କଚେରି ପରିସରରେ ବିଷ ପିଇଲେ ପ୍ରେମିକ

ବାଲେଶ୍ୱର : ବାହାହେବାକୁ ଡାକି ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଭୁଲିଯିବାକୁ ପରାମର୍ଶ ଦେବାର ପରିଣତି ବିଷମୟ ହୋଇଛି। ଏମିତି ଅପ୍ରତ୍ୟାଶିତ ଘଟଣାରେ ଯୁବକ ଜଣକ ଶେଷରେ ଆଜି ଯୁବତୀଙ୍କ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏ ଘଟଣା ପୁଣି କେଉଁ ନିଛାଟିଆ ସ୍ଥାନରେ ଘଟିନି, ଘଟିଛି ବାଲେଶ୍ୱର ସହରର କଚେରି ପରିସରରେ, ଦିନ ଦ୍ୱି ପ୍ରହରରେ। ଘଟଣା ଜାଣିବା ପରେ ବାଲେଶ୍ୱର ଓକିଲ ସଂଘର କର୍ମକର୍ତ୍ତାମାନେ ସହଦେବଖୁଣ୍ଟା ଥାନାକୁ ତୁରନ୍ତ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲେଶ୍ୱର ସଦର ହସ୍‌ପିଟାଲରେ ଭର୍ତ୍ତି କରିଛି।

ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଘର ଯାଜପୁର ଜିଲ୍ଲା ତାରାକୋଟ ଅଞ୍ଚଳରେ। ତାଙ୍କ ନାମ ସୁଜିତ୍‌ କୁମାର ସାହୁ। ସେ ଭୁବନେଶ୍ୱରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା କରନ୍ତି। ଯୁବତୀ ସଶ୍ମିତା (ଛଦ୍ମନାମ)ଙ୍କ ଘର ମୟୂରଭଞ୍ଜର ବାରିପଦା ସହରରେ। ସେ ବାଲେଶ୍ୱରସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପନା କରୁଥିବା ଜଣାପଡ଼ିଛି। ସୁଜିିତ୍‌୍‌ଙ୍କ ଅଭିଯୋଗ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ବର୍ଷେ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛିଦିନ ହେଲା ସଶ୍ମିତା ତାଙ୍କଠାରୁ ଦୂରେଇ ଦୂରେଇ ରହୁଥିଲେ। ଏନେଇ ସେ ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗତ ରବିବାର ଦିନ ସଶ୍ମିତା ସୁଜିତଙ୍କୁ ଫୋନ୍‌ କରି ବାହା ହେବାକୁ ପ୍ରତିଶ୍ରୁତି ଦେବା ସହ ଭେଟିବା ପାଇଁ ବାଲେଶ୍ୱରକୁ ଡାକିଥିଲେ। ଆଜି ସୁଜିତ ବାଲେଶ୍ୱରରେ ପହଞ୍ଚି ସଶ୍ମିତାଙ୍କୁ ଭେଟିଥିଲେ। ହେଲେ ଫୋନ୍‌ରେ ହୋଇଥିବା କଥାବାର୍ତା ବଦଳରେ ସଶ୍ମିତା ତାଙ୍କୁ ଓଲଟା କଥା କହିଥିଲେ। ସେ ଆଉଜଣେ ଯୁବକଙ୍କୁ ଭଲ ପାଉଥିବା କହି ତାଙ୍କୁ ଭୁଲି ଯିବାକୁ ବୁଝାଇଥିଲେ। ମାତ୍ର ସୁଜିତ ବାହା ନହେଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଏମିତି ଧମକ ଶୁଣି ଶେଷରେ ସଶ୍ମିତା ବାହାହେବେ ବୋଲି ରାଜି ହୋଇ କଚେରିରେ ପହଞ୍ଚିଥିଲେ। ହେଲେ କଚେରି ପରିସରରେ ପହଞ୍ଚିବା ପରେ ହଠାତ୍‌ ଖୁବ୍‌ ଜୋର୍‌ରେ ଚିତ୍କାର କରିଥିଲେ ସଶ୍ମିତା। ତାଙ୍କ ଚିତ୍କାର ଶୁଣି ଓକିଲମାନେ ଏକାଠି ହୋଇ ଘଟଣା ସମ୍ପର୍କରେ ପଚାରିଥିଲେ। ଏପରି ପ୍ରତାରଣା ଓ ଲୋକଲଜ୍ଜା ସହି ନପାରି ସୁଜିତ ସାଙ୍ଗରେ ଆଣିଥିବା ସୁପରକିଲର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମାନିଛନ୍ତି।

ସମ୍ବନ୍ଧିତ ଖବର