ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଲିସକୁ ନ ଜଣାଇ ଶବ ପୋଡ଼ିବାକୁ ଉଦ୍ୟମ, ହତ୍ୟା ନା ଆତ୍ମହତ୍ୟା?

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଡଙ୍ଗରମୁଣ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର କରାଯାଇଛି। ସେମାନେ ହେଲେ ଡଙ୍ଗରମୁଣ୍ତା ଗ୍ରାମର ଚନ୍ଦ୍ରଶେଖର ଭୋଇ (୨୫ବର୍ଷ) ଓ ତୁଷୁରା ଥାନା ନୂଆଁପଡ଼ା ଗ୍ରାମର ଯାଜ୍ଞସେନୀ କୁଅଁର। ଉଭୟେ ସଂପର୍କୀୟ ଭାଇ ଭଉଣୀ ଏବଂ ସେମାନଙ୍କ ସଂପର୍କକୁ ପରିବାର ଲୋକେ ସ୍ବୀକୃତି ନଦେବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଲିସକୁ ନଜଣାଇ ପରିବାର ଲୋକେ ଶବ ପୋଡ଼ିବାକୁ ଉଦ୍ୟମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ‌ ଖେଳାଇ ଦେଇଛି।

ପୁଲିସର ସୂଚନା ଅନୁସାରେ, ସଇନ୍ତଳା ପଞ୍ଚାୟତ ଡଙ୍ଗରମୁଣ୍ତା ଗ୍ରାମର ଚନ୍ଦ୍ରଶେଖର ଓ ନୂଆଁପଡ଼ା ଗ୍ରାମର ତାଙ୍କ ବଡ଼ମାଙ୍କ ଝିଅ ଯାଜ୍ଞସେନୀଙ୍କ ମଧ୍ୟରେ ବହୁଦିନ ହେଲା ପ୍ରେମ ସଂପର୍କ ରହିଥିଲା। ଶୁକ୍ରବାର ଚନ୍ଦ୍ରଶେଖର ଯାଜ୍ଞସେନୀଙ୍କୁ ନୂଆଁପଡ଼ା ଗ୍ରାମରୁ ନିଜ ଗ୍ରାମ ଡଙ୍ଗରମୁଣ୍ତାକୁ ଆଣିଥିଲେ। ଉଭୟ ବିବାହ କରିବାକୁ ଚାହୁଥିଲେ। କିନ୍ତୁ, ପରିବାର ଲୋକେ ସ୍ବୀକୃତି ଦେଉ ନଥିଲେ। ସନ୍ଧ୍ୟାରେ ସେମାନେ ଘରୁ ବାହାରି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ରାତିରେ ଚନ୍ଦ୍ରଶେଖର ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶନିବାର ସକାଳୁ ଚନ୍ଦ୍ରଶେଖର ଓ ଯାଜ୍ଞସେନୀ ଗ୍ରାମ ନିକଟ ଏକ ବରଗଛରେ ବେକରେ ଓଢ଼ଣୀ ଜରିଆରେ ଝୁଲୁଥିବା ଦେଖାଯାଇଥିଲା। ପରିବାର ଲୋକେ ଘଟଣାକୁ ଚପାଇ ଦେବା ପାଇଁ ଉଭୟ ମୃତଦେହକୁ ଗଛରୁ ଓହ୍ଲାଇ ନିକଟସ୍ଥ ପାହାଡ଼ ଉପରକୁ ନେଇ ସେଠାରେ ପୋଡ଼ିବାକୁ ଉଦ୍ୟମ କରୁଥିଲେ। ଖବର ପାଇ ସଇନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ସେମାନେ ଦୌଡ଼ି ଫେରାର ହୋଇଯାଇଥିଲେ। ପୁଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର