ପ୍ରେମକୁ ମିଳିଲାନି ସାମାଜିକ ସ୍ବୀକୃତି : ବିଷ ପିଇ ଜୀବନ ହାରିଲେ ପ୍ରେମୀଯୁଗଳ

କୋରାପୁଟ/କାକିରିଗୁମ୍ମା/ଲକ୍ଷ୍ମୀପୁର : ସଂପର୍କରେ ଦାଦା, ଝିଆରୀ। କିନ୍ତୁ ପ୍ରେମ ଆଗରେ ତୁଚ୍ଛ ହୋଇଗଲା ସେମାନଙ୍କ ସଂପର୍କ। ସମାଜର ଆଖି, ଆକଟକୁ ଆଡ଼େଇ କଞ୍ଚା ବୟସରେ ପରସ୍ପରକୁ ଭଲ ପାଇ ବସିଲେ। ପ୍ରେମ କ’ଣ ବୁଝିବା ପୂର୍ବରୁ ସେମାନଙ୍କୁ ବାଉଳା କରିଦେଲା ପ୍ରେମ। ସ୍କୁଲ ଯାଇ ପାଠ ପଢ଼ିବା ବୟସରେ ସଂସାର କରିବା ସ୍ବପ୍ନ ଦେଖି ଘର ଛାଡ଼ି ଚାଲିଗଲେ। କିନ୍ତୁ ବେଶୀ ଦିନ ତିଷ୍ଠିଲାନି ଏହି ପ୍ରେମ ସଂପର୍କ। ଘର ଛାଡ଼ି ଯିବାର ଦୁଇ ସପ୍ତାହ ନ ପୂରୁଣୁ ଆଜି ଭୋରରେ ଗାଁ ମୁଣ୍ଡରେ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଭିତରଗଡ଼ ପଞ୍ଚାୟତରେ।

ଏହି ପଞ୍ଚାୟତ ଅନ୍ତର୍ଗତ ଗୌଡ କଙ୍କଡ଼ାପୁଟ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ରାଜା (ଛଦ୍ମ ନାମ) ଓ ସେହି ଗ୍ରାମର କୁନି (ଛଦ୍ମ ନାମ) ପରସ୍ପରକୁ ଭଲ ପାଉଥିଲେ। ରାଜାଙ୍କୁ ୧୪ ବର୍ଷ ହୋଇଥିଲାବେଳେ କୁନିଙ୍କୁ ୧୫ ବର୍ଷ। ସଂପର୍କରେ ବି ସେମାନେ ଦାଦା-ଝିଆରୀ। ସଂପର୍କ ଓ ବୟସ ସେମାନଙ୍କ ପ୍ରେମ ଆଗରେ ବାଧା ପହଞ୍ଚାଇଥିଲା। ତେଣୁ ଦୁହେଁ ଘର ଛାଡ଼ି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାୟ ୧୫ ଦିନ ତଳେ ସେମାନେ କାହାକୁ କିଛି ନ ଜଣାଇ ଘର ଛାଡ଼ି ଚାଲିଯାଇ ବିବାହ ବି କରି ପକାଇଥିଲେ। ଏହା ଗ୍ରାମରେ ପ୍ରଚାର ହେବା ପରେ ସମସ୍ତେ ଏହାକୁ ନିନ୍ଦା କରିଥିଲେ। ଅପରପକ୍ଷରେ ଆଜି ଗ୍ରାମରେ ବୈଠକ କରାଯାଇ ଏ ସଂପର୍କରେ ନିଷ୍ପତ୍ତି ନେବାକୁ ସ୍ଥିର କରାଯାଇଥିଲା। ଗାଁ ଛାଡ଼ି ବାହାରେ କିଛି ଦିନ ରହିବା ପରେ ଘାବରେଇ ଯାଇଥିଲେ ଏହି ପ୍ରେମୀଯୁଗଳ। ବୟସ ହୋଇ ନ ଥିବାରୁ କଣ କରିବେ, କୁଆଡ଼େ ଯିବେ କିଛି ସ୍ଥିର କରି ପାରି ନ ଥିଲେ। ଫଳରେ ଗତକାଲି ରାତିରେ ଗାଁକୁ ଫେରି ଆସିଥିଲେ। କିନ୍ତୁ ଗାଁକୁ ଯିବା ପୂର୍ବରୁ ସବୁ କିଛି ଶୁଣିବା ପରେ ସେମାନଙ୍କ ସାହସ ଭାଙ୍ଗି ଯାଇଥିଲା। ଆଉ ଏକାଠି ବଂଚିବା ସେମାନଙ୍କ ପକ୍ଷେ ସମ୍ଭବ ମନେ ହେଲା ନାହିଁ। ତେଣୁ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। ଆଉ ଗାଁ ମୁଣ୍ଡରେ ଥିବା ଗୋଟିଏ ଆମ୍ବଗଛ ମୂଳରେ କୀଟନାଶକ ପିଇଦେଲେ।

ଆଜି ସକା‌ଳେ ଉଭୟଙ୍କ ମୃତଦେହ ଆମ୍ବଗଛ ତଳେ ପଡ଼ିଥିବା ଦେଖି ଗାଁ ଲୋକ ସରପଞ୍ଚ ଶ୍ରୀଧର ଜାନୀଙ୍କୁ ଖବର ଦେଇଥିଲେ। ସରପଞ୍ଚ ଏଥିନେଇ କାକିରିଗୁମ୍ମା ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁଇଟି ମୃତଦେହର ବ୍ୟବଚ୍ଛେଦ କରାଇଛି। ଆତ୍ମହତ୍ୟା କରିଥିବା ସ୍ଥାନରୁ ଏକ କୀଟନାଶକ ବୋତଲ ଓ ସେମାନଙ୍କ ବ୍ୟାଗ ମିଳିଛି। ଏ ନେଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି। ଅପରପକ୍ଷରେ ନାବାଳକ ପ୍ରେମୀଯୁଗଳଙ୍କ ଏହି ଆତ୍ମହତ୍ୟା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଲୋକଲଜ୍ଜା ଏବଂ ସାମଜକୁ ସାମ୍ନା କରିବାର ଭୟ ଯୋଗୁଁ ସେମାନେ ଆତ୍ମହତ୍ୟା କରିଥିବା ସରପଞ୍ଚ ପୁଲିସକୁ ଜଣାଇଛନ୍ତି। ଅପରପକ୍ଷରେ ଅଳ୍ପ ବୟସରେ ଏତେ ଚାପ ସହି ନ ପାରି ଦୁହେଁ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର