ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ: ଗୋଟିଏ ଦିନରେ ଗଛରେ ଝୁଲିପଡ଼ିଲେ ୨ ପ୍ରେମୀଯୁଗଳ !  

ନବରଙ୍ଗପୁର: ସଂସାର ଆରମ୍ଭ ପୂର୍ବରୁ ଆରପାରିକୁ ଚାଲିଗଲେ ୪ ଲଭବାର୍ଡ | ପ୍ରେମର ପାଠ ପଢୁ ପଢୁ ବାଛିନେଲେ ଆତ୍ମହତ୍ୟାର ବାଟ | ଆଜି ନବରଙ୍ଗପୁରରେ ଏମିତି ଦୁଇଟି ଘଟଣା ଘଟିଛି ଯାହାକି ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି |  ନବରଙ୍ଗପୁରର ପାପଡାହାଣ୍ଡି ଓ ଚନ୍ଦାହାଣ୍ଡିରୁ ଦୁଇ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତର ବତାଶର ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି | ପ୍ରେମିକାଙ୍କ ପରିଚୟ ମିଳିଥିବା ବେଳେ ପ୍ରେମିକଙ୍କ ପରିଚୟ ମିଳିପାରିନାହିଁ |

ଯୁବତୀଙ୍କ ପରିବାରର କହିବା ମୁତାବକ ଗତକାଲି ସନ୍ଧ୍ୟାରୁ ସେ ନିଖୋଜ ଥିଲେ | ଆଜି ଜଙ୍ଗଲରେ ଉଭୟ ପ୍ରେମିକ-ପ୍ରେମିକାଙ୍କର ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା | ଏହା ଜଣାପଡିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି | ତେବେ ମୃତ୍ୟୁର କାରଣ ଜଣାପଡିନାହିଁ |

ସେହିପରି ଅନ୍ୟ ଏକ ଘଟଣାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଶରଧାପୁର ଗ୍ରାମଠାରୁ ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ଦୁଇ ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

ସୂଚନାରୁ ପ୍ରକାଶ, ଶରଧାପୁର ଗ୍ରାମର ଜନୈକା ଯୁବତୀ ଆଜକୁ ବର୍ଷ ତଳେ ନୂଆପଡା ଜିଲ୍ଲା ସିନାପାଲିରେ ବିବାହ କରିଥିଲେ । ତେବେ ଗତ ପନ୍ଦର ଦିନ ତଳେ ଶରଧାପୁର ଗ୍ରାମର ଯୁବକ ଉକ୍ତ ଯୁବତୀକୁ ନେଇ କେଉଁ ଆଡେ ଚାଲିଯାଇଥିଲା । ଉଭୟଙ୍କ ପରିବାର ବହୁ ଖୋଜି ଥିଲେ କିନ୍ତୁ ପାଇ ନଥିଲେ । ଗତକାଲି ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଆସିଥିଲେ କିନ୍ତୁ ଶେଷରେ ଦୁଇଜଣ ଗୋଟିଏ ରଶିରେ ଆତ୍ମହତ୍ୟା କରିଥିବା ଆଜି ସକାଳେ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି ।

ସମ୍ବନ୍ଧିତ ଖବର