଯୁବତୀକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଜିଲ୍ଲା ଦୌରାଜଜ୍ ବିକ୍ରମ କେଶରୀ ପଟ୍ଟନାୟକ। ରାୟରେ ହତ୍ୟାକାଣ୍ଡରେ ସଂପୃକ୍ତ ପ୍ରେମିକ କୁମାର ସାଉଁନ୍ତା ଓ ଗାଡ଼ି ଡ୍ରାଇଭର୍ ଚକ୍ର ଯାନିଙ୍କୁ ବିଚାରପତି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ହତ୍ୟା ପରେ ଯୁବତୀଙ୍କ ସୁନା କିଣିଥିବା ଅଭିଯୋଗରେ ଦୋକାନୀ କୈଳାସ ଚନ୍ଦ୍ର ବାଡୁଙ୍କ ୩ ବର୍ଷ ସଜା ଶୁଣାଇଛନ୍ତି। ୨୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ୍ ରିପୋର୍ଟ, ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଏପରି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ ଶ୍ରୀ ପଟ୍ଟନାୟକ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଦିଆସିଲି ଗ୍ରାମର ରେଶମା ହିକକା (ଛଦ୍ମନାମ) ଙ୍କୁ ଭଲ ପାଉଥିଲେ କାକିରିଗୁମ୍ମା ଥାନା କାପସିପୁଟ ଗ୍ରାମର କୁମାର ସାଉଁନ୍ତା। ଉଭୟଙ୍କ ମଧ୍ୟରେ କିଛି ଦିନର ପ୍ରେମ ସଂପର୍କ ପରେ ୨୦୧୬ ନଭେମ୍ବର ୩ ତାରିଖରେ କୁମାର ସାଉଁନ୍ତା ଫୋନ୍ କରି ରେଶମାଙ୍କୁ ଡାକିଥିଲେ। ରେଶମା ଘରୁ ଆସିବା ପରେ ଏକ ଗାଡ଼ି ଯୋଗେ କୁମାର କାକିରିଗୁମ୍ମା ଅଭିୁମଖେ ନେଇଥିଲେ। ସଂଧ୍ୟାରେ କାକିରିଗୁମ୍ମାରୁ ଲକ୍ଷ୍ମୀପୁର ଫେରୁଥିବା ବେଳେ ତୋୟାପୁଟ ନିକଟ ଏକ ନୀଳଗିରି ଜଙ୍ଗଲକୁ ରେଶମାଙ୍କୁ ଡାକି ନେଇଥିଲେ କୁମାର। ସେଠାରେ ପ୍ରେମିକ କୁମାର ଓ ଗାଡ଼ି ଡ୍ରାଇଭର ଗୌଡ଼ଗୁଡା ଗ୍ରାମର ଚକ୍ର ଯାନି ଉଭୟେ ରେଶମାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ରେଶମା ଏହାର ପ୍ରତିବାଦ କରିବା ସତ୍ତ୍ବେ ଉଭୟେ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରି ଟ୍ରେନ୍ ଲାଇନରେ ଫୋପାଡ଼ି ଦେଇଥିଲେ। ରେଶମା ପିନ୍ଧିଥିବା ସୁନାକୁ ନେଇ ଦୁଇ ଅଭିଯୁକ୍ତ ଦାମନଯୋଡ଼ି ଥାନା ଭେଜାପୁଟର ସୁନା ଦୋକାନୀ କୈଳାସ ଚନ୍ଦ୍ର ବାଡୁକୁ ବିକ୍ରି କରି ଦେଇଥିଲେ। ୪ ତାରିଖ ସକାଳେ ଟ୍ରେନ୍ ଡ୍ରାଇଭର ଯୁବତୀଙ୍କ ମୃତଦେହକୁ ଦେଖି କାକିରିଗୁମ୍ମା ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରିଥିଲେ। ରେଶମା ଘରୁ ଚାଲିଯିବା ପରେ ବାପା ଝୁମୁରା ହିକକା ଝିଅ ନିଖୋଜ ଥିବା ନେଇ ଲକ୍ଷ୍ମୀପୁର ଥାନାରେ ଏତଲା ଦେଇଥିଲେ। ଷ୍ଟେସନ ମାଷ୍ଟର ପୁଲିସକୁ ଅବଗତ କରିବା ପରେ କାକିରିଗୁମ୍ମା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ରେଶମାଙ୍କ ମୃତଦେହକୁ ଚିହ୍ନଟ କରିବା ସହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଥିଲା।

ଘଟଣା ପରେ ରେଶମାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ପୁଲିସ୍ କୁମାର ସାଉଁନ୍ତା ଓ ଗାଡ଼ି ଡ୍ରାଇଭର କୁମାର ଯାନିକୁ ପୁଲିସ୍ ଗିରଫ କରିବା ସହ ବିକ୍ରି ସୁନାକୁ ଭେଜାପୁଟରୁ ଉଦ୍ଧାର କରିଥିଲା। କାକିରିଗୁମ୍ମା ପୁଲିସ୍ ଚାର୍ଜସିଟ୍ ଦାଖଲ କରିବା ପରେ କୋରାପୁଟ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମାମଲାର ବିଚାର ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୯ ମସିହାରେ ହାଇକୋର୍ଟଙ୍କ ନିର୍ଦେଶରେ ମାମଲା ରାୟଗଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟଙ୍କୁ ସ୍ଥାନାନ୍ତର ହୋଇଥିଲା। ମାମଲାର ବିଚାର ଚାଲିଥିବା ବେଳେ ଆଜି ଚୂଡ଼ାନ୍ତ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା ଦୌରାଜଜ୍ ଶ୍ରୀ ପଟ୍ଟନାୟକ। ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ସୁନା କିଣିଥିବା ଦୋକାନୀକୁ ୩ ବର୍ଷ ସଜା ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଜିତ୍ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ହତ୍ୟାକାଣ୍ଡର ଦୀର୍ଘ ୬ ବର୍ଷ ପରେ ନ୍ୟାୟ ମିଳିବା ପରେ ରେଶମାଙ୍କ ପରିବାର ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର