ପୁରୀ : ଗତ ୧୮ ତାରିଖ ଦିନ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟାରେ ଥିବା ଏକ ଲଜ୍ରେ ପ୍ରେମୀଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଗତ ୨୦ ତାରିଖରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରେମିକ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳାବାଗ ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ତାଙ୍କ ପରିବାର ଲୋକେ ଯୁବକଙ୍କ ଶବକୁ ବିଶାଖାପାଟଣା ନେଇଯାଇଛନ୍ତି। ମାତ୍ର ପ୍ରେମିକା ଏବେ ମଧ୍ୟ କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେ ଏହି ବିବାହିତା ପ୍ରେମିକାଙ୍କ ସହ ତାଙ୍କ ପରିବାର ଲୋକେ ସମ୍ପର୍କ ବିଚ୍ଛିନ୍ନ କରିଦେଇଛନ୍ତି। ଫଳରେ ସେ ଏବେ କଟକ ବଡ଼ଡାକ୍ତରଖାନାରେ ବିନା ସହାୟତାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଗତ ୧୮ ତାରିଖଠାରୁ ଉଭୟ ପ୍ରେମୀ ଯୁଗଳଙ୍କ ଚିକିତ୍ସା ଖର୍ଚ୍ଚ ପ୍ରେମିକଙ୍କ ପରିବାର ବହନ କରୁଥିବା ବେଳେ ତାଙ୍କ ଦେହାନ୍ତ ପରେ ତାଙ୍କ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ବିଶାଖାପାଟଣା ଚାଲିଯାଇଛନ୍ତି। ତେଣୁ ଧରାପଲେମ୍, ପଞ୍ଚହଡ଼ାରିଆ ଥାନା ଅନ୍ତର୍ଗତ ରାମଭିଲ୍ଲିମଣ୍ଡଳମ୍ର ହନୁମାନ ମନ୍ଦିର ପାଖରେ ରହୁଥିବା ଜେ. ଅରୁଣା(୨୭) ଏବେ ଅସହାୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ପ୍ରକାଶ ଯେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଅରୁଣା ଗତ ୪ ମାସ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ମାତ୍ର ଏହାପରେ ଫେସ୍ବୁକ୍ରେ ଅରୁଣାଙ୍କର ଜଣେ ୧୭/୧୮ ବର୍ଷୀୟ ନାବାଳକ ପ୍ରତି ଦୁର୍ବଳତା ଆସିଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ନିଜ ନିଜ ଘରେ ବିବାହ କରିବାକୁ ରାଜି କରାଇବାକୁ ବିଫଳ ହୋଇଥିଲା। ତେଣୁ ଗତ ୧୪ ତାରିଖ ଦିନ ସେମାନେ ପୁରୀକୁ ଆସି ପେଣ୍ଠକଟା ଚକ୍ରତୀର୍ଥ ରୋଡ୍ର ତିରୁପତି ଲଜ୍ର ୧୦୮ ନମ୍ବର ରୁମ୍ରେ ରହିଥିଲେ। ସେମାନେ ଗତ ୧୮ ତାରିଖ ଦିନ ପୁରୀ ଛାଡ଼ିବାର ଥିଲା। ତେଣୁ ପୂର୍ବାହ୍ନ ପ୍ରାୟ ୫ଟା ସମୟରେ ରୁମ୍ ଛାଡ଼ିବା ପାଇଁ ରିସେପ୍ସନକୁ ଆସି ଜଣାଇବା ସହ ହିସାବ ତୁଟାଇ ପୁନଶ୍ଚ ରୁମ୍କୁ ଚାଲିଯାଇଥିଲେ। ଏହାପରେ ସେମାନେ ବିଶାଖାପାଟଣାସ୍ଥିତ ନିଜ ନିଜ ଘରକୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବରେ ସେମାନଙ୍କ ପରିବାର ଲୋକେ ରାଜି ନହେବାରୁ ସେମାନେ ଏକାଠି କୀଟନାଶକ ଖାଇ ଦେଇଥିଲେ। ଏହାପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରେମିକ ଜଣକ ବିଶାଖାପାଟଣାସ୍ଥିତ ତାଙ୍କ ସାଙ୍ଗକୁ ଫୋନ୍ କରି ବିଷପାନ କରିଥିବା ଜଣାଇଥିଲେ।
ପ୍ରେମିକଙ୍କ ସାଙ୍ଗ ଗୁଗୁଲ୍ରେ ଖୋଜି ଏହି ଲଜ୍ର ପଡ଼ୋଶୀ ହୋଟେଲର ଫୋନ୍ ନମ୍ବର ଆଣି ପ୍ରେମୀଯୁଗଳ ଗୁରୁତର ଅବସ୍ଥାରେ ଥିବା ଜଣାଇଥିଲେ। ଏହି ଖବର ପାଇ ଲଜ୍ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସମୁଦ୍ରକୂଳ ଥାନା ପୁଲିସକୁ ଜଣାଇ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ମାତ୍ର ଏଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକ ପ୍ରେମିକଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଏନେଇ ମଙ୍ଗଳାବାଗ୍ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲାରେ ଶବକୁ ବ୍ୟବଚ୍ଛେଦ କରି ପରିବାର ଜିମାରେ ଦେଇଥିଲେ। ସେମାନେ ନାବାଳକଙ୍କ ଶବକୁ ନେଇ ବିଶାଖାପାଟଣା ଚାଲିଯାଇଥିବା ବେଳେ ଏପର୍ଯ୍ୟନ୍ତ ଅରୁଣାଙ୍କ ପରିବାର ଲୋକେ ଆସିନାହାନ୍ତି। ସେ ଏବେ ଅସହାୟ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। କିନ୍ତୁ ଏଦିଗରେ ଉଭୟଙ୍କ ପକ୍ଷରୁ ପୁରୀ ସମୁଦ୍ରକୂଳ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୁଲିସ ଏଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି। କେବଳ ଲଜ୍ରୁ ଉଭୟଙ୍କର ଜିନିଷପତ୍ର ଜବତ କରି ପେଣ୍ଠକଟା ଫାଣ୍ଡିରେ ପୁଲିସ ରଖିଛି।