ଗୋଧସ୍‌ ଜଳପ୍ରପାତରେ ପ୍ରେମୀଯୁଗଳ ନିଖୋଜ, ୬ ଘଣ୍ଟା ପରେ ବି ଅଗ୍ନିଶମ ବାହିନୀ ନିରାଶ

ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ୍‌ ଜବତ

ନୂଆପଡ଼ା : ନୂଆପଡ଼ା ସଦର ବ୍ଲକ୍‌ ଭରୁଆମୁଣ୍ଡ ପଞ୍ଚାୟତ ଗୋଧସ୍‌ ଜଳପ୍ରପାତରେ ପୁଣି ଏକ ଅଘଟଣ ଘଟିଛି। ଜଳପ୍ରପାତକୁ ଡେଇଁପଡ଼ି ପ୍ରେମୀଯୁଗଳ ନିଖୋଜ ହୋଇଥିବା ଜଣାପଡ଼ିଛି। ଧରମବନ୍ଧା ପୁଲିସ ଖବର ପାଇ ନୂଆପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ସେଠାରେ ଅଗ୍ନିଶମ କର୍ମଚାରୀମାନେ ୬ଘଣ୍ଟା ଖୋଜାଖୋଜି କରିବା ପରେ ବି ପ୍ରେମୀ ଯୁଗଳଙ୍କ ପତ୍ତା ମିଳିନାହିଁ।

ସୂଚନାନୁସାରେ ରବିବାର ସକାଳେ ଧରମବନ୍ଧା ଥାନାକୁ ଭରୁଆମୁଣ୍ଡା ଗ୍ରାମର କିଛି ଲୋକ ଖବର ଦେଇଥିଲେ ଯେ ଜଳପ୍ରପାତ ଉପରେ ଥିବା ଏକ ଗଛରେ ପ୍ରେମୀଯୁଗଳଙ୍କ କିଛି ସାମଗ୍ରୀ ରହିଛି। ଥାନା ଅଧିକାରୀ ସଂଯୁକ୍ତା ବାର୍ଲା ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ। ସେଠାରୁ ଏକ ଶାଗୁଆ ସାର୍ଟ, ଫୁଲ୍‌ ପ୍ୟାଣ୍ଟ ଓ ହାତ ଘଣ୍ଟା, ଟର୍ଚ୍ଚ ଲାଇଟ, ଜରିରେ ଥିବା ଆତ୍ମହତ୍ୟା ନୋଟ୍‌ ଜବତ କରିଥିଲେ। ଏହି ଆତ୍ମହତ୍ୟା ନୋଟ୍‌ରେ ଲେଖାଯାଇଛି ଯେ ଉଭୟ ଉଭୟଙ୍କୁ ପ୍ରେମ କରୁଛୁ। କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିବାରୁ ଆମେ ଆତ୍ମହତ୍ୟା କରୁଛୁ। ଧରମବନ୍ଧା ଥାନା ଅଧିକାରୀ ସଂଯୁକ୍ତା ବାର୍ଲା କହିଛନ୍ତି ଯେ ନିଖୋଜ ୨ଜଣ ହେଲେ ଛତିଶଗଡ଼ ପିପେଲଛେଣ୍ଡ ଥାନା ଥୁଆପାନୀ ଅଞ୍ଚଳର ବୋଲି ଜଣାପଡ଼ିଛି। ସୋମବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ ‌ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟ ପିପେଲଛେଣ୍ଡ ଥାନା ଅଞ୍ଚଳର ପ୍ରେମୀଯୁଗଳ ଚଳିତ ମାସ ୨୪ ତାରିଖ ଶୁକ୍ରବାର ଠାରୁ ନିଖୋଜ ଅଛନ୍ତି। ଗୋଧସ୍ ଜଳପ୍ରପାତରେ ବାରମ୍ବାର ଏଭଳି ଘଟଣା ଯୋଗୁଁ ଭୟର ବାତାବରଣ ସୃଷ୍ଟି ହେଉଛି। ଲୋକମାନେ ଏହାକୁ ମୃତ୍ୟୁର ଜଳପ୍ରପାତ ବୋଲି କହିବା ଆରମ୍ଭ କଲେଣି। ଜିଲ୍ଲା ପ୍ରଶାସନ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ପ୍ରତିବର୍ଷ ଲୋକଙ୍କ ଜୀବନ ଯାଉଛି। ଜଳପ୍ରପାତଟି ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଆସୁଛି। ତେଣୁ ନୂଆପଡ଼ା ବନ୍ୟଜନ୍ତୁ ବିଭାଗର ଡିଏଫଓ ଗୋଧସ୍‌ ଜଳପ୍ରପାତରେ ବ୍ୟାରିକେଟ୍‌ କରି ନିରାପଦ ଗାଧୁଆ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ନଚେତ ଏହି ଜଳପ୍ରପ୍ରାତକୁ ଯାତାୟାତ ନିଷେଧ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର