ଔଷଧ ନିଗମ ଯୋଗାଉଛି ନିମ୍ନମାନର ସାଲାଇନ୍‌, ଏସ୍‌ସିବିରେ ୩ ହଜାର ରୋଗୀଙ୍କୁ ଦିଆଯାଇଛି

କଟକ : କଟକ ବଡ଼ ମେଡିକାଲରେ ରୋଗୀଙ୍କୁ ନିମ୍ନମାନର ସାଲାଇନ ଦିଆଯିବା ଘଟଣା ରୋଗୀ ଓ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଆତଙ୍କର କାରଣ ହୋଇଛି। ସାଲାଇନ୍‌ର ମାନ ପରୀକ୍ଷା ରିପୋର୍ଟରୁ ଏହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଏହି ସାଲାଇନ୍‌ରୁ ପ୍ରାୟ ୩ ହଜାର ସାଲାଇନ୍ ରୋଗୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ଏହି ବ୍ୟାଚ୍‌ର ୫ ହଜାର ସାଲାଇନ୍ ଆସିଥିବା ବେଳେ ସେଥିରୁ ମାତ୍ର ୧୫୦୦ ସାଲାଇନ୍‌ ବଳକା ରହିଛି।

ଏସ୍‌ସିବିର ସର୍ଜରି ବିଭାଗରେ ଜଣେ ରୋଗୀଙ୍କୁ ସାଲାଇନ ଦିଆଯିବା ପରେ ତାଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇଥିଲା। ଏଭଳି ଅଭିଯୋଗ ପାଇବା ପରେ ଏସ୍‌ସିବି କର୍ତ୍ତୃପକ୍ଷ ସାଲାଇନ୍‌ର ନମୁନା ପରୀକ୍ଷା ପାଇଁ ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗକୁ ଲେଖିବା ପରେ ଏହି ସବୁ ସାଲାଇନ୍‌ର ନମୁନା ପରୀକ୍ଷା ପାଇଁ କୋଲକାତା ସ୍ଥିତ ଲାବ୍‌କୁ ପଠାଯାଇଥିଲା। ସେହି ସମୟରୁ ସମସ୍ତ ସାଲାଇନ୍‌କୁ ବ୍ୟବହାର କରା ନଯାଇ ଅଲଗା ରଖାଯାଇଥିଲା। ଏବେ ଦୁଇ ମାସ ପରେ ସାଲାଇନ୍‌ର ପରୀକ୍ଷା ରିପୋର୍ଟ ଆସିବା ପରେ ଏହା ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି।

ଗଲା ଜୁଲାଇ ମାସରେ ଏହି ସାଲାଇନ୍ ଆସିଥିବା ବେଳେ ଏହାର ବ୍ୟବହାର ଅବଧି ୨୦୨୩, ଅକ୍ଟୋବର ପର୍ଯ୍ୟନ୍ତ ଥିଲା। ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲା ବେଳକୁ ପ୍ରାୟ ୩ ହଜାର ସାଲାଇନ୍ ଏସସିବିରେ ବ୍ୟବହାର ହୋଇ ସାରିଥିଲା। ଅଭିଯୋଗ ଆସିଲା ଦିନଠାରୁ ସାଲାଇନକୁ ସବୁ ବିଭାଗରୁ ଫେରସ୍ତ ଆଣି ଅଲଗା ରଖାଯାଇଛି ବୋଲି ଏବେ ଏସ୍‌ସିବି କର୍ତ୍ତୃପକ୍ଷ କହୁଛନ୍ତି। ରାଜ୍ୟରେ ସାଲାଇନ୍‌ର ଏଭଳି ବ୍ୟବହାର ଅନୁପଯୋଗୀ ରିପୋର୍ଟ ଆସିବା ପ୍ରଥମ ଘଟଣା ବୋଲି ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି।

ସମ୍ବନ୍ଧିତ ଖବର