ଭୁବନେଶ୍ବର : ବାୟୁ ପ୍ରଦୂଷଣ କାରଣରୁ କୋଭିଡ୍ ଭୂତାଣୁ ଅନ୍ୟକୁ ସହଜରେ ସଂକ୍ରମିତ କରିପାରୁଛି। ବିଶେଷକରି ପାର୍ଟିକ୍ୟୁଲେଟ୍ ମ୍ୟାଟର ବା ପିଏମ୍ ୨.୫ ସହିତ କରୋନା ଭୂତାଣୁ ଯୋଡ଼ି ହୋଇଯିବା କାରଣରୁ ଏହା ଦ୍ରୁତ ଗତିରେ ବାୟୁରେ ବ୍ୟାପୁଛି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ତେଣୁ ଅଧିକ ପ୍ରଦୂଷଣ ଥିବା ସହରରେ ଅଧିକ ମାତ୍ରାରେ କୋଭିଡ ବ୍ୟାପିଛି। ଏ ଦୃଷ୍ଟିରୁ ଦେଶର ଅନ୍ୟ ବଡ଼ ସହର ତୁଳନାରେ ଭୁବନେଶ୍ବରରେ କମ୍ ପ୍ରଦୂଷଣ ପାଇଁ କୋଭିଡ ମୃତ୍ୟୁ ସଂଖ୍ୟା କମ୍ ରହିଥିବା ଅନୁମାନ କରାଯାଉଛି।
ଉତ୍କଳ ବିଶ୍ବବିଦ୍ୟାଳୟ, ଆଇଆଇଟିଏମ୍ ପୁନେ, ଏନ୍ଆଇଟି ରାଉରକେଲା ଓ ଆଇଆଇଟି ଭୁବନେଶ୍ବରର ୬ଜଣ ବୈଜ୍ଞାନିକ ଓ ଗବେଷକଙ୍କୁ ନେଇ ପ୍ରଦୂଷଣ ଓ କୋଭିଡ୍ ସଂକ୍ରମଣ ସଂପର୍କିତ ଏକ ଅଧ୍ୟୟନ କରାଯାଇଥିଲା। ଏହା ଏନ୍ସିଭିର ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଧୂଳି, ଧୂଆଁ ଓ ଅନ୍ୟ ସାମଗ୍ରୀର ମିଶ୍ରଣ ହେଉଛି ପିଏମ୍। ଏହା ଭିନ୍ନ ଭିନ୍ନ ଆକୃତିର ହୋଇଥାଏ। ତେବେ ତହିଁରୁ ପିଏମ୍ ୨.୫ ସବୁଠାରୁ କ୍ଷୁଦ୍ର ହୋଇଥିବା ବେଳେ ଏହା ଶରୀରରେ ପ୍ରବେଶ କଲେ କର୍କଟ ରୋଗ ସୃଷ୍ଟି କରିପାରେ। ବାୟୁରେ ଏହା ଏକାଧିକ ଦିନ ରହିବା ସହିତ ସହଜରେ ଫୁସ୍ଫୁସ୍ରେ ମଧ୍ୟ ପ୍ରବେଶ କରିଥାଏ। ତେବେ ପିଏମ୍ ୨.୫ ସହିତ ଯୋଡ଼ି ହୋଇ କରୋନା ଭୂତାଣୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାଇ ପାରୁଥିବାର ଏହି ଅଧ୍ୟୟନରେ ପ୍ରମାଣ ମିଳିଛି। ଏ ଦୃଷ୍ଟିରୁ ମୁମ୍ବାଇ, ପୁନେ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇରେ ଅଧିକ ସଂଖ୍ୟାରେ କୋଭିଡ ମୃତ୍ୟୁ ହୋଇଥିବା କୁହାଯାଉଛି।
ଗତବର୍ଷ ମାର୍ଚରୁ ନଭେମ୍ବର ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ଏପ୍ରିଲ ମାସରେ ଭୁବନେଶ୍ବରରେ ପ୍ରଦୂଷଣ ମାତ୍ରା ଅଧିକ ରହିଥିଲା। ଅନ୍ୟ ମାସଗୁଡ଼ିକରେ ଏହା ସନ୍ତୋଷଜନକ ରହିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଅନ୍ୟ ସହରଗୁଡ଼ିକ ତୁଳନାରେ ଭୁବନେଶ୍ବର ଅଧିକ ମାତ୍ରାରେ ପ୍ରଦୂଷିତ। ଏ ଦୃଷ୍ଟିରୁ ରାଜଧାନୀରେ କୋଭିଡ ଅନ୍ୟ ସହର ତୁଳନାରେ ଅଧିକ ମାତ୍ରାରେ ବ୍ୟାପିଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଗୋଷ୍ଠୀ ସଂକ୍ରମଣ କହୁଛନ୍ତି। ମାତ୍ର ଏହି ଅଧ୍ୟୟନରେ ଏହା ପ୍ରଦୂଷଣ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିବା ନଜରକୁ ଆସିଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ଲୋକଙ୍କଠାରୁ ଲୋକଙ୍କ ସଂକ୍ରମଣ ବ୍ୟାପିଥିବା ବେଳେ ରାଜଧାନୀରେ ପ୍ରଦୂଷଣ ପାଇଁ ଅଧିକ ସଂକ୍ରମଣ ବ୍ୟାପିଛି ବୋଲି ସନ୍ଦେହ କରାଯାଉଛି।