ପ୍ରେମିକର ବିବାହ ଖବର ଶୁଣି ଥାନାରେ ବିଷ ପିଇଦେଲେ ଯୁବତୀ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପରିସରରେ ଆଜି ଜଣେ ଯୁବତୀ ବିଷ ପିଇ ଗୁରତର ହୋଇଥିବାର ଖବର ମିଳିଛି। ଏହି ଯୁବତୀଜଣକ ହେଲେ ସୋମଣା ଶାସନ ଗ୍ରାମର ବିଚିତ୍ରାନନ୍ଦ ବେହେରାଙ୍କ ଝିଅ ରୀତା ବେହେରା (୨୪)। ପ୍ରେମିକର ବିବାହ ଖବର ଶୁଣି ଯୁବତୀଜଣଙ୍କ ଏପରି କାଣ୍ଡ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସୋମାଣା ଶାସନ ଗ୍ରାମର କୈଳାସ ବେହେରାଙ୍କ ପାଳିତ ପୁଅ ଗୋପାଳ ବେହେରା ( ୪୦ ) ଏବଂ ରୀତାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ଉଭୟଙ୍କ ମଧ୍ୟରେ ବହୁବାର ବିବାଦ ଦେଖାଯାଇଥିଲା। ରୀତାଙ୍କ ଅଭିଯୋଗ ଆଧାରରେ ଗୋପାଳ ପୂର୍ବରୁ ଜେଲ ମଧ୍ୟ ଯାଇଥିଲା। ଗତ ସେପ୍ଟେମ୍ବର ମାସରେ ଗୋପାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ ସମୟରେ ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା।
ଗୋପାଳ ତାଙ୍କୁ ଥରେ ବଳାତ୍କାର ଉଦ୍ୟମ କରିଥିବା ରୀତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଅକୁ ଘରୁ ଡାକି ନେଇ ମାଡ଼ମାରି ଗୋଡ଼ହାତ ଭାଙ୍ଗି ଗାଁ ମୁଣ୍ଡ ଟ୍ରାନ୍ସଫର୍ମର ନିକଟରେ ପକାଇ ଚାଲିଯାଇଥିବା ଗୋପାଳଙ୍କ ବାପା କୈଳାସ ବେହେରା ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ଗୋପାଳ ଝିଅ ସହିତ ବହୁବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ରୀତାଙ୍କ ମା ସୁଷମା ବେହେରା କହିଛନ୍ତି।
ଆଜି ଗୋପାଳର ଅନ୍ୟତ୍ର ବିବାହ ହେଉଥିବା ଯୁବତୀ ଶୁଣିବାକୁ ପାଇଥିଲେ। ସକାଳୁ ବାପା ମାଙ୍କ ସହ ରୀତା ଥାନାକୁ ଆସିଥିଲେ। ରୀତା ପାଖରେ ଲୁଚେଇ ରଖିଥିବା ବିଷ ବୋତଲ କାଢ଼ି ପିଇଦେଇଥିଲେ। ପୁଲିସ ରୀତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରେମିକ ଗୋପାଳର କେଉଁଠି ବାହାଘର ହେଉଛି ପୁଲିସ ପାଖରେ ସୂଚନା ନ ଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର