ଭୁବନେଶ୍ୱର : ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରୁ ଆଜି ଏକ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜବତ କରିଛି। ମୃତକଦ୍ୱୟ ହେଲେ, ଜ୍ୟୋତ୍ସ୍ନାରାଣୀ ଓ ଉମେଶ ମହାଳି। ସଂପର୍କରେ ଉଭୟ ମାଉସୀ-ପୁତୁରା। ଉଭୟଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ପୁଲିସ ଶବଦ୍ୱୟକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏ ସଂପର୍କରେ ପୁଲିସ ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଉମେଶଠାରୁ ଜ୍ୟୋତ୍ସ୍ନାରାଣୀ ବୟସରେ ୧୦ ବର୍ଷ ବଡ଼। ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଓ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ ପରିବାରଲୋକ ଏଥିରେ ଅରାଜି ହେବାରୁ ଉଭୟ ଘର ଛାଡ଼ି ମାସେ ତଳେ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ଚନ୍ଦ୍ରଶେଖରପୁରରେ ଜଣେ ଠିକାଦାରଙ୍କ ନିକଟରେ ରହି କାମ କରୁଥିଲେ। ତେବେ ପରିବାରଲୋକ ସେମାନଙ୍କ ଠିକଣା ପାଇ ଭୁବନେଶ୍ୱର ଆସୁଥିବା ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇବା ପରେ ସେମାନେ ଭୟଭୀତ ହୋଇଯାଇଥିଲେ। ତେଣୁ ଏପରି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଛାତ ବିମ୍ରେ ଏକ ଲୁଗାରେ ସେମାନଙ୍କ ଶବ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।