ପରକୀୟା ପ୍ରେମର କରୁଣ ପରିଣତି : ଫାଶୀ ଲଗାଇ ଝୁଲିପଡ଼ିଲେ ପ୍ରେମୀଯୁଗଳ

ରାଇରଙ୍ଗପୁର/ଝରାଡ଼ିହି : ପରକୀୟା ପ୍ରେମ ଯୋଗୁ ଶେଷରାସ୍ତା ବାଛିବାକୁ ବାଧ୍ୟହେଲେ ପ୍ରେମୀଯୁଗଳ। ସୋମବାର ପୂର୍ବାହ୍ନରେ ମୟୂରଭଞ୍ଜ ତିରିଂ ଥାନା ଗିଦିଲତା ଗ୍ରାମର ଡୁଙ୍ଗୁରିହୁଡ଼ିରୁ ଏକ ପ୍ରେମୀଯୁଗଳଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗିତିଲତା ଗ୍ରାମର ଶ୍ରୀହରି ପାତ୍ରଙ୍କ ପୁଅ ରାମେଶ୍ବର ପାତ୍ର (୨୪) ଓ ସେହି ଗ୍ରାମର ଘାସିଆ ନାଏକଙ୍କ ଝିଅ ସାବିତ୍ରୀ ନାଏକ ଦେଓଗାମ (୨୧)।

ରାମେଶ୍ବର ବିବାହିତ ଓ ତାଙ୍କର ଗୋଟିଏ ସନ୍ତାନ ରହିଛି। ରାମେଶ୍ବର ବିବାହିତ ହୋଇଥିଲେ ମଧ୍ୟ ସାବିତ୍ରୀଙ୍କ ପ୍ରେମରେ ପଡ଼ିଯାଇଥିଲେ। ସମ୍ପର୍କ ଏତେ ବାଟକୁ ଚାଲିଯାଇଥିଲା ଯେ, ଅନେକ ସମୟରେ ରାମେଶ୍ବରଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ପରିବାରରେ ଅଶାନ୍ତି ସାଙ୍ଗକୁ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ତଥାପି ଦୁହେଁ ମିଳାମିଶା ଛାଡ଼ି ନଥିଲେ। କିଛି ମାସ ତଳେ କାମ କରିବାକୁ ରାମେଶ୍ବର ବାହାର ରାଜ୍ୟକୁ ପଳାଇଥିଲେ। ତେବେ ସମସ୍ତଙ୍କ ଅଜାଣତରେ ଗାଁରେ ପହଞ୍ଚି ସାବିତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ। ଗ୍ରାମବାସୀ ଓ ପରିବାର ଲୋକଙ୍କ ଅଗୋଚରରେ ଉଭୟ ଯାଇ ପହଞ୍ଚିଥିଲେ ହୁଡ଼ିରେ। ଏ ଜନ୍ମରେ ଆଉ ଏକାଠି ରହିବା ଅସମ୍ଭବ ଜାଣିବା ପରେ ଶେଷ ରାସ୍ତା ବାଛି ନେଇଥିଲେ। ସାବିତ୍ରୀଙ୍କ ଓଢ଼ଣୀରେ ଫାଶୀ ଲଗାଇ ଉଭୟ ଝୁଲିପଡ଼ିଥିଲେ। ତିରିଂ ଥାନା ପୁଲିସ ଆଜି ଘଟଣାସ୍ଥଳରୁ ମୃତଦେହ ଦୁଇଟିକୁ ଜବତ କରି ରାଇରଙ୍ଗପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ ରାମେଶ୍ବର। ତେବେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ବେଳେ କରୋନା ପ୍ରୋଟୋକଲ୍‌ ପାଳନ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର